ଭୁବନେଶ୍ୱର,୨୫/୧୦: ବାତ୍ୟାକୁ ନେଇ ବିଦେଶୀ ପାଣିପାଗ ମଡେଲ୍‌ ଜିଏଫ୍‌ଏସ୍‌ ଦେଖାଇଛି ଭିନ୍ନ ଚିତ୍ର । ଏହି ମଡେଲ୍‌ ଅନୁସାରେ ଆସନ୍ତା ୩୦ ତାରିଖରେ ଓଡ଼ିଶା ଉପକୂଳରେ ଆଉ ଏକ ବାତ୍ୟା ମାଡ଼ ହୋଇପାରେ । ସମାନ ତାରିଖରେ ଆରବ ସାଗରରେ ଆଉ ଏକ ବାତ୍ୟା ମହାରାଷ୍ଟ୍ର-ଗୁଜରାଟ ଉପକୂଳ ଛୁଇଁପାରେ ।

ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟାରେ ଜିଏଫ୍‌ଏସ୍‌ ମଡେଲ୍‌ର ନୂଆ ଅପଡେଟରେ ଏଭଳି ପୂର୍ବାନୁମାନ ଦେଖିବାକୁ ମିଳିଛି । ଜିଏଫ୍‌ଏସ୍‌ ମଡେଲ୍‌ ଅନୁସାରେ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା ୨୭ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇ ତ୍ୱରିତ ବେଗରେ ଘନୀଭୂତ ହେବା ଆଶଙ୍କା ଅଛି । ଜିଏଫଏସ୍‌ ଆକଳନ କରିଛ, ଏହା ବାତ୍ୟା ରୂପ ନେବା ସହ ୩୦ ତାରିଖରେଓଡ଼ିଶା ଉପକୂଳ ସ୍ଥଳଭାଗରେ ପ୍ରବେଶ କରିପାରେ । ଅବଶ୍ୟ ଅନ୍ୟ କୌଣସି ପାଣିପାଗ ମଡେଲ୍‌ ଏଯାବତ୍‌ ଏଭଳି ପୂର୍ବାନୁମାନ ଦେଖାଇ ନାହାନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ମଧ୍ୟ ଏହି ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ ଜାରି କରାଯାଇନାହିଁ ।