ଧର୍ମଶାଳା, ୨।୯(ସ୍ୱପ୍ର): ଧର୍ମଶାଳା ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ବିଶ୍ଵ ବିଜୟିନୀ ମିଶ୍ର ମଙ୍ଗଳବାର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ବିଡ଼ିଓ ଜ୍ୟୋତିର୍ମୟ କର ତାଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ। ବିଧାୟକଙ୍କ ବ୍ଲକ ପ୍ରତିନିଧି ଅଭିଷେକ ରାଉତ, ସବ୍ୟସାଚ୍ଚି ସୁନ୍ଦରରାୟ ଓ ତୀର୍ଥରାଜ ପଣ୍ଡା ଶ୍ରୀମତୀ ମିଶ୍ରଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ସରକାରଙ୍କ ଜନ କଲ୍ୟାଣ ଯୋଜନାରୁ ଆମ ବ୍ଲକର କୌଣସି ହିତାଧିକାରୀ ବଞ୍ଚିତ ହେବେ ନାହିଁ, ତା' ଉପରେ ଅଧିକ ଗୁରୁତ୍ବ ଦେବି। ବିଶେଷ କରି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ସମସ୍ତ ପଞ୍ଚାୟତ ଜନ ପ୍ରତିନିଧିମାନଙ୍କ ସହଯୋଗରେ ବ୍ଲକର ବିକାଶ ଧାରାକୁ ଆଗକୁ ନେବା ପାଇଁ ଚେଷ୍ଟା ରହିବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ଏଥି ପାଇଁ ବିଧାୟକ ଶ୍ରୀ ସାହୁଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
ସମିତି ସଭ୍ୟ ପ୍ରିୟବ୍ରତ ପ୍ରଧାନ ଓ ପବିତ୍ର ବେହେରା, ସରପଞ୍ଚ ସୁଦାମ ବେହେରା, ଫକୀର ଚରଣ ମିଶ୍ର, ସବ୍ୟସାଚୀ ଦାସ, ନିର୍ମଳ ଦାସ ଓ ସୁନାକର ବେହେରା, ବିଜେପି ନେବା ଶ୍ରୀବତ୍ସ ଧୀର, ପ୍ରଦୀପ ପରିଡ଼ା, ତପନ ମାହୁନ୍ତ, ତୁଷାର ରାୟ, ସ୍ବାଗତ ଦାସ, ରବୀନ୍ଦ୍ର ବରାଳ, ଯୁଗଳ କିଶୋର ଦାସ ପ୍ରମୁଖ ଅଧକ୍ଷ ଶ୍ରୀମତୀ ମିଶ୍ରଙ୍କୁ ଭେଟି ଶୁଭେଛା ଜଣାଇଥିଲେ।
ଶ୍ରୀମତୀ ମିଶ୍ର ୨୦୨୨ରେ ତାଳଜଙ୍ଗ ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ବିଜୟୀ ହୋଇ ବ୍ଲକ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ଏକ ରାଜନୈତିକ ପରିବାରରୁ ଶ୍ରୀମତୀ ମିଶ୍ର ଆସିଛନ୍ତି। ତାଙ୍କ ସ୍ଵାମୀ ତାପସ ପଣ୍ଡା ୨୦୦୨ରେ ସମିତି ସଭ୍ୟ, ୨୦୦୭ ଓ ୨୦୧୨ରେ କ୍ରମାଗତ ଦୁଇ ଥର ସରପଞ୍ଚ ଭାବରେ ବିଜୟୀ ହୋଇଥିଲେ। ସେହିପରି ଶ୍ରୀମତୀ ମିଶ୍ର ୨୦୧୭ରେ ସରପଞ୍ଚ ଓ ୨୦୨୨ରେ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ।
ସୂଚନା ଥାଉ କି, ଅଧ୍ୟକ୍ଷଙ୍କ ଇସ୍ତଫା ପରେ ଶ୍ରୀମତୀ ମିଶ୍ରଙ୍କୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ ନିମନ୍ତେ ଉପଜିଲ୍ଲାପାଳ ଚିଠି କରିଥିଲେ । ନୂତନ ଅଧ୍ୟକ୍ଷ ନିର୍ବାଚନ ନହେବା ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ଦାୟିତ୍ଵ ନିର୍ବାହ କରିବେ ବୋଲି ଚିଠିରେ ଦର୍ଶାଯାଇଥିଲା।