ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସାମ୍ପ୍ରତିକ ଯୁଦ୍ଧରେ ଅନେକ ଲୋକଙ୍କ ଜୀବନ ଯାଇଛି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏହି ସଂଘର୍ଷ ପଛରେ ଜଣେ ଆତଙ୍କବାଦୀ ନେତାଙ୍କ ହାତ ରହିଛି। ଏହି ସଂଘର୍ଷର ଏକ ପ୍ରମୁଖ କାରଣ ହେଉଛି କୁଖ୍ୟାତ ଆତଙ୍କବାଦୀ ନେତା ନୁର ୱାଲି ମେହସୁଦର ଆଫଗାନିସ୍ତାନରେ ଉପସ୍ଥିତି। ଯାହାଙ୍କ ଉପରେ ଆକ୍ରମଣ କରୁଥିବା ନେଇ ଇସଲାମାବାଦ ପ୍ରତିଦିନ ଅଭିଯୋଗ କରୁଛି। ଆସନ୍ତୁ ଜାଣିବା ଏହି ବ୍ୟକ୍ତି ଜଣଙ୍କ କିଏ, ଯିଏ ପାକିସ୍ତାନକୁ ନିଜ ମାଟିରେ ହିଁ ଭୟଭୀତ କରି ରଖିଛନ୍ତି।
ଯଦିଓ ବୁଧବାର (୧୫ ଅକ୍ଟୋବର, ୨୦୨୫) ଦିନ ଦୁଇ ଦେଶ ମଧ୍ୟରେ ଏକ ଅସ୍ଥାୟୀ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି, ତଥାପି ଆଫଗାନିସ୍ତାନରେ ନୁର ୱାଲି ମେହସୁଦର ଉପସ୍ଥିତିକୁ ନେଇ ପାକିସ୍ତାନର ଅସନ୍ତୋଷ ଜାହିର କରିଛି। ନୁର ନିଜ ପ୍ରମୁଖ ସହଯୋଗୀମାନଙ୍କ ସହିତ ସେଠାରେ ଆଶ୍ରୟ ନେଇଛନ୍ତି ବୋଲି ଇସଲାମାବାଦ ବାରମ୍ୱାର ଅଭିଯୋଗ ଆଣୁଛି।
ସୂଚନା ମୁତାବକ, ଗତ ସପ୍ତାହରେ, କାବୁଲରେ ଏକ ବିମାନ ଆକ୍ରମଣରେ ଏକ ସଶସ୍ତ୍ର ଟୟୋଟା ଲ୍ୟାଣ୍ଡ କ୍ରୁଜରକୁ ଟାର୍ଗେଟ କରାଯାଇଥିଲା। ଯାହାକୁ ନେଇ ପାକିସ୍ତାନୀ ସୁରକ୍ଷା ଅଧିକାରୀମାନେ କହିଥିଲେ ଯେ ଏହି ଗାଡି ନୁର ୱାଲି ମେହସୁଦଙ୍କୁ ନେଇଯାଉଥିଲା। ତଥାପି, ବିଭିନ୍ନ ଆତଙ୍କୀ ଗୋଷ୍ଟୀ ଏବଂ ପାକିସ୍ତାନୀ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ସେ ଏହି ଆକ୍ରମଣରୁ ବଞ୍ଚି ଯାଇଛନ୍ତି। ପରବର୍ତ୍ତୀ ସମୟରେ ଏହି ଗୋଷ୍ଠୀ ମେହସୁଦଙ୍କ ଏକ ଅଡିଓ ରେକର୍ଡିଂ ମଧ୍ୟ ଜାରି କରିଛି।
ପାକିସ୍ତାନ ଆନୁଷ୍ଠାନିକ ଭାବରେ ବିମାନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହିଁ। ତେବେ ୨୦୨୨ ମସିହାରେ ଆମେରିକା ଦ୍ୱାରା ଅଲ-କାଏଦା ନେତା ଆୟମାନ ଅଲ-ଜୱାହିରିଙ୍କୁ ଟାର୍ଗେଟ କରିବା ପରେ ଏହା କାବୁଲରେ ପ୍ରଥମ ବିମାନ ଆକ୍ରମଣ ବୋଲି ଆଲୋଚନା କରାଯାଉଛି।
ଏହି ସମୟରେ, ଆଫଗାନିସ୍ତାନରେ ତାଲିବାନ ଶାସନ ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେବାର ଅଭିଯୋଗକୁ ଅସ୍ୱୀକାର କରିଛି। ଖାଲି ଏତିକି ନୁହେଁ ତାଲିବାନ ଇସଲାମାବାଦକୁ ନିଜର ମୁଖ୍ୟ ସଶସ୍ତ୍ର ପ୍ରତିଦ୍ୱନ୍ଦ୍ୱୀ ଇସଲାମିକ୍ ଷ୍ଟେଟର ଏକ ସ୍ଥାନୀୟ ଗୋଷ୍ଠୀକୁ ଆଶ୍ରୟ ଦେବାର ଅଭିଯୋଗ କରିଛି।
୨୦୧୮ ମସିହାରେ ନୁର ୱାଲି ମେହସୁଦ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର କମାଣ୍ଡର ପଦ ଗ୍ରହଣ କରିଥିଲେ। ମେହସୁଦଙ୍କ ପୂର୍ବରୁ ସଂଗଠନର ତିନି ଜଣ ପୂର୍ବ ନେତା ଆମେରିକାର ଡ୍ରୋନ ଆକ୍ରମଣରେ ନିହତ ହୋଇଥିଲେ। ସେତେବେଳକୁ ପାକିସ୍ତାନୀ ସାମରିକ କାର୍ଯ୍ୟାନୁଷ୍ଠାନ ସଂଗଠନକୁ ଏହାର ଘାଟିରୁ ଘଉଡ଼ାଇ ଦେଇ ଆଫଗାନିସ୍ତାନକୁ ଠେଲି ଦେଇଥିଲା।
କମାଣ୍ଡର ପଦ ଗ୍ରହଣ କରିବା ପରେ, ମେହସୁଦ କେବଳ ସଂଗଠନକୁ ପୁନର୍ଜୀବିତ କରିନଥିଲେ ବରଂ ଏହାର ରଣନୀତିକୁ ମଧ୍ୟ ପରିବର୍ତ୍ତନ କରିଥିଲେ। ନିଜର କୂଟନୈତିକ ଦକ୍ଷତା ସହିତ ସେ ଯୁଦ୍ଧରତ ଗୋଷ୍ଠୀଗୁଡ଼ିକୁ ଏକତ୍ର କରିଥିଲେ। ଜଣେ ଧାର୍ମିକ ବିଦ୍ୱାନ ଭାବରେ ତାଲିମପ୍ରାପ୍ତ ମେହସୁଦ ମଧ୍ୟ ଆଦର୍ଶଗତ ମୋର୍ଚ୍ଚାରେ ଦାୟିତ୍ୱ ଗ୍ରହଣ କରିଥିଲେ।