ଭୁବନେଶ୍ୱର, ୩/୯ : ଏନ୍‌ଡିଏ ନା ଇଣ୍ଡିଆ? ନା ନବୀନ କାଢ଼ିବେ ବିବେକାନୁମୋଦିତ ବାଟ । ଉପରାଷ୍ଟ୍ରପତି ନିର୍ବାଚନରେ କେଉଁ ପଟକୁ ଯିବ ବିଜେଡି ଭୋଟ? ନିଷ୍ପତ୍ତି ନବୀନଙ୍କ ହାତରେ । ଆସନ୍ତା ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ମଝିରେ ଆଉ ୬ ଦିନ ରହିଲା । ମାତ୍ର ଏଯାଏ ବିଜେଡି ତା’ର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ଦଳର କୌଣସି ନେତା ଏ ନେଇ କିଛି କହିପାରୁନାହାନ୍ତି । ସାଂସଦମାନେ ବି ମୁହଁ ଖୋଲୁନାହାନ୍ତି । ଯାହାକୁ ପଚାରିଲେ, ସମାନ ଉତ୍ତର-ଠିକ୍‌ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ । ସମ୍ଭବତଃ ଶେଷ ମୂହୂର୍ତ୍ତରେ ଦଳ ଏ ନେଇ କିଛି ଘୋଷଣା କରିପାରେ । ରାଜନୈତିକ ବିଶ୍ଳେଷକଙ୍କ ମତରେ ନବୀନଙ୍କ ପାଇଁ ଏଥର ନିଷ୍ପତ୍ତି ଏତେ ସହଜ ନୁହେଁ ।

ଅତୀତରେ ଅନେକ ପ୍ରସଙ୍ଗରେ ବିଜେଡିର ସମର୍ଥନ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଯାଇଛି । ପୂର୍ବଥର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଖୋଲାଖୋଲି ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲା । ମାତ୍ର ଏଥର ପରିସ୍ଥିତି ଭିନ୍ନ । ବିଜେଡିକୁ ରାଜ୍ୟରେ କ୍ଷମତାଚ୍ୟୁତ କରିଛି ବିଜେପି । ଓଡ଼ିଶାରେ ବିଜେଡି ଏବେ ପ୍ରମୁଖ ବିରୋଧୀ ଦଳ । କିଛି ମାସ ପୂର୍ବରୁ ସଂସଦରେ ୱାକଫ ବିଲ୍‌ ଭୋଟକୁ ନେଇ ବିଜେଡି ଦଳ ଭିତରେ ଯେଉଁଭଳି ବିଦ୍ରୋହ, କନ୍ଦଳ ଓ ବୟାନବାଜି ଦେଖିବାକୁ ମିଳିଲା, ପୂର୍ବରୁ କେବେ ସେମିତି ହୋଇନଥିଲା । ଏ ବିବାଦକୁ ନେଇ ଦଳର ୭ ସାଂସଦଙ୍କ ଭିତରେ ବି ମତଭେଦ, ମନାନ୍ତର ଗଣମାଧ୍ୟମରୁ ସୋସିଆଲ୍‌ ମିଡିଆ ଯାଏ ଫୁଟି ବାହାରିଥିଲା । ଏବେ ବି ଦଳର ସବୁ ସାଂସଦ ଏକ୍‌ ଥିଲା ଭଳି ଲାଗୁନି । ୱାକଫ ବିଲ୍‌ ପ୍ରସଙ୍ଗରେ ଦଳର ନିଷ୍ପତ୍ତିକୁ ଏଯାଏ ଗ୍ରହଣ କରିପାରିନାହାନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ନିକଟରେ ଭୋଟ ଅସଙ୍ଗତି ପ୍ରସଙ୍ଗରେ ଦଳର ଛାମୁଆ ନେତାମାନେ ଦିଲ୍ଲୀ ଗସ୍ତ ବେଳେ ନେତାସାଂସଦଙ୍କ ମନ ଫଟାଫଟି ପଦାକୁ ଆସିଥିଲା । ବିଜେଡି ସାମ୍ନାରେ ଏବେ ଅନେକ ଦ୍ୱନ୍ଦ୍ୱ । ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏକୁ ସମର୍ଥନ ଦେଲେ, ରାଜ୍ୟରେ ବିଜେଡି ନେତା ଓ କର୍ମକର୍ତ୍ତାଙ୍କ ଭିତରକୁ କି ବାର୍ତ୍ତା ଯିବ? ବିଜେପି-ବିଜେଡି ଭାଇ ଭାଇ କହି କଂଗ୍ରେସ ଫାଇଦା ନେବାକୁ ଚେଷ୍ଟା କରିବ । ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କଲେ, ବିଜେପି ଆଣିବ ସମାନ ଅଭିଯୋଗ । ଏଭଳି ସ୍ଥିତିରେ ବିଜେଡିର ସମଦୂରତ୍ୱ ନୀତି ଉପରେ ପ୍ରଶ୍ନ ଉଠିପାରେ । କାହାକୁ ଖୋଲା ସମର୍ଥନ ନ କରି ବିବେକାନୁମୋଦିତ ମତଦାନ ପାଇଁ ସାଂସଦମାନଙ୍କୁ କହିବେ କି ନବୀନ? ଏଭଳି ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ ।

ନିକଟରେ ନବୀନଙ୍କ ଅସୁସ୍ଥତା ଖବର ଶୁଣି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନରେ କଥା ହୋଇଥିଲେ । ଏନ୍‌ଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନଙ୍କୁ ସମର୍ଥନ ପାଇଁ ଫୋନ୍‌ କରି ଅନୁରୋଧ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ନବୀନ ନିବାସ ଯାଇଥିଲେ । ଖାଲି ସେତିକି ନୁହେଁ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ନବୀନଙ୍କୁ ଫୋନ୍‌ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ନବୀନଙ୍କ ସମର୍ଥନ ପାଇବାକୁ ଉଭୟ ପକ୍ଷ ଆଶା ବାନ୍ଧିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କେବଳ ଲୋକସଭା ଓ ରାଜ୍ୟସଭା ସାଂସଦ ମତଦାନ କରିବେ । ଏଥର ମୋଟ ୭୮୨ ଜଣ ସାଂସଦ ମତଦାନ କରିପାରିବେ । ଏନ୍‌ଡିଏର ୪୨୫ଜଣ ସାଂସଦ ଅଛନ୍ତି । ଏଥିରୁ ଯେଭଳି କୌଣସି ଗୋଟିଏ କ୍ରସ ଭୋଟିଂ ହେବନି କିମ୍ବା ଅସିଦ୍ଧ ନ ହେବ, ସେଥିପାଇଁ ଏନ୍‌ଡିଏ ନିଜ ସାଂସଦମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହେଉଛି । ଏହାବାଦ୍‌ ମତଦାନ ପୂର୍ବ ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସାଂସଦମାନଙ୍କୁ ଡିନର ପାଇଁ ନିମନ୍ତ୍ରଣ ଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି ।

ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ପୂର୍ବରୁ ଜଗନମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର୍‌ସିପି ଘୋଷଣା କରି ସାରିଛି । ଏହି ଦଳ ପାଖରେ ଲୋକସଭାରେ ୪ଜଣ ଓ ରାଜ୍ୟସଭାରେ ୭ଜଣ ସାଂସଦ ଅଛନ୍ତି । ଏହାବାଦ୍‌ ବିଜେଡି ଓ ବିଆରଏସ୍‌ ଉପରେ ବି ବିଜେପିର ଆଖି ରହିଛି । ବିଜେଡି ପାଖରେ ରାଜ୍ୟସଭାରେ ୭ଜଣ ସାଂସଦ ଥିବାବେଳେ ବିଆରଏସ୍‌ର ୪ଜଣ ସାଂସଦ ଅଛନ୍ତି । ବିଜେଡି ସମର୍ଥନ ପାଇବା ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଦୃଢ଼ ଆଶାବାଦୀ । ଏହା ପୂର୍ବ ଥର ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଥିବା ଜଗଦୀପ ଧନଖଡ଼ ୫୨୮ ଭୋଟ ପାଇଥିଲେ, ଯାହାକି ମୋଟ ଭୋଟର ପାଖାପାଖି ୭୫% । ଏଥର ଏନ୍‌ଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଓ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀ ଉଭୟ ଦକ୍ଷିଣ ଭାରତର ହୋଇଥିବାବେଳେ ବିଜେଡି କାହାକୁ ସମର୍ଥନ କରିବ, ତାହା ଉପରେ ସଭିଙ୍କ ନଜର ।