ବାରଙ୍ଗ,୧୪/୦୬ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନରେ ରହୁଥିବା ଦୁଇଟି ଆନାକୋଣ୍ଡା ମା’ହେବାକୁ ଯାଉଛନ୍ତି । ଶୁକ୍ରବାର ସେମାନଙ୍କୁ ପ୍ରାଣୀ ଚିକିତ୍ସାଳୟ  ଅଣାଯାଇ ଏ-କ୍ସରେ କରାଯିବା ପରେ ପେଟରେ ଛୁଆ ଥିବା ଜଣାପଡ଼ିଥିଲା । 

୨୦୨୨ ଜୁଲାଇ ମାସରେ ପ୍ରାଣୀ ଉଦ୍ୟାନରେ  ପ୍ରଥମେ ଗୋଟିଏ ଆନାକୋଣ୍ଡା ୯ଟି ଛୁଆ ଜନ୍ମ ଦେଇଥିଲା । ଯାହା ନନ୍ଦନକାନନ ଇତିହାସରେ ପ୍ରଥମ । ପୁଣି ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ଦୁଇଟି ଆନାକୋଣ୍ଡା ଏକସଙ୍ଗରେ  ମା’ ହୋଇଥିବା ଜଣାପଡ଼ିଛି । ଜୁଲାଇ ଦ୍ୱିତୀୟ ସପ୍ତାହରେ ସେମାନେ ଶାବକ ଜନ୍ମ ଦେବେ ବୋଲି ଅନୁମାନ କରାଯାଉଛି । 

ଗତ ଫେବ୍ରୁଆରୀ ଶେଷ ସପ୍ତାହରେ ସେମାନଙ୍କ ମଧ୍ୟରେ ମିଳନ ହୋଇଥିବା ଅନୁମାନ କରାଯାଉଛି । ଫେବ୍ରୁଆରୀ ମାସରୁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ କର୍ମଚାରୀ ଓ ଚିକିତ୍ସକ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ତାଙ୍କ ଉପରେ  ନଜର ରଖିଛନ୍ତି । ୨୦୧୯ ନଭେମ୍ବର ମାସରେ ମାଡ୍ରାସର  କ୍ରୋକୋଡ଼ାଇଲ ଟ୍ରଷ୍ଟରୁ ୮ଟି ଆନାକୋଣ୍ଡା ଅଣାଯାଇଥିଲା ।  ଜନ୍ମ ଓ ମୃତ୍ୟୁ ପରେ ଏବେ ପ୍ରାଣୀ ଉଦ୍ୟାନରେ ୭ଟି  ଆନାକୋଣ୍ଡା ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ଟି ଅଣ୍ଡିରା, ୨ଟି  ମାଈ ଓ ୩ଟି ଶାବକର ଲିଙ୍ଗ ନିରୁପଣ ହୋଇପାରିନାହିଁ ।