ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ମାଷ୍ଟର ଷ୍ଟ୍ରୋକ । ଆମେରିକା ସରକାରଙ୍କ ନୂଆ ନିୟମ, ଚିନ୍ତାରେ H-1B ଭିସା ଧାରୀ। ଶୁକ୍ରବାର ଟ୍ରମ୍ପ ଜାରି କରିଥିବା ନୂଆ ନିୟମ ଅନୁସାରେ, ଏଣିକି ଆମେରିକାରେ H-1B ଅଧିନରେ କାର୍ଯ୍ୟକରୁଥିବା କର୍ମଜୀବୀ ଓ ଏହି ଭିସା ପାଇଥିବା ଲୋକମାନଙ୍କ ନିଯୁକ୍ତିଦାତା ଆମେରିକା ସରକାରଙ୍କୁ ବାର୍ଷିକ ୧ ଲକ୍ଷ ଡଲାର(୮୮ ଲକ୍ଷ ଟଙ୍କା) ଦେୟ ଜମା କରିବାକୁ ପଡିବ। ନଚେତ ଆସନ୍ତା ରବିବାର ପରଠୁ ସେମାନଙ୍କ ପ୍ରବେଶ ଉପରେ ଆମେରିକା ସରକାର ରହିତାଦେଶ ଲଗାଇବେ।

ନୂଆ ନିୟମ ମୁତାବକ, ଆସନ୍ତା ରବିବାର(ସେପ୍ଟେମ୍ୱର ୨୧) ମଧ୍ୟ ରତ୍ର ୧୨ଟା ରୁ ଏହି ନିୟମ ଲାଗୁ ହେବ। ଏହା ସହ ଏହି ନୂଆ ନିୟମର ଘୋଷଣାପତ୍ରରେ ମଧ୍ୟ ଅଜବ ଦାବି ରହିଛି। ଯେଉଁଥିରେ ଲେଖାଯାଇଛି ଯେ ହୋମଲାଣ୍ଡ ସିକ୍ୟୁରିଟି ବିଭାଗ କୌଣସି ବିଦେଶୀ ନାଗରିକ ଅଥବା ନିର୍ଦ୍ଦିଷ୍ଟ କମ୍ପାନୀ କିମ୍ୱା ଶିଳ୍ପରେ କାମ କରୁଥିବା ବିଦେଶୀ ନାଗରିକଙ୍କ ପାଇଁ ଏହି ରହିତାଦେଶକୁ ରଦ୍ଧ କରିପାରିବ। H-1B ନିଯୁକ୍ତି ଜାତୀୟ ସ୍ୱାର୍ଥ ଏବଂ ଆମେରିକୀୟ ସୁରକ୍ଷା କିମ୍ବା କଲ୍ୟାଣ ପାଇଁ ବିପଦ ସୃଷ୍ଟି କରୁନଥିଲେ ଏଜେନ୍ସି ନିଜ ବିବେକ ଅନୁଯାୟୀ ଏହି ନିଷ୍ପତ୍ତି ଗ୍ରହଣ କରିପାରିବ।"

ଏହି ରହିତାଦେଶ ୧୨ ମାସ ପାଇଁ ବୈଧ ରହିବ କିନ୍ତୁ ଫେଡେରାଲ ଇମିଗ୍ରେସନ ଏଜେନ୍ସିଗୁଡ଼ିକର ସୁପାରିଶ କ୍ରମେ ଏହାକୁ ବୃଦ୍ଧି ମଧ୍ୟ କରାଯାଇପାରେ। ଏହାଛଡା ଯେଉଁମାନଙ୍କ ପାଇଁ ୨୦୨୭ ଆର୍ଥିକ ବର୍ଷ ପାଇଁ H-1B କ୍ୟାପ୍ ଆବେଦନ ମଞ୍ଜୁର ହୋଇଛି ସେମାନଙ୍କ ଉପରେ ମଧ୍ୟ ଏହି ନିୟମ ଲାଗୁ ହେବ।

ଟ୍ରମ୍ପ ପ୍ରଶାସନ କହିଛି ଯେ ଏହି H-1B କର୍ମଚାରୀ ଭିସା ପାଇଁ ପ୍ରତିବର୍ଷ କମ୍ପାନୀଗୁଡ଼ିକୁ ୧ ଲକ୍ଷ ଆମେରିକୀୟ ଡଲାର ଦେବାକୁ ପଡିବ। ଯାହା ଫଳରେ କିଛି ବଡ଼ ଟେକ୍ କମ୍ପାନୀ ଏହି ଭିସା ଧାରକଙ୍କୁ ଆମେରିକାରେ ରହିବାକୁ କିମ୍ବା ଶୀଘ୍ର ସ୍ୱଦେଶ ଫେରିଯିବାକୁ ଚେତାବନୀ ଦେଇଛନ୍ତି। H1-B କାର୍ଯ୍ୟକ୍ରମର ଅପବ୍ୟବହାର ଯାଞ୍ଚ କରିବା ପାଇଁ ଏହି ବାର୍ଷିକ ଦେୟ ରାଶି ଘୋଷଣା କରାଯାଇଛି ବୋଲି ଆମେରିକା ସରକାର ସୂଚନା ଦେଇଛନ୍ତି।

ଟ୍ରମ୍ପଙ୍କ ଏହି ନୂଆ ଘୋଷଣା ଫଳରେ ବିଦେଶୀ ନାଗରିକମାନଙ୍କୁ ନିଯୁକ୍ତି ଦେଉଥିବା କମ୍ପାନୀ ଗୁଡିକ ବର୍ତ୍ତମାନ ଆମେରିକା ସରକାରଙ୍କୁ ସିଧାସଳଖ ୧ ଲକ୍ଷ ଆମେରିକୀୟ ଡଲାର ଦେବାକୁ ପଡିବ। ତେବେ ପୂର୍ବ ନିୟମ ଅନୁସାରେ ଏହି ରାଶି ବର୍ଷିକ ମାତ୍ର ୧୫୦୦ ଡଲାର ରହିଥିଲା।

ଆମେରିକୀୟ ନାଗରିକ ଓ ପ୍ରବାସି ସେବା(ୟୁଏସସିଆଇଏସ୍)ର ତଥ୍ଯ ଅନୁସାରେ ଗତ ଅକ୍ଟୋବର ୨୦୨୨ ମସିହାରୁ ସେପ୍ଟେମ୍ୱର ୨୦୨୩ ମସିହା ମଧ୍ୟରେ ୪ ଲକ୍ଷ H1-B ଭିସା ପ୍ରଦାନ କରାଯାଇଛି। ଯେଉଁଥିରୁ ୭୨ ପ୍ରତିଶତ ଭିସା କେବଳ ଭାରତୀୟମାନଙ୍କ ପାଇଁ ଜାରି କରାଯାଇଛି।

ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ କହିଛନ୍ତି ଯେ ଏହି ଭିସାର ଅବଧି ତିନି ବର୍ଷ ପାଇଁ ରହିଛି। ଯେଉଁଠି ପ୍ରତିବର୍ଷ ୧ ଲକ୍ଷ ଆମେରିକୀୟ ଡଲାର ଖର୍ଚ୍ଚ ହେବ। ତେବେ ଏହି ଘୋଷଣା ଉପରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ବିଚାର ବିମର୍ଷ ଜାରି ରହିଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।

ନ୍ୟୁୟର୍କରେ କାର୍ଯ୍ୟ କରୁଥିବା ଇମିଗ୍ରେସନ ଆଟର୍ନି ସାଇରସ ମେହେଟା କହିଛନ୍ତି ଯେ ଭାରତରେ ଥିବା H-1B ଭିସା ଧାରକମାନେ ନିଜର ସମୟସୀମା ହରାଇ ସାରିଛନ୍ତି। କାରଣ ଭାରତରୁ ଆମେରିକାକୁ ଥିବା ସିଧାସଳଖ ଉଡାଣ ଭରୁଥିବା ବିମାନ ଠିକ୍ ସମୟରେ ସେମାନଙ୍କୁ ଆମେରିକାରେ ପହଞ୍ଚାଇ ପାରିବ ନାହିଁ।