ନୂଆଦିଲ୍ଲୀ: ରବିବାର ଉତ୍ତର-ପଶ୍ଚିମ ତୁର୍କୀରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଥିଲା ବୋଲି ଜଣାପଡିଛି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ଏନେଇ ତୁର୍କର ଜରୁରୀକାଳୀନ ସେବା ବିଭାଗ ସୂଚନା ଦେଇ କହିଛି ଯେ ଏହି ଘଟଣାରେ କୌଣସି ମୃତାହତ ରିପୋର୍ଟ ସାମ୍ନାକୁ ଆସିନାହିଁ।
ତୁର୍କର ଜରୁରୀକାଳୀନ ସଂସ୍ଥା AFAD କହିଛି ଯେ ୫.୪ ତୀବ୍ରତାର ଏହି ଭୂମିକମ୍ପ କୁଟାହ୍ୟା ପ୍ରଦେଶର ସିମାଭ ସହରରେ ଆଠ କିଲୋମିଟର ଗଭୀରତାରେ କେନ୍ଦ୍ରିତ ଥିଲା। ଏହି ଭୂମିକମ୍ପ ସ୍ଥାନିୟ ସମୟ ଅପରାହ୍ନ ୧୨ଟା ୫୯ରେ ଅନୁଭୂତ ହୋଇଥିଲା ଏବଂ ଏହା ପରେ ଆଉ ଏକ ୪.୦ ତୀବ୍ରତାର ଭୂମିକମ୍ପ ମଧ୍ୟ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତୁର୍କୀର ସବୁଠାରୁ ବଡ଼ ସହର ଇସ୍ତାନବୁଲରେ ମଧ୍ୟ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହା ଏହି ଭୂକମ୍ପ କେନ୍ଦ୍ରଠୁ ପ୍ରାୟ ୧୦୦ କିଲୋମିଟର ଉତ୍ତରରେ ଅବସ୍ଥିତ ରହିଛି।
ଭାଇରାଲ ଟିଭି ଫୁଟେଜରେ ଦେଖାଯାଇଛି ଯେ ଭୂମିକମ୍ପ ପରେ କୁଟାହାୟାର ଲୋକମାନେ ଘରୁ ବାହାପିଆସି ପାର୍କ ଏବଂ ଛକରେ ଏକାଠି ହୋଇଥିଲେ। ଅଗଷ୍ଟ ମାସରେ, ନିକଟସ୍ଥ ବାଲିକେସିର ପ୍ରଦେଶର ସିନ୍ଦିର୍ଗି ଅଞ୍ଚଳରେ ୬.୧ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ଦଶରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଅଞ୍ଚଳରେ କିଛି ଦିନ ହେବ ବାରମ୍ବାର ଭୂମିକମ୍ପ ଅନୁଭବ ହୋଇଆସୁଛି।
ଆପଣଙ୍କୁ ଜଣାଇରଖୁ ଯେ, ତୁର୍କି ପ୍ରମୁଖ ଭୂକମ୍ପୀୟ ଫଲ୍ଟ ରେଖାରେ ଅବସ୍ଥିତ ଏବଂ ଏହି ଅଞ୍ଚଳରେ ପ୍ରାୟତଃ ଭୂମିକମ୍ପ ଦ୍ୱାରା ପ୍ରଭାବିତ ହୁଏ। ୨୦୨୩ ମସିହାରେ, ୭.୮ ତୀବ୍ରତାର ଏକ ଭୂମିକମ୍ପ ତୁର୍କରେ ଭୟଙ୍କର ବିନାଶ ଆଣିଥିଲା। ଯେଉଁଥିରେ ୫୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ଦେଶର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ପ୍ରଦେଶରେ ଲକ୍ଷ ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଥିଲା। ଏହି ଭୂକମ୍ପ ଏତେ ଭୟଙ୍କର ଥିଲା ଯେ ଏହାର ପ୍ରଭାବରେ ପଡ଼ୋଶୀ ଉତ୍ତର ସିରିଆରେ ମଧ୍ୟ ୬ ହଜାର ଲୋକ ପ୍ରାଣ ହରାଇଥିଲେ।