ନୂଆଦିଲ୍ଲୀ,୩।୧୨: ବାଂଲାଦେଶୀଙ୍କ ପାଇଁ ଯେଶାକୁ ତେସା ନୀତି। ହସ୍ପିଟାଲ ପରେ ଏବେ ହୋଟଲରେ ଲାଗିଲା ନୋ-ଏଣ୍ଟ୍ରି ବୋର୍ଡ। ବାଂଲାଦେଶୀ ନାଗରିକଙ୍କ ଉପରେ ବ୍ୟାନ୍ ଲଗାଇଲେ ତ୍ରିପୁରା ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ। ଏବେ ଆଉକି ଆଉ ବାଂଲାଦେଶୀଙ୍କୁ ହୋଟେଲ୍ରେ ମିଳିବନି ରୁମ୍। ଏପରିକି ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବାକୁ ଦିଆଯିବନି।ବାଂଲାଦେଶରେ ହିନ୍ଦୁ ନେତା ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ଘଟଣାରେ ନିଆଯାଇଛି ଏଭଳି ନିଷ୍ପତ୍ତି। ତାଛଡା ପ୍ରତିଦିନ ସେଠାରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣାକୁ ଦୃଷ୍ଟିରେ ରଖି କଡା ଏଭଳି କଟକଣା ଲାଗୁ ହୋଇଛି।
ବାଂଲାଦେଶୀଙ୍କ ଉପରେ ଘଟଣାର ପ୍ରତିଶୋଧ ନେଲା ତ୍ରିପୁରା ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ। ସେଠାରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେତୁ ଅଗରତାଲାରେ ହୋଇଥିଲା ବିରୋଧ।ଏହାପରେ ତ୍ରିପୁରା ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ ନେଇଛି ଏଭଳି ନିଷ୍ପତ୍ତି। ବର୍ତ୍ତମାନଠାରୁ ବାଂଲାଦେଶୀ ନାଗରିକଙ୍କୁ ରାଜ୍ୟର କୌଣସି ବି ହୋଟେଲରେ ରହିବାକୁ ଦିଆଯିବନି। ବାଂଲାଦେଶୀ ନାଗରିକଙ୍କୁ କରାଯାଇଛି ବ୍ୟାନ୍ । ହୋଟେଲଗୁଡ଼ିକୁ ସେମାନଙ୍କ ଡେସ୍କରେ ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସୁରକ୍ଷା ଯାଞ୍ଚକୁ ଅଧିକ କଠୋର କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ବାଂଲାଦେଶୀ ନାଗରିକଙ୍କୁ ରୁମ୍ ଓ ରେଷ୍ଟୁରାଣ୍ଟରେ ପ୍ରବେଶ ଉପରେ ନିଷେଧାଦେଶ ଜାରି ନିଷ୍ପତ୍ତି ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ। ଏନେଇ ହୋଟେଲ ମାଲିକ ସଂଘର ସଚିବ ଭାସ୍କର ଚକ୍ରବର୍ତ୍ତୀ କହିଛନ୍ତି। ନିକଟରେ ପଡୋଶୀ ଦେଶରେ ଭାରତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା। ଏହାକୁ ବିରୋଧ କରି ତ୍ରିପୁରାର ଡାକ୍ତରଖାନାଗୁଡିକ ବାଂଲାଦେଶୀ ନାଗରିକଙ୍କ ଚିକିତ୍ସା କରିବାକୁ ମନା କରିଦେଇଥିଲେ। ଏବେ ରାଜ୍ୟର ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ସଂଘ ଆନ୍ଦୋଳନରେ ସାମିଲ ହୋଇଛନ୍ତି।