ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାଇମ୍ ପତ୍ରିକାରେ ପ୍ରକାଶିତ ତାଙ୍କ ଫଟୋ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପତ୍ରିକାର କଭର ଫଟୋରେ, ତାଙ୍କ ମୁହଁର ଉପର ଭାଗରୁ ତାଙ୍କ କେଶ ନଥିବା ପରି ଦେଖାଯାଉଛି। ଟ୍ରମ୍ପ କହିଛନ୍ତି ଯେ କଭରରେ ତାଙ୍କୁ ଏକ ଛୋଟ ମୁକୁଟ ପରି କିଛି ପିନ୍ଧିଥିବା ଦେଖାଯାଇଛି। "ଏହା ବହୁତ ଅଦ୍ଭୁତ" ଲାଗୁଛି ବୋଲି ସେ କହିଛନ୍ତି।

ଏନେଇ ଟ୍ରମ୍ପ ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି ଯେ, "ଏହା ସବୁଠାରୁ ଖରାପ ଫଟୋ, ଏବଂ ଏନେଇ ସେମାନଙ୍କୁ (ପତ୍ରିକାର) ସମାଲୋଚନା କରାଯିବାର ଆବଶ୍ୟକତା ଅଛି।" ଟ୍ରମ୍ପ ଆହୁରି ମଧ୍ୟ, କହିଛନ୍ତି ଯେ ମତେ ନିମ୍ନ କୋଣରୁ ନିଆଯାଇଥିବା ଫଟୋ ପସନ୍ଦ ନୁହେଁ, କିନ୍ତୁ ଏହି ଫଟୋ ଏଯାଏ ଉଠାଯାଇଥିବା ସବୁଠାରୁ ଖରାପ ଫଟୋ ଅଟେ।

 

ଆପଣଙ୍କୁ ଜଣାଇରଖୁ ଯେ, ଗତ ଫେବୃଆରୀ ମାସରେ, ଟ୍ରମ୍ପ ଟାଇମ୍ ପତ୍ରିକାରେ ପ୍ରକାଶିତ ଅନ୍ୟ ଏକ ଫଟୋରେ ମଦ୍ୟ ଅସନ୍ତୁଷ୍ଟ ଥିଲେ ଯେଉଁଥିରେ ସେତେବେଳର ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ଏଲନ୍ ମସ୍କଙ୍କୁ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଗ୍ରହଣ ଡେସ୍କରେ ବସିଥିବା ଦେଖାଯାଇଥିଲା। ସେ ଫଟୋରେ ମନ୍ତବ୍ୟ ଦେଇଥିଲେ, "ଏହି ପତ୍ରିକା ଏବେ ବି ଚାଲିଛି କି? ମୁଁ ଜାଣି ନଥିଲି।" ତଥାପି, ସେ ମସ୍କଙ୍କ କାମକୁ ପ୍ରଶଂସା କରିଥିଲେ।

ଟାଇମ୍ ପତ୍ରିକାର ସଦ୍ୟତମ କଭର ଶୀର୍ଷକ "ହିଜ୍ ଟ୍ରାୟମ୍ଫ" ରହିଛି। ଯେତେବେଳେ ଟ୍ରମ୍ପଙ୍କୁ ଗାଜା ଯୁଦ୍ଧବିରତି, ବନ୍ଧକ ବିନିମୟ ଏବଂ ଇସ୍ରାଏଲ-ହମାସ୍ ସଂଘର୍ଷରେ ମଧ୍ୟସ୍ଥତା କରିବାର ଶ୍ରେୟ ଦିଆଯାଉଥିବା ସମୟରେ ଏହି କଭର ପ୍ରକାଶିତ ହୋଇଛି।

ସୂଚନା ମୁତାବକ, ୭ ଅକ୍ଟୋବର ୨୦୨୩ରେ ହମାସ ପ୍ରଥମେ ଆକ୍ରମଣ କରିବା ପରେ ଇସ୍ରାଏଲ ପ୍ରତିଆକ୍ରମଣ ଆରମ୍ଭ କରିଥିଲା। ଏହି ଯୁଦ୍ଧ ଦୁଇ ବର୍ଷ ଧରି ଚାଲିଥିଲା। ଏହି ଯୁଦ୍ଧରେ ଗାଜାରେ ୬୫,୦୦୦ ରୁ ଅଧିକ ପାଲେଷ୍ଟାଇନୀ ନିହତ ହୋଇଥିଲେ। ଏହି ଦୁଇ ବର୍ଷ ମଧ୍ୟରେ ଇସ୍ରାଏଲ ଇରାନ, ସିରିଆ, କତାର ଏବଂ ଲେବାନନ ଭଳି ଦେଶ ଉପରେ ମଧ୍ୟ ଆକ୍ରମଣ କରିଥିଲା। ପରେ, ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନା ଅନୁଯାୟୀ ଯୁଦ୍ଧ ବନ୍ଦ କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ସୋମବାର ୨୦ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା, ଯେତେବେଳେ ଇସ୍ରାଏଲ ପ୍ରାୟ ୨୦୦୦ ପାଲେଷ୍ଟାଇନୀ ବନ୍ଦୀ ଏବଂ ପ୍ରାୟ ୩୬୦ ପାଲେଷ୍ଟାଇନୀଙ୍କୁ ମୁକ୍ତ କରିଥିଲା।