ହାନୋଇ,୨୯/୦୯: ଭିଏତନାମ ଆଡ଼କୁ ଦ୍ରୁତ ଗତିରେ ମୁହାଁଉଛି ବାତ୍ୟା ‘ବୁଆଲୋଇ’ । ଏହାକୁ ଦୃଷ୍ଟିରେ ରଖି ଉଦ୍ଧାର ଅଭିଯାନ ତ୍ୱରାନ୍ୱିତ ହୋଇଛି । ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଯେଉଁ ସ୍ଥାନରେ ବାତ୍ୟା ମାଡ଼ ହେବା ନେଇ ଆଶଙ୍କା ରହିଛି, ସେଠାରେ ପ୍ରାୟ ୧ ଲକ୍ଷ ସୈନ୍ୟ ମୁତୟନ ହୋଇଛନ୍ତି । ୪ଟି ତଟବର୍ତ୍ତୀ ବିମାନବନ୍ଦର ବନ୍ଦ କରାଯାଇଛି ।
ଚଳିତବର୍ଷ ଭିଏତନାମକୁ ୯ଟି ବାତ୍ୟା ମାଡ଼ ହୋଇ ସାରିଲାଣି । ‘ବୁଆଲୋଇ’ ହେଉଛି ଦଶମ । ବୁଆଲୋଇର ପ୍ରକୋପରେ ରବିବାର ସକାଳୁ ବର୍ଷା ଜାରି ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପିଛା ୧୩୩ କିଲୋମିଟର ରହିବା ଅନୁମାନ କରାଯାଉଛି । ପାଣିପାଗ ବିଭାଗ କହିଛି, ବାତ୍ୟା ସ୍ଥଳଭାଗ ଛୁଇଁବା କ୍ଷଣି ଏହା ସାଙ୍ଘାତିକ ବିନାଶ ଘଟାଇବ । ଏକାଧିକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରେ ଭିଏତନାମ ।
ବାତ୍ୟା ବୁଆଲୋଇ ପ୍ରଭାବରେ ଶକ୍ତିଶାଳୀ ପବନ, ପ୍ରବଳ ବୃଷ୍ଟିପାତ, ବନ୍ୟା, ଅଚାନକ ବନ୍ୟା, ଭୂସ୍ଖଳନ ଓ ତଟବର୍ତ୍ତୀ ବିପର୍ଯ୍ୟୟ ଭଳି ଘଟଣା ଦେଖିବାକୁ ମିଳିପାରେ । ଏହି ପରିପ୍ରେକ୍ଷୀରେ ଦେଶର ପ୍ରଧାନମନ୍ତ୍ରୀ ଫାମ୍ ମିନ୍ ଚିନ୍ ପ୍ରଶାସନକୁ ବ୍ୟାପକ ଭାବେ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାର ପ୍ରଭାବ ଯେମିତି ଅତ୍ୟନ୍ତ କମ୍ ରହିବ, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ତେବେ ବାତ୍ୟା ପୂର୍ବରୁ ହୋ ଚି ମିନ୍ରୁ ୩ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । କୁଆ ଭିଏଟ୍ ଚ୍ୟାନେଲ୍ଠାରୁ ୧.୫ କିମି ଦୂରରେ ଦୁଇଟି ବଡ଼ ଜାହାଜ ଫସିରହିଛି । କୁଆଙ୍ଗ ଟ୍ରାଇ ଓ ନଘେ ଆନ୍ ପ୍ରଦେଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ବୁଆଲୋଇ ସ୍ଥଳଭାଗ ଛୁଇଁବା ନେଇ ଅନୁମାନ କରାଯାଉଛି ।