କଟକରୋଡ଼୧୧/୦୯: ପାଖେଇଲାଣି ପାର୍ବଣ । କିଛିଦିନ ପରେ ଧରା ପୃଷ୍ଠରେ ବିରାଜିବେ ମା' ଜଗଦ୍ଧାତ୍ରୀ ।  ଏନେଇ ସ୍ମାର୍ଟସିଟି ପୂଜା ମଣ୍ଡପରେ ସବୁଠି ତତ୍ପରତା । ସଜେଇ ହେବେ ଦେବୀ ଦୁର୍ଗା। ଏହି ଦୌଡ଼ରେ ସାମିଲ ହୋଇଛି ସବୁ ସମୟରେ ଚର୍ଚ୍ଚାରେ ଥିବା ରସୁଲଗଡ଼  ଦୁର୍ଗାପୂଜା ପରିଚାଳନା କମିଟି ।  

ଚଳିତଥର ପୂଜା ୩୩  ବର୍ଷରେ ପହଞ୍ଚିଛି । ଏଥର ଉତ୍ତରାଖଣ୍ଡ ପାହାଡ଼ରେ  ଥିବା ଦେବୀଙ୍କ ମନ୍ଦିର ଆକୃତିର ଅବିକଳ ତୋରଣ ଏଠାରେ ନିର୍ମାଣ  ନେଇ ପୂଜା ପରିଚାଳନା  କମିଟି ମନସ୍ଥ କରିଛି । ୮୦ ଫୁଟ ଉଚ୍ଚ ଓ ୧୨୦ ଫୁଟ  ଓସାରର ଏହି ତୋରଣ ଫୋମ୍‌, ବାଉଁଶ ଓ କାଠରେ  ନିର୍ମିତ ହେବ । ସେଠାକାର କେତେକ ପ୍ରାକୃତିକ  ପରିବେଶ ସାଙ୍ଗକୁ ପର୍ବତ ତଳର ଧାନ  କ୍ଷେତ ମଣ୍ଡପ ପରିସରରେ ଶୋଭା ପାଇବ । ଯାହାକି ମୁଖ୍ୟ ଆକର୍ଷଣ ବୋଲି କର୍ମକର୍ତ୍ତା ଆଶା ବନ୍ଧିଛନ୍ତି ।  

ଚଳିତ ବର୍ଷ ପୂଜା ବଜେଟ ୭୦  ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା କମିଟି  ସୂଚନା ଦେଇଛି । ଆବାହନ ଦିନ ପଖୋଉଥବାରୁ ଦେବୀଙ୍କ ମୃଣ୍ମୟୀ  ମୂର୍ତ୍ତି ଓ  ତୋରଣ  ନିର୍ମାଣରେ ଶିଳ୍ପୀ ଓ କାରିଗର ନିମଗ୍ନ  ରହିଛନ୍ତି । ପଶ୍ଚିମବଙ୍ଗର ପ୍ରାୟ ୫୦ରୁ  ଊଦ୍ଧ୍ୱର୍ କାରିଗରଙ୍କୁ ତୋରଣ ତିଆରି  ଦାୟିତ୍ୱ ଦିଆଯାଇଛି । ଷଷ୍ଠୀ ତିଥିରୁ ନବମୀ  ମା’ଙ୍କ ନିକଟରେ ଅନ୍ନଭୋଗ ଲାଗିହେବ । ଦଶମୀରେ ଖେଚୁଡ଼ି ଓ ଦହିପଖାଳ ଭୋଗ  ବଣ୍ଟନ ବ୍ୟବସ୍ଥା ରହିଛି । ସପ୍ତମୀ ସଂନ୍ଧ୍ୟାରୁ ଦଶମୀ ରାତି  ନାମୀ କଳାକାର ସାଂସ୍କୃତିକ  କାର୍ଯ୍ୟକ୍ରମ ପରିବେଷଣ  କରିବେ । ୩୦ ସିସିଟିଭି  କ୍ୟାମେରା ନଜରରେ  ରହିବ ପୂଜା ପେଣ୍ଡାଲ ଓ  ଆଖପାଖ ସ୍ଥାନ ।  

ସେହିଭଳି  କମିସନରେଟ ପୁଲିସ ସହ ୩୦୦  ସ୍ୱେଚ୍ଛାସେବୀ ଓ ସୁରକ୍ଷାକର୍ମୀ ଦୁଇ ପର୍ଯ୍ୟାୟରେ ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ରହିବେ । ଗାଡ଼ିମୋଟର ପାର୍କିଂ ପାଇଁ ପୂର୍ବ ବର୍ଷ ଭଳି ଦୁଇ ପଡ଼ିଆ ଚିହ୍ନଟ ହୋଇଛି । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ହୁଇଲ ଚେୟାର ରଖାଯିବ । ଶିଶୁଙ୍କ ଆକର୍ଷଣ ପାଇଁ ମୀନା ବଜାର, ଦୋଳି  ବ୍ୟବସ୍ଥା ରହିଛି । ବିଭିନ୍ନ ପାରମ୍ପରିକ  ବାଦ୍ୟରେ ଭସାଣି ଉତ୍ସବ ଶେଷ  ହେବ ।