ନୂଆଦିଲ୍ଲୀ, ୧୮/୧୦ : "ଯେଉଁଠି ଅଛ, ସେଇଠି ରହିଯାଅ... ଯୁଦ୍ଧ ଶେଷ କର।" ଜେଲେନସ୍କିଙ୍କ ସହ ବୈଠକ ପରେ ୟୁକ୍ରେନ୍ ଓ ଋଷକୁ ଟ୍ରମ୍ପଙ୍କ ଅପିଲ୍। ଶୁକ୍ରବାର ହ୍ଵାଇଟ୍ ହାଉସ୍‌ରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଟ୍ରମ୍ପଙ୍କ ବୈଠକ ଥିଲା। ଏହାପରେ ଯୁଦ୍ଧ ଶେଷ କରିବାକୁ କିଭ୍ ଓ ମସ୍କୋକୁ ଟ୍ରମ୍ପ ପରାମର୍ଶ ଦେଇଛନ୍ତି। ଗତ ୯ ମାସ ହେଲା ଟ୍ରମ୍ପ ଋଷ-ୟୁକ୍ରେନ୍ ଯୁଦ୍ଧ ରୋକିବାକୁ ଚେଷ୍ଟା କରୁଛନ୍ତି। ବାରମ୍ଵାର ମତ ବଦଳାଉଛନ୍ତି। ତେବେ ଏଥର ଋଷ କବ୍ଜା କରିଥିବା ଜାଗାକୁ ୟୁକ୍ରେନ୍ ଛାଡ଼ିଦେବା ଉଚିତ୍ ବୋଲି ସେ ସଙ୍କେତ ଦେଇଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ୍ ମିଡିଆରେ ଟ୍ରମ୍ପ ଲେଖିଛନ୍ତି ଯେ, ବହୁତ ରକ୍ତ ବହିଗଲା। ଏବେ ଯୁଦ୍ଧ ଏବଂ ସାହସ ଦ୍ୱାରା ସୀମା ନିର୍ଦ୍ଧାରଣ କରାଯାଉଛି। ଏବେ ସେମାନଙ୍କୁ ଏଇଠି ଅଟକି ଯିବା ଉଚିତ୍। ଉଭୟ ପକ୍ଷ ନିଜକୁ ବିଜୟୀ ବୋଲି ଭାବି ଏକ ଐତିହାସିକ ନିଷ୍ପତ୍ତି ନେବା ଉଚିତ୍। ଯୁଦ୍ଧ ସମ୍ମୁଖର ପରିସ୍ଥିତିକୁ ଗ୍ରହଣ କରିବା ଉଚିତ୍। ନହେଲେ ମାମଲା ଆହୁରି ଜଟିଳ ହେବ। ଦୁଇ ପକ୍ଷ ଏବେ ନିଜ ପରିବାର ପାଖକୁ ଫେରିଯାଆନ୍ତୁ, ହତ୍ୟା ବନ୍ଦ କରନ୍ତୁ।

​​​​​​​ସୂଚନା ଥାଉକି, ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଟ୍ରମ୍ପ ବାରମ୍ଵାର ମତ ବଦଳାଉଛନ୍ତି। ପୂର୍ବରୁ ସେ ୟୁକ୍ରେନକୁ ଜାଗା ଛାଡ଼ିବାକୁ ପରାମର୍ଶ ଦେଉଥିଲେ। ପରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଆକ୍ରୋଶ ପ୍ରକାଶ କରି ୟୁକ୍ରେନ୍‌କୁ ଯଥା ସମ୍ଭବ ସହାୟତା କରିବେ ବୋଲି ଘୋଷଣା କଲେ। ଏବେ ପୁଣି ଥରେ ଋଷ କବ୍‌ଜା କରିଥିବା ଜାଗା ୟୁକ୍ରେନ୍‌କୁ ଛାଡ଼ିଦେବା ଉଚିତ୍ ବୋଲି କହୁଛନ୍ତି। ଏହାର ଅର୍ଥ ଟ୍ରମ୍ପ କେବେବି ସ୍ଥିର ନୁହଁନ୍ତି। କେତେବେଳେ କାହା ସପକ୍ଷରେ ବିଳି ବିଳୋଉଛନ୍ତି।