​​​​​​​ଅସ୍ତରଙ୍ଗ, ୯:-ସ୍ୱାଧୀନତାକୁ ଦୀର୍ଘ ୭୮ବର୍ଷ ବିତିଲାଣି। ଅଥଚ ଗାଁ କୁ ପକ୍କା ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ। ଫଳରେ କାଦୁଅ ପଚ ପଚ ରାସ୍ତାରେ ଯିବା ଆସିବା କରିବାକୁ ପଡୁଛି। ବର୍ଷା ହେଲେ ଯନ୍ତ୍ରଣା ଆହୁରି ବଢ଼ିଯାଉଛି। ଗାଡି ମୋଟର ଦୂରର କଥା, ଖାଲି ପାଦରେ ଚାଲି ଚାଲି ଯିବା କଷ୍ଟକର ହୋଇପଡୁଛି। ରାସ୍ତା ଅବସ୍ଥା ଏମିତି ହୋଇଛି ଯେ ବାଡ଼ି ଅବା କାହାର ସାହାରା ନ ହେଲେ ରାସ୍ତା ସହଜରେ ଅତିକ୍ରମ କରିହେବ ନାହିଁ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ମାଣ୍ଡୁକି ଗ୍ରାମରେ  ଏ ଚିତ୍ର ଦେଖିବାକୁ ମିଳୁଛି। ଗାଁ କୁ ଏବେ ମଧ୍ୟ ପକ୍କା ରାସ୍ତାଟିଏ ନିର୍ମାଣ ହୋଇ ପାରିଲା ନାହିଁ।

  ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଂଚାୟତ ମାଣ୍ଡୁକି ଗ୍ରାମର ଅନୁସୂଚିତ ବର୍ଗର ବାସିନ୍ଦା ବସବାସ କରନ୍ତି। ଛୋଟ ରୁ ବଡ଼ ପର୍ଯ୍ୟନ୍ତ ପାଖାପାଖି ୫ଶହ ରୁ ଉର୍ଦ୍ଧ ଲୋକ ଏହି ମାଟି କାଦୁଅ ରାସ୍ତାରେ ଆଣ୍ଠୁଏ କାଦୁଅ ପାଣିରେ ପଶି ଯିବା ଆସିବା କରୁଛନ୍ତି। ସ୍କୁଲ, କଲେଜ ପିଲାଙ୍କ ଠାରୁ ଆରମ୍ଭ କରି ବଜାର, ହାଟକୁ ଯିବା ସହିତ ଗାଈ, ଛେଳି, ମେଣ୍ଡା ନେଇ ପ୍ରତିଦିନ ଲୋକେ ଯାତାୟାତ କରିଥାନ୍ତି। ଯଦି ଦୈବାତ ରାତିରେ କାହାର ଦେହ'ଖରାପ ହେଲା ଡାକ୍ତରଖାନା ଯିବା ଦୂରର କଥା ;ଗାଁ ବାହାରକୁ ମଧ୍ୟ ରୋଗୀ ଟିଏ ବାହାରି ପାରେ ନାହିଁ। ପ୍ରସୂତି ଅବା ଅନ୍ୟ ଗୁରୁତର ରୋଗୀ ଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଟିଏ କାଦୁଅ ରାସ୍ତା ଯୋଗୁଁ ଗାଁରେ ପହଂଚି ପାରେ ନାହିଁ। ପୁଣି ଅଗ୍ନିଶମ ଭଳି ଜରୁରୀ କାଳୀନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଖାଲି ସେତିକି ନୁହେଁ ବିଭିନ୍ନ ମୌଳିକ ସୁବିଧାରୁ ଏହି ଲୋକ ମାନେ ବଂଚିତ। ଯେପରିକି ସାଧାରଣ ଲୋକଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଘର ନାହିଁ, ସ୍ୱଚ୍ଛ ଭାରତ ମାଧ୍ୟ୍ୟମରେ ଶୌଚାଳୟ ନାହିଁ, ପାନୀୟ ଜଳ ଭାବେ ଅନେକ ସମୟରେ ଲୁଣି ପାଣି ପିଇବାକୁ ବାଧ୍ୟ ହୋଇଥାନ୍ତି। ପିଇବା ପାଣି ପାଇଁ ୨କିଲୋମିଟର ରୁ ଉର୍ଦ୍ଧ ବାଟ ଅତିକ୍ରମ କରି ଯିବାକୁ ପଡିଥାଏ। ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ବହୁ ଦୂରରେ ଅବସ୍ଥିତ।

ଏ ଘଟଣା ସମ୍ପର୍କରେ ମାଣ୍ଡୁକି ପଂଚାୟତ ସରପଞ୍ଚ ରୋଜିନା ଜେନା ଅସ୍ତରଙ୍ଗ ବିଡ଼ିଓ ଙ୍କୁ ଅବଗତ କରାଇଥିଲେ ପରେ ଜିଲ୍ଲାପାଳ ଜନଶୁଣାଣୀ ଶିବିର ରେ ଜଣାଇବା ପରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅସ୍ତରଙ୍ଗ ବିଡ଼ିଓଙ୍କୁ ଉକ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ ଶହ ଲୋକ ସମସ୍ୟା ଖୁବ ଶୀଘ୍ର ଦୂର କରିବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲାପାଳ ନିର୍ଦେଶ ଦେବାରେ ୮ରୁ ଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ଗ୍ରାମକୁ ବିଡ଼ିଓ ଯାଇ  ସ୍ଥିତି ଅନୁଧ୍ୟାନ କରି ନାହାଁନ୍ତି । ରାଜ୍ୟ ସରକାର ସାଧାରଣ ଲୋକଙ୍କ ସମସ୍ୟା କୁ ଗୁରୁତ୍ୱ ସହ ନେଇ ମୌଳିକ ସୁବିଧା ସମାଧାନ କରିବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।