ବ୍ରହ୍ମଗିରି, ୮I୧୦- କିସ୍ତି ଦେଇ ନ ଥିବାରୁ ଫାଇନାନ୍ସ କର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣରେ ମାମୁଁ-ଭଣଜା ଗୁରୁତର। ବ୍ରହ୍ମଗିରି ଥାନା ଅଧୀନ କେରାଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗେଟ ନିକଟରେ ଏଭଳି ଘଟଣା ଘଟିଛି। ଗୁରୁତର ମାମୁଁ-ଭଣଜା ହେଲେ ଗୋଲରା ଜଗନ୍ନାଥପୁର ଅଂଚଳର ଅଜୀବ ଜେନା ଓ ପୂର୍ଣ୍ଣ ଜେନା। ଗୁରୁତର ଅବସ୍ଥାରେ ମାମୁଁ-ଭଣଜାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗୋଲରା ଜଗନ୍ନାଥପୁର ଅଂଚଳର ଅଜୀବ ଜେନା ତାଙ୍କ ଭଣଜାଙ୍କ ସହିତ ଏକ ସ୍କୁଟିରେ ନିଜ ପୁଅକୁ ଡାକ୍ତରଖାନା ନେଇକି ଯାଉଥିଲେ।ଏହି ସମୟରେ ହାତିଆ ଛକ ନିକଟରେ ଫାଇନାନ୍ସ କର୍ମଚାରୀ ତାଙ୍କୁ ଅଟକାଇ ଥିଲେ। ଗାଡି କିସ୍ତି ଖିଲାପ ଥିବା କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଯିବାରୁ ପାଟିତୁଣ୍ଡ ବନ୍ଦ ହୋଇଥିଲା । ସେଠାରୁ ଅଜୀବ ଡାକ୍ତରଖାନା ପଳାଇ ଯାଇଥିଲେ।
କିନ୍ତୁ ଫାଇନାନ୍ସ କର୍ମଚାରୀ ତାଙ୍କ ପିଛା ଛାଡି ନଥିଲେ। କେରାଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗେଟ ନିକଟରେ ପହଂଚି ପୁଣି ପାଟିତୁଣ୍ଡ କରିଥିଲେ। ଫାଇନାନ୍ସ କର୍ମଚାରୀ ରାଗରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ମାମୁଁ ଅଜୀବ ଜେନାଙ୍କ ଏବଂ ଭଣଜା ପୂର୍ଣ୍ଣ ଜେନାଙ୍କ ଗୁରୁତର ହୋଇଥିଲେ। ପ୍ରଥମେ ଉଭୟ ରେବଣା ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେବା ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି I ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟି ଏବଂ ଫାଇନାନ୍ସ କର୍ମଚାରୀଙ୍କ ବାଇକକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ଫାଇନାନ୍ସ କର୍ମଚାରୀ ଚମ୍ପଟ ମାରିଛନ୍ତି।