ୱାଶିଂଟନ: ଆମେରିକୀୟ ଟ୍ରେଜରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟ୍ ଓ ଟ୍ରେଡ୍ ରିପ୍ରେଜେଣ୍ଟେଟିଭ୍ ଆମ୍ବାସାଡର୍ ଜେମିସନ୍ ଗ୍ରିର୍ ମଙ୍ଗଳବାର ଜି-୭ ଅର୍ଥମନ୍ତ୍ରୀମାନଙ୍କ ସହ ଏକ କନ୍ଫରେନ୍ସ୍ କଲ୍ରେ ରୁଷ୍ରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଟାରିଫ୍ ଲଗାଇବାକୁ କଥାବର୍ତ୍ତା କରିଛନ୍ତି। ଯାହାହ୍ୱାରା ମସ୍କୋ ଯୁକ୍ରେନ୍ ଯୁଦ୍ଧ ପାଇଁ ଅର୍ଥନୈତିକ ସହାୟତା ପାଇବାରିବ ନାହିଁ ବୋଲି ସେମାନେ ମତ୍ତ ରଖିଛନ୍ତି।
କାନାଡାର ଅର୍ଥମନ୍ତ୍ରୀ ଫ୍ରାନ୍ସୱା-ଫିଲିପ୍ ସାମ୍ପେନ୍ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜି-୭ ଦେଶଗୁଡ଼ିକ ଯଥା ୟୁଏସ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ଇଂଲଣ୍ଡ ରୁଷ ଉପରେ ଅର୍ଥନୈତିକ ଚାପ ବଢ଼ାଇବା ପାଇଁ ଆଲୋଚନା କରିଛନ୍ତି। ୟୁଏସ ଟ୍ରେଜରୀ ବିଭାଗ କହିଛି ଯେ, ରୁଷକୁ ଅର୍ଥ ଯୋଗାଣ ବନ୍ଦ ନ ହେବା ପର୍ଯ୍ୟନ୍ତ ଯୁକ୍ରେନ୍ ଯୁଦ୍ଧ ଜାରି ରହିଥିବ। ଯୁଦ୍ଧ ବନ୍ଦ କରିବାକୁ ପଡିଲେ ଅର୍ଥ ଯୋଗାଣ ମଧ୍ୟ ବନ୍ଦ କରିବାକୁ ପଡିବ।
ଆମେରିକା ପୂର୍ବରୁ ଭାରତୀୟ ପଣ୍ୟ ଉପରେ ପଚାଶ ପ୍ରତିଶତ ଟାରିଫ୍ ଲଗାଇଛି। ଯେଉଁଥିରେ ରୁଷରୁ କ୍ରୁଡ୍ ତେଲ କିଣିବା ପାଇଁ ପଚିଶ ପ୍ରତିଶତ ଅତିରିକ୍ତ ଡ୍ୟୁଟି ମଧ୍ୟ ରହିଛି। ଭାରତ ଏହାକୁ ଅନ୍ୟାୟ ବୋଲି କହିବା ସହ, ଏହି ତେଲ କିଣା ଜାତୀୟ ସ୍ୱାର୍ଥ ଓ ବଜାର ଆଧାରିତ ବୋଲି କହିଛି। ରାଷ୍ଟ୍ରପତି ଟ୍ରମ୍ପ୍ ଫକ୍ସ୍ ଆଣ୍ଡ୍ ଫ୍ରେଣ୍ଡସକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ଏହି ଟାରିଫ୍ ଭାରତର ରୁଷ୍ ତେଲ କିଣାକୁ ରୋକିବା ପାଇଁ ଜାରି କରାଯାଇଛି।
ଆମେରିକାର ଟାରିଫ୍ ବମ୍ ପରେ ଭାରତ ସହ ବାଣିଜ୍ୟ ସମ୍ପର୍କ ଉପରେ ବହୁ ଚାପ ପଡ଼ିଛି। ଯାହାଦ୍ୱାରା ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଆଲୋଚନାରେ ବିଳମ୍ବ ହେଉଛି। ତେବେ ଏନେଇ ବିଶେଷଜ୍ଞମାନେ ମତ୍ତ ରଖି କହିଛନ୍ତି ଯେ, ଜି-୭ ଦେଶମାନେ ଟାରିଫ୍ ଲଗାଇଲେ ଭାରତର ଅର୍ଥନୀତି ଉପରେ ଅଧିକ ପ୍ରଭାବ ପଡ଼ିବ। ଏହାସହ ଚୀନ ଭଳି ରୁଷ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିପାରେ, ଯାହା ବିଶ୍ୱ ତେଲ ବଜାରକୁ ପ୍ରଭାବିତ କରିବ।