ନୂଆଦିଲ୍ଲୀ, ୧୫/୦୯: ତେଲ କିଣାକୁ  ନେଇ ଭାରତକୁ ପୁଣି ଥରେ ଆମେରିକା ନାଲିଆଖି ଦେଖାଇଛି । ଆମେରିକା କୃଷି ସାମଗ୍ରୀର ଭାରତ ବଜାର ପ୍ରବେଶ ସୁଯୋଗ ଅଭାବକୁ ନେଇ ଏବେ ଟାର୍ଗେଟ କରିଛନ୍ତି ବାଣିଜ୍ୟ  ସଚିବ ହୋୱାର୍ଡ ଲୁଟ୍‌ନିକ । ଲୁଟ୍‌ନିକ କହିଛନ୍ତି  ଯେ, ୧୪୦ କୋଟି ଜନସଂଖ୍ୟା ଥିବା ସତ୍ତେ୍ୱ  ଭାରତ ଆମେରିକାର କିଞ୍ଚିତ ପରିମାଣର ମକା କିଣୁନାହିଁ । ଭାରତ ଆମେରିକା ମକା କିଣିବ ନ ହେଲେ ଉଚ୍ଚ ପରିମାଣର ଟାରିଫ୍‌ ସାମ୍ନା କରିବ ।

ଭାରତ, କାନାଡା, ବ୍ରାଜିଲ୍‌ ଭଳି ଦେଶ  ଆମେରିକାକୁ ସାମଗ୍ରୀ ବିକି ବେଶ ଫାଇଦା କମାଉଛନ୍ତି । ଆମେ ସେମାନଙ୍କୁ ବଜାର ଖୋଲା  କରିଛୁ । ମାତ୍ର ନିଜ ଦେଶରେ ସେମାନେ ଆମେରିକା ସାମଗ୍ରୀକୁ ପୁରାଇ ଦେଉନାହାନ୍ତି  ବୋଲି ଲୁଟନିକ ଅଭିଯୋଗ କରିଛନ୍ତି ।  ଟାରିଫ୍‌ ଲଦି ଆମେରିକା ବଡ଼ କ୍ଷତି ସହିବ  ବୋଲି ଏକ ପ୍ରଶ୍ନର ଉତ୍ତରରେ ଲୁଟ୍‌ନିକ କହିଲେ,  ଆମେ ବହୁତ ଅର୍ଥ ଖର୍ଚ୍ଚ କରୁଛୁ । ଗୋଟିଏ ପଟେ  ଆମକୁ ସେମାନେ ବହୁତ କିଛି ସାମଗ୍ରୀ ବିକୁଛନ୍ତି ମାତ୍ର ଆମେରିକା ସାମଗ୍ରୀ ଏତେଟା କିଣୁନାହାନ୍ତି ।  ଭାରତ ୧୪୦ କୋଟି ଲୋକଙ୍କ ଦେଶ ବୋଲି  ନିଜକୁ କହୁଛି, ମାତ୍ର କିଛି ପରିମାଣର ମକା  ନେବାକୁ ସକ୍ଷମତା ଦେଖାଉନି ।  

ଯାହା ବି କିଣୁଛନ୍ତି ସେଥିରେ ବଡ଼  ପରିମାଣର ଟାରିଫ୍‌ ମଧ୍ୟ ଲାଗୁ କରୁଛନ୍ତି । ଏହି  ଟାରିଫ୍‌ କମାଇବାକୁ ରାଷ୍ଟ୍ରପତି ଟ୍ରମ୍ପ ଦେଶ  ଗୁଡ଼ିକୁ କହିଥିଲେ । ଆମେରିକା ପ୍ରଦାନ କରୁଥିବା  ବଜାର ସୁବିଧା ଅନ୍ୟ ଦେଶ ଦିଅନ୍ତୁ ବୋଲି  କୁହାଯାଇଥିଲା । ମାତ୍ର ଦେଶ ଗୁଡ଼ିକ ଏହା ମାନି  ନ ଥିଲେ । ଫଳରେ ସବୁ କିଛି ଠିକ୍‌ ନ ହେବା  ଯାଏ ଟାରିଫ୍‌ ଲଗାଯାଇଛି । ଏହାକୁ ଦେଶ ଗୁଡ଼ିକ  ଗ୍ରହଣ ନ କଲେ ଆମେରିକା ସହ କାରବାରରେ  ଚ୍ୟାଲେଞ୍ଜ ସାମ୍ନା କରିବେ । ଏହା ରାଷ୍ଟ୍ରପତି ଟ୍ରମ୍ପଙ୍କ  ମଡେଲ୍‌ ବୋଲି ଲୁଟ୍‌ନିକ ଉଲ୍ଲେଖ କରିଛନ୍ତି ।

ଟ୍ରମ୍ପଙ୍କ ଟାରିଫ ବୋମା ପରେ ବିଭିନ୍ନ  ଦେଶ ଏବେ ଆମେରିକା ସହ ବାଣିଜ୍ୟ ଚୁକ୍ତି  କରୁଛନ୍ତି । ତେବେ ଭାରତ ଏବଂ ଆମେରିକା  ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଏଯାଏ ସ୍ୱାକ୍ଷରିତ  ହୋଇପାରିନି । ଆମେରିକା କୃଷିଜାତ ସାମଗ୍ରୀ  ଏବଂ ଦୁଗ୍ଧଜାତୀୟ ଉତ୍ପାଦକୁ ଘରୋଇ  ବଜାରରେ ପ୍ରବେଶ ନେଇ ଭାରତ ସହମତ  ହେଉନାହିଁ । ଫଳରେ ଉଭୟ ଦେଶ ମଧ୍ୟରେ  ବାଣିଜ୍ୟ ଚୁକ୍ତିରେ ଏହା ବାଧକ ସାଜିଛି ।  

ରୁଷ ତେଲ କିଣା ବାଦ୍‌ ଏଭଳି ଗୁରୁତ୍ୱପୂର୍ଣ୍ଣ  ପ୍ରସଙ୍ଗ ଭାରତ ଉପରେ ଉଚ୍ଚ ପରିମାଣର ଟାରିଫ୍‌ ଲାଗି ଦାୟୀ ବୋଲି ଲୁଟ୍‌ନିକ  ଦୋହରାଇଛନ୍ତି । କୃଷି ଓ ଦୁଗ୍ଧଜାତୀୟ ସାମଗ୍ରୀ  କ୍ଷେତ୍ରରେ ଆମେରିକାର ପ୍ରବେଶ ହେଲେ ଦେଶର  ଏହି କ୍ଷେତ୍ର ବଡ଼ ମାତ୍ରାରେ କ୍ଷତିଗ୍ରସ୍ତ ହେବ ବୋଲି  କେନ୍ଦ୍ର ସରକାର ଆଶଙ୍କା କରୁଛନ୍ତି । ଫଳରେ ଏ  କ୍ଷେତ୍ରରେ ଆମେରିକାର ପ୍ରବେଶ ଚାହୁଁନି ଭାରତ । ତେବେ ଏ ନେଇ ଆମେରିକା ଜିଦ୍ଦିରେ ରହିଛି ।

ଅନ୍ୟପଟେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା  ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ମଧ୍ୟ  ରୁଷ ତେଲ କିଣୁଥିବା ଦେଶ ଗୁଡ଼ିକୁ ଟାର୍ଗେଟ  କରୁଛନ୍ତି । ରୁଷ ତେଲ କିଣାକୁ ନେଇ ଭାରତକୁ ଆମେରିକା ବାରମ୍ବାର ନାଲିଆଖି ଦେଖାଉଛି । ଏହି  ତେଲ କିଣି ଯୁଦ୍ଧରେ ରୁଷକୁ ସମର୍ଥନ କରୁଥିବା  ଟ୍ରମ୍ପଙ୍କ ସମେତ ତାଙ୍କ ସହଯୋଗୀ ମାନେ ଭାରତକୁ  ସମାଲୋଚନା କରୁଛନ୍ତି ।  

ପୂର୍ବରୁ ବାଣିଜ୍ୟିକ ଘାଟା ଦର୍ଶାଇ ଭାରତ  ଉପରେ ୨୫% ଟାରିଫ ଲାଗିଥିଲା । ମାତ୍ର ରୁଷ  ତେଲ କ୍ରୟକୁ ନେଇ ଅତିରିକ୍ତ ୨୫% ଟାରିଫ  ଲଗାଇଛି ଆମେରିକା । ଫଳରେ ଭାରତ ଉପରେ ମୋଟ ୫୦% ଟାରିଫ ଲାଗିଛି । ଏହା ଦ୍ୱାରା  ଆମେରିକାରକୁ ଭାରତର ରପ୍ତାନି ବଡ଼ ମାତ୍ରାରେ  ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ।  ଦେଶର ସ୍ୱାର୍ଥ ଏବଂ ଇନ୍ଧନ ସୁରକ୍ଷା ଲାଗି ରୁଷ  ତେଲ କିଣାଯାଉଛି ବୋଲି କହୁଛି ଭାରତ ।  ସେହିଭଳି ଚୀନ ଭଳି ଦେଶ ଉପରେ ୧୦୦%  ଟାରିଫ ଧମକ ଦେଇଛନ୍ତି ଟ୍ରମ୍ପ । ରୁଷ ତେଲ  କିଣା ବନ୍ଦ କରିବା ଲାଗି ନାଟୋ ଦେଶ ସମୂହକୁ ମଧ୍ୟ କହିଛନ୍ତି ଟ୍ରମ୍ପ।