ଭୁବନେଶ୍ୱର,୦୪/୧୧: ପବିତ୍ର କାର୍ତ୍ତିକ  ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଇଁ  ଏକାମ୍ର କ୍ଷେତ୍ରରେ ହୋଇଛି ଜୋରଦାର ପ୍ରସ୍ତୁତି ।  ଏଠାରେ ଥିବା ବିଭିନ୍ନ ମନ୍ଦିର, ପବିତ୍ର ସରୋବରନଦୀ ଘାଟ ଆଦି ସ୍ଥାନରେ ବୋଇତ ବନ୍ଦାଣ ନିମନ୍ତେ  ସମସ୍ତ ବ୍ୟବସ୍ଥା ହୋଇଛି । ମୁଖ୍ୟତଃ ବିନ୍ଦୁସାଗର  ଏବଂ କପିଳେଶ୍ୱରଙ୍କ ମଣିକର୍ଣ୍ଣିକା ପୁଷ୍କରିଣୀ ସହିତ  କୂଆଖାଇ ଓ ଦୟାନଦୀରେ ସର୍ବାଧିକ ଶ୍ରଦ୍ଧାଳୁ ବୁଡ଼  ପକାଇବା ସହ ବୋଇତ ବନ୍ଦାଣ କରିବେ । ଚଳିତ ବର୍ଷ  ଏହି କ୍ଷେତ୍ରର ବାଙ୍କୁଆଳ ସ୍ଥିତ କୂଆଖାଇ ନଦୀ ଘାଟରେ  ଅନୁଷ୍ଠିତ ହେବାକୁ ଥିବା ବାଲିଯାତ୍ରା ଓ ସେଠାକାର  ବୋଇତ ବନ୍ଦାଣ ମଧ୍ୟ ଅନେକଙ୍କୁ ଆକୃଷ୍ଟ କରିବ ।   

କାର୍ତ୍ତିକ ପୂର୍ଣ୍ଣିମାରେ ଭୋର ୩ଟା ବେଳେ  ଶୀଲିଙ୍ଗରାଜଙ୍କ ମନ୍ଦିର ପହୁଡ ଖୋଲିବ । ପରେ  ଠାକୁରଙ୍କ ମଙ୍ଗଳ ଆଳତୀ ଓ ଅବକାଶ ବଢିବା ପରେ  ଶ୍ରଦ୍ଧାଳୁଙ୍କୁ ସକାଳ ୧୦ଟା ପର୍ଯ୍ୟନ୍ତ ସାହାଣମେଲା  ଦର୍ଶନ ପାଇଁ ଅନୁମତି ରହିଛି । ଏହା ପରେ  ମନ୍ଦିରରେ ଦିଅଁଙ୍କ ଦିନର ଅବଶିଷ୍ଟ ନୀତିକାନ୍ତି  କରାଯିବ ବୋଲି ସୋମବାର କାର୍ଯ୍ୟ ନିର୍ବାହୀ  ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକରେ  ଚୁଡାନ୍ତ ହୋଇଛି । ଏଠାରେ ଉଭୟ ଶ୍ରୀଲିଙ୍ଗରାଜ  ମନ୍ଦିର ଏବଂ ସମଗ୍ର ବିନ୍ଦୁସାଗର ନିମନ୍ତେ ସାଢେ୫  ପ୍ଳାଟୁନ ଫୋର୍ସ, ୧୧ ଅଫିସର, ୨ ଇନ୍ସପେକ୍ଟର ଏବଂ  ଜଣେ ଏସିପି ସୁରକ୍ଷା ଦାୟିତ୍ୱରେ ରହିବେ । ଏହା  ବ୍ୟତିତ ଅଗ୍ନିଶମ, ଓଡ୍ରାଫ ଏବଂ ଆମ୍ବୁଲାନ୍ସ ସେବା  ମଧ୍ୟ ଉପଲବ୍ଧ ରଖିବାକୁ ଚୁଡାନ୍ତ ହୋଇଛି । ଏଠାରେ  ବିନ୍ଦୁସାଗର ସରୋବରର ଉତ୍ତରେଶ୍ୱର ଘାଟରେ  ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବୋଇତ  ବନ୍ଦାଣ ଉତ୍ସବ ହେବ । ଭୋର ୩ଟାରେ ନିମାକାନ୍ତ  ରାଉତ ଓ ସାଥୀମାନେ ଭଜନ ପରିବେଷଣ କରିବେ । ପରେ ସାଧବ ସାଧବାଣୀଙ୍କ ଉପସ୍ଥିତିରେ ଏକ ବଡ଼  ବୋଇତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ  ବନ୍ଦାଇ ଭଷା ଯିବ । ଏହି ମଞ୍ଚରେ ଏଥର ୬ ଜଣଙ୍କୁ  ସାମାଜିକ ଅବଦାନ ପାଇଁ ଏକାମ୍ର ସାଂସ୍କୃତିକ  ସମ୍ମାନରେ ସମ୍ମାନିତ କରାଯିବ ।