ନାଗପୁର,୦୧/୧୦: ରଣଜୀ ଟ୍ରଫି ଚାମ୍ପିଅନ ବିଦର୍ଭ ଓ ଅବଶିଷ୍ଟ ଭାରତ ଏକାଦଶ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ଇରାନୀ କପ୍ । ଏହି ମ୍ୟାଚ୍ ଜରିଆରେ ବହୁ ଉଦୀୟମାନ ତାରକା ଶ୍ରେଷ୍ଠ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ନିଦ ହଜାଇବାକୁ ଲକ୍ଷ୍ୟ ରଖିଛନ୍ତି । ଆଉ କିଛି ଖେଳାଳିଙ୍କ ଉପରେ ଚୟନକର୍ତ୍ତାଙ୍କ ନଜର ରହିଛି । ଅବଶିଷ୍ଟ ଭାରତ ଏକାଦଶ ଦଳରେ ରହିଛନ୍ତି ପେସ୍ ବୋଲର ଆକାଶ ଦୀପ, ଇଶାନ କିଷନ, ଋତୁରାଜ ଗାଏକୱାଡଙ୍କ ଭଳି ଖେଳାଳି । ଯେଉଁମାନେ ପୂର୍ବରୁ କୌଣସି ଏକ ଫର୍ମାଟରେ ଭାରତ ପକ୍ଷରୁ ଖେଳିସାରିଛନ୍ତି । ଆକାଶ ଦୀପ ଟେଷ୍ଟ ଦଳର ପ୍ରମୁଖ ସଦସ୍ୟ । ଇଂଲଣ୍ଡ ଗସ୍ତରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ ହେଁ ଆହତ ହୋଇଥିଲେ। ସେବେଠୁ ସେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍ ଖେଳି ନାହାନ୍ତି ।
ଇରାନୀ କପ୍ ଜରିଆରେ ତାଙ୍କ ଫିଟ୍ନେସ ପରୀକ୍ଷା ହେବ । ଗାଏକୱାଡ୍ ମଧ୍ୟ ଫିଟ୍ ହୋଇ ଫେରିଛନ୍ତି । ତାଙ୍କ ପ୍ରଦର୍ଶନ ଉପରେ ଚୟନକର୍ତ୍ତାଙ୍କ ନଜର ରହିବା ନିଶ୍ଚିତ । ସେ ଭାରତୀୟ ଟେଷ୍ଟ ଦଳର ଭବିଷ୍ୟତ । ଇଶାନ କିଷନ ମଧ୍ୟ କାଉଣ୍ଟି କ୍ରିକେଟ୍ରେ ଆହତ ହୋଇଥିଲେ । ସେ ଫିଟ୍ ହୋଇ ଏହି ମ୍ୟାଚ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଦଳର ନେତୃତ୍ୱ ନେଉଥିବା ରଜତ ପାତିଦାରଙ୍କ ଉପରେ ମଧ୍ୟ ଚୟନକର୍ତ୍ତାଙ୍କ ନଜର ରହିଛି । ଟେଷ୍ଟ ଦଳର ମଧ୍ୟ କ୍ରମ ବ୍ୟାଟିଂ ବିଭାଗକୁ ନେଇ ଏବେ ବି ପରୀକ୍ଷା ନିରୀକ୍ଷା ଚାଲିଛି । ପାତିଦାର ପୂର୍ବରୁ ଟେଷ୍ଟ ଖେଳିଥିଲେ ହେଁ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନଥିଲେ । ଆଗାମୀ ଦିନରେ ତାଙ୍କୁ ଟେଷ୍ଟ ଦଳକୁ ଫେରାଇ ଆଣିବାକୁ ବିଚାର କରାଯାଉଛି । ହେଲେ ଏହା ପୂର୍ବରୁ ତାଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ହେବ ।
ଏମାନଙ୍କ ବ୍ୟତୀତ ତନୁଶ କୋଟିଆନ୍, ମାନବ ସୂତାର, ସାରାଂଶ ଜୈନ, ସାଇକ ରସିଦ, ଗୁରନୂର ବ୍ରାର ପ୍ରମୁଖ ଘରୋଇ କ୍ରିକେଟ୍ରେ ଚିତ୍ତାକର୍ଷକ ପ୍ରଦର୍ଶନ କରି ଅବଶିଷ୍ଟ ଭାରତ ଦଳରେ ସ୍ଥାନ ପାଇଛନ୍ତି । ଏମାନେ ସୁଯୋଗର ସଦୁପଯୋଗ କରିବାକୁ ବଦ୍ଧ ପରିକର । ବିଦର୍ଭ ଦଳର କିଛି ଖେଳାଳି ମଧ୍ୟ ଚୟନକର୍ତ୍ତାଙ୍କ ନଜରରେ ରହିବେ । ସେମାନଙ୍କ ମଧ୍ୟରେ ଆଗରେ ରହିଛନ୍ତି ବାମ ହାତି ସ୍ପିନର ହର୍ଷ ଦୁବେ । ଗତ ରଣଜୀ ଟ୍ରଫିରେ ସେ ସର୍ବାଧିକ ୱିକେଟ୍ ନେଇଥିଲେ । ସେହପରି ଓପନିଂ ବ୍ୟାଟର ଡାନିସ ମାଲେୱର, ୟଶ ରାଠୋଡ଼ ମଧ୍ୟ ଦମଦାର ପ୍ରଦର୍ଶନ କରିବା ଆଶା କରାଯାଉଛି । ୟଶ ଦୁଲୀପ ଟ୍ରଫିରେ ୫ଟି ଇନିଂସରୁ ୩୭୪ ରନ ସଂଗ୍ରହ କରିଥିଲେ । ଫାଇନାଲ୍ରେ ୧୯୪ ରନ୍ର ଏକ ମାରାଥନ ଇନିଂସ ମଧ୍ୟ ଖେଳିଥିଲେ । ମାଲେୱର ମଧ୍ୟ ଦୁଲୀପ୍ ଟ୍ରଫିରେ ଦ୍ୱିଶତକ ଅର୍ଜନ କରିଥିଲେ । ଭିସିଏ ଷ୍ଟାଡ଼ିୟମ୍ର ପିଚ ସ୍ପିନରଙ୍କୁ ସହାୟତା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଗତ ଘରୋଇ ସିଜନରେ ଏହି ଗ୍ରାଉଣ୍ଡ୍ରେ ୩ଟି ମ୍ୟାଚ୍ ଖେଳାଯାଇଥିଲା । ସମସ୍ତ ମ୍ୟାଚ୍ରେ ସ୍ପିନରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା । ବିଦର୍ଭର ଏହା ଘରୋଇ ଗ୍ରାଉଣ୍ଡ । ରଣଜୀ ଚାମ୍ପିଅନ୍ ଦଳ ୪ଜଣ ସ୍ପିନରଙ୍କୁ ନେଇ ଆସନ୍ତାକାଲି ଗ୍ରାଉଣ୍ଡକୁ ଓହ୍ଲାଇବା ନିଶ୍ଚିତ ।