କୁଆଲାଲମ୍ପୁର,୨୭/୧୦: ମାଲେସିଆରେ ଚାଲିଛି ସିଆନ୍‌ ଶିଖର ସମ୍ମିଳନୀ। ଏଥିରେ ସାମିଲ ହେବାକୁ ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରବିବାର ମାଲେସିଆରେ ଆସି ପହଞ୍ଚିଥିଲେ । ତାଙ୍କୁ ସ୍ୱାଗତ ପାଇଁ ରେଡ୍‌ କାର୍ପେଟ୍‌ ବିଛାଯାଇଥିଲା ।  କଳାକାରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ ।  ଏହି ସମୟରେ ରେଡ୍‌ କାର୍ପେଟ୍‌ରେ ସ୍ଥାନୀୟ  କଳାକାରଙ୍କ ସହ ନୃତ୍ୟ କରିଥିଲେ ରାଷ୍ଟ୍ରପତି  ଟ୍ରମ୍ପ୍‌ । ଏହାଛଡ଼ା କୁଆଲାଲମ୍ପୁରରେ ଟ୍ରମ୍ପ୍‌ଙ୍କ  ଉପସ୍ଥିତିରେ ଥାଇଲାଣ୍ଡ ଓ କମ୍ବୋଡିଆ  ସାମରିକ ସଙ୍ଘର୍ଷ ଶେଷ କରିବା ଲାଗି ଶାନ୍ତି  ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ଟ୍ରମ୍ପ୍‌  କହିଥିଲେ, ଯାହାକୁ ଲୋକେ ଅସମ୍ଭବ ଭାବୁଥିଲେ  ମୁଁ ତାହାକୁ ସମ୍ଭବ କରି ଦେଖାଇଛି । ଥାଇଲାଣ୍ଡ  ଓ କମ୍ବୋଡିଆ ମଧ୍ୟରେ ଏକ ମନ୍ଦିର ବିବାଦକୁ  କେନ୍ଦ୍ରକରି ୫ ଦିନ ଧରି ଯୁଦ୍ଧ ହୋଇଥିଲା ।  ଏଥିରେ ୪୮ ଲୋକଙ୍କ ମୃତ୍ୟୁ ଘଟିଥିଲା ।  ଏହାକୁ ଶେଷ କରିବାରେ ଟ୍ରମ୍ପ୍‌ଙ୍କର ବଡ଼ ଭୂମିକା  ରହିଥିଲା । ଟ୍ରମ୍ପ୍‌  କୁଆଲାଲମ୍ପୁରରେ ପହଞ୍ଚିବା  ପରେ ତାଙ୍କୁ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର  ଇବ୍ରାହିମ୍‌ ସ୍ୱାଗତ କରିଥିଲେ । ସେ ଆସିଆନ୍‌ ଶିଖର ସମ୍ମିଳନୀରେ ସାମିଲ ହେବାକୁ ମାଲେସିଆ  ଆସିଛନ୍ତି । ଟ୍ରମ୍ପ୍‌ ୨୦୧୭ ପରେ ପ୍ରଥମ ଥର  ପାଇଁ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ଇବ୍ରାହିମ୍‌ଙ୍କ  ସହ ସେ ଦ୍ୱିପାକ୍ଷିକ ବୈଠକ କରିବେ।