ନ୍ୟୁୟର୍କ: ଅମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା H-1B ଭିସା ଫିରେ ହଠାତ୍ ବୃଦ୍ଧି ଓ କଡ଼ା ସମୟସୀମା ଘୋଷଣା ଯୋଗୁଁ ଭାରତର ବିମାନବନ୍ଦରଗୁଡ଼ିକରେ ବଡ଼ ଧରଣର ଭିଡ ସୃଷ୍ଟି ହୋଇଛି। ଯାହା ଭାରତୀୟ ଆଇଟି ପ୍ରଫେଶନାଲଙ୍କ ପାଇଁ ସିଧା ସମସ୍ୟା ସୃଷ୍ଟି କରିଛି। ଲୋକମାନେ କୌଣସି ପ୍ରକାରରେ ସେପ୍ଟେମ୍ବର ୨୧ ତାରିଖ ପୂର୍ବରୁ ଆମେରିକାରେ ପହଞ୍ଚିବାକୁ ଚାହୁଁଛନ୍ତି। ଆଉ ଖାସ ଏଇଥିପାଇଁ ଭାରତରୁ ଅମେରିକାକୁ ଯାଉଥିବା ବିମାନ ଟିକେଟର ମୂଲ୍ୟ ହଠାତ୍ ୫୦% ଅଧିକ ବଢ଼ିଯାଇଛି। ସେହିପରି ନ୍ୟୁୟର୍କ ଓ ସାନ୍ ଫ୍ରାନ୍‌ସିସ୍‌କୋ ଆଦି ବିମାନବନ୍ଦର ଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ସହ ଲୋକମାନଙ୍କ ଅପେକ୍ଷା ଜନିତ ସମୟ ବଢ଼ିବାରେ ଲାଗିଛି।

ସୂଚନା ମୁତାବକ, ଟ୍ରମ୍ପ ପ୍ରଶାସନ H-1B ଭିସା ଫିକୁ ଲକ୍ଷ ଡଲାର (ପ୍ରାୟ ୮୮ ଲକ୍ଷ ଭାରତୀୟ ଟଙ୍କା)କୁ ବଢ଼ାଇ ଦେଇଛି। ଏହା ସହିତ, ଆସନ୍ତା ସେପ୍ଟେମ୍ବର ୨୧ ତାରିଖ ରାତି ୧୨ ଟା ୦୧ ସୁଦ୍ଧା (ଭାରତୀୟ ସମୟରେ ୨୧ ସେପ୍ଟେମ୍ବର ସକାଳ ୯ଟା ୩୧) ଅମେରିକାରେ ପ୍ରବେଶ କରିବାର ନିୟମ ଲାଗୁ କରାଯାଇଛି। ଏହି ସମୟସୀମା ପରେ ଅନ୍ୟ କୌଣସି H-1B ଭିସା ଧାରକଙ୍କ ନିଯୁକ୍ତିକାରୀ କମ୍ପାନୀ ନୂତନ ଫି ଦେୟ ନ କରିବା ଯାଏ ସେମାନେ ଆମେରିକାରେ ପ୍ରବେଶ କରିପାରିବେ ନାହିଁ ବୋଲି ଘୋଷଣା କରାଯାଇଛି।

ନ୍ୟୁୟର୍କ ଓ JFK ବିମାନବନ୍ଦରରେ ହଜାର ହଜାର ସଂଖ୍ୟକ ଭାରତୀୟ ପ୍ରଫେଶନାଲମାନେ ଭିଡ଼ ଜମାଇଛନ୍ତି। କଷ୍ଟମ୍ସ ଓ ଇମିଗ୍ରେସନ୍ ଚେକ ପାଇଁ ୪-୬ ଘଣ୍ଟା ବିଳମ୍ବ ହେଉଛି। ଏନେଇ ଜଣେ ଭାରତୀୟ ଇଞ୍ଜିନିୟର କହିଛନ୍ତି, "ଆମ ମାନଙ୍କୁ ଦୀପାବଳି ପୂର୍ବରୁ ଭାରତ ଯିବାକୁ ଅନୁମତି ମିଳିଥିଲା, କିନ୍ତୁ ଏବେ ସବୁ କିଛି ବନ୍ଦ ହୋଇଗଲା।"

ଦିଲ୍ଲୀ-ନ୍ୟୁୟର୍କ ରୁଟରେ ଟିକେଟ ମୂଲ୍ୟ ୧,୫୦୦ ଡଲାରରୁ ୨,୫୦୦ ଡଲାରକୁ ପହଞ୍ଚିଛି। ଏୟାର ଇଣ୍ଡିଆ ଓ ଯୁନାଇଟେଡ୍ ଏୟାରଲାଇନ୍ସ୍ ଏହି ଆକଷ୍ମିକ ଘୋଷଣା କାରଣରୁ ବହୁ ଭିଡର ସାମ୍ନା କରୁଛନ୍ତି। ଏଣୁ ଏହି ଦୁଇ ଏୟାର ଲାଇନ୍ସ ଟିକେଟ ମୁଲ୍ୟକୁ ୫୦% ଭଳି ବୃଦ୍ଧି କରିଛନ୍ତି।

ଆମେରିକା ଜାରି କରୁଥିବା ମୋଟ H-1B ଭିସା ମଧ୍ୟରୁ ଭାରତକୁ ପ୍ରାୟ ୭୦% H-1B ଭିସା ମିଳିଥାଏ। ଯାହା ବିଭିନ୍ନ ଆମେରିକୀୟ ଆଇଟି କମ୍ପାନୀଗୁଡ଼ିକର ପାଇଁ ଜରୁରୀ ଆବଶ୍ୟକତା ପୂରଣ କରିଥାଏ। ଏହି ଭିସା ସେବା ଯୋଗୁଁ  ହଜାର ହଜାର ଲୋକଙ୍କ କ୍ୟାରିୟର ବିକଶିତ ହୋଇଛି। ଏନେଇ ଇଣ୍ଡିଆନ୍ ଆଇଟି ଏସୋସିଏସନ୍ (ନାସ୍‌କମ୍) କହିଛି ଯେ, "ଏହା ଅମେରିକାର ଟେକ୍ ଇଣ୍ଡସ୍ଟ୍ରୀକୁ ବିପୁଳ ପରିମାଣରେ କ୍ଷତି ପହଞ୍ଚାଇବ।"

ଏହି ନୂଆ ନିୟମ ଜାରି କରିବା ପରେ ଟ୍ରମ୍ପ କହିଛନ୍ତି ଯେ, "ଏହା ଆମେରିକୀୟ କାର୍ଯ୍ୟକର୍ତ୍ତାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ କରାଯାଇଛି।" କିନ୍ତୁ ଡେମୋକ୍ରାଟ୍ ନେତାମାନେ ଏହାକୁ "ଅନ୍ୟାୟପୂର୍ଣ୍ଣ" କହି ଏହାର ଘୋର ବିରୋଧ କରିଛନ୍ତି। ଅନ୍ୟପଟେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଭାରତୀୟମାନଙ୍କୁ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି ବୋଲି ଘୋଷଣା କରିଛି।

ଟ୍ରମ୍ପଙ୍କ ଏହି ନିଷ୍ପତି ଅମେରିକା-ଭାରତ ବାଣିଜ୍ୟ ସମ୍ପର୍କକୁ ଗୁରୁତର ଭାବେ ପ୍ରଭାବିତ କରିପାରେ। କାରଣ ଭାରତୀୟ ଆଇଟି କମ୍ପାନୀଗୁଡ଼ିକ ଅମେରିକାରେ ବିପୁଳ ପରିମାଣରେ ଆର୍ଥିକ ବିନିଯୋଗ କରିଛନ୍ତି। ଅନେକ ପ୍ରଫେଶନାଲ୍ ଏବେ କାନାଡା କିମ୍ବା ଇଉରୋପରେ ଆମେରିକାର ବିକଳ୍ପ ଖୋଜୁଛନ୍ତି। ଯାହା ଅମେରିକାର ଟେକ୍ ଟ୍ୟାଲେଣ୍ଟ୍କୁ ଅନେକ ଶତାଂଶରେ କମାଇଦେବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।