ଆଜିକାଲି ଛାତ୍ରଛାତ୍ରୀମାନେ ଭଲ  ପାଠ ପଢୁନାହାନ୍ତି, ନିଶା ଓ ଡ୍ରଗ୍‌ସ  ସେବନ କରୁଛନ୍ତି, ଗୁରୁଜନମାନଙ୍କୁ ସମ୍ମାନ  ପ୍ରଦର୍ଶନ କରୁନାହାନ୍ତି, ହିଂସ୍ରାଚରଣ  କରୁଛନ୍ତି ଇତ୍ୟାଦି । ଆମେ ବୟସ୍କମାନେ  ଏହିଭଳି ଅଭିଯୋଗ କରୁଛୁ, ମାତ୍ର ଆମେ  ଏହାର କାରଣ ସଂପର୍କରେ ଆତ୍ମସମୀକ୍ଷା  କରୁନାହୁଁ । ପୁଣି କେହି କେହି କହୁଛନ୍ତି  ସମାଜ କଳୁଷିତ ହୋଇଗଲାଣି, ନଷ୍ଟ  ହୋଇଗଲାଣି, ମାତ୍ର ଆମେ ବୁଝିବା  ଆବଶ୍ୟକ ଯେ ବିନ୍ଦୁ ବିନ୍ଦୁ ଜଳ ମିଶି  ଯେପରି ସିନ୍ଧୁ ହୁଏ, ସେପରି ବ୍ୟକ୍ତି ବ୍ୟକ୍ତି  ମିଶିଲେ ସମାଜ ସୃଷ୍ଟି ହୁଏ । ଶତାଧିକ  ହିଂସ୍ରବ୍ୟକ୍ତି ଏକତ୍ର ହେଲେ ଯେଉଁ ସମାଜ  ଗଠିତ ହୁଏ, ସେହି ସମାଜରେ ହିଂସ୍ର  ବାତାବରଣ ରହିବା ସ୍ୱାଭାବିକ ।

chhayakanta sarangi

ଆମେ  ଯେତେବେଳେ କହୁ ସମାଜ କଳୁଷିତ  ହୋଇଗଲାଣି, ଆମେ ନିଜକୁ ସମାଜ  ବାହାରେ ରଖୁ । ଜଣେ ଯେତେବେଳେ  ଅନ୍ୟକୁ ଚୋର କହି ଗାଳିଦିଏ, ସେ  କହିବାକୁ ଚାହେଁ ଯେ ନିଜେ ଚୋର ନୁହେଁ ।  ଠିକ୍‌ ସେପରି ଆମେ ସମାଜକୁ କଳୁଷିତ  ଆଖ୍ୟା ଦେବାବେଳେ ଆମେ ନିଜକୁ ଠିକ୍‌  ବୋଲି ଭାବୁ । ଏହା ଏକ ବିଡ଼ମ୍ବନା, କାରଣ  ଯଦି ବ୍ୟକ୍ତି-ବ୍ୟକ୍ତି ମିଶିଲେ ସମାଜ ଗଠିତ,  ବ୍ୟକ୍ତି ଚରିତ୍ରରେ ସ୍ଖଳନ ଦେଖାଦେଲେ  ସାମାଜିକ ଜୀବନରେ ସ୍ଖଳନ ପରିଲକ୍ଷିତ  ହେବା ସ୍ୱାଭାବିକ । ଆଜି ବ୍ୟକ୍ତି ଚରିତ୍ର  କଳୁଷିତ ହେବାଦ୍ୱାରା ତାର ପ୍ରଭାବ ପଡୁଛି  ସମାଜ ଉପରେ ଓ ସାମାଜିକ ଆଚରଣ ଓ  ବାତାବରଣର ପ୍ରଭାବ ପଡୁଛି କୋମଳମତି  ପିଲାମାନଙ୍କ ଉପରେ । ଏହିଭଳି ବ୍ୟକ୍ତି ଓ  ସମାଜ ଉଭୟେ ପରସ୍ପର ଦ୍ୱାରା ପ୍ରଭାବିତ  ହେଉଛନ୍ତି । ଆମେ ଯଦି ଏକ ସୁସ୍ଥ, ଶାନ୍ତ  ବିକଶିତ ସମାଜ ଚାହୁଁ, ଆମ ବ୍ୟକ୍ତି ଚରିତ୍ର  ମଧ୍ୟ ସେଭଳି ହେବା ଉଚିତ ।

ଥରେ ଏକ ମହାନଗରୀରେ ଜଣେ  ପ୍ରଖ୍ୟାତ ସାହିତ୍ୟିକଙ୍କ ଶତବାର୍ଷିକୀ ପାଳନ  ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ  ହେଉଥାଏ । ସେହି ଆଲୋଚନାଚକ୍ରକୁ  ନିମନ୍ତ୍ରିତ ହୋଇଥାନ୍ତି ବିଶିଷ୍ଟ ଲେଖକ  ମୁଲକ୍‌ ରାଜ୍‌ ଆନନ୍ଦ, ନାଟ୍ୟକାର ବିଜୟ ତେନ୍ଦୁଲକର, ମରାଠି ଲେଖକ ପ୍ରଭାକର  ମାଚେୱ ଓ ମନୋଜ ଦାସ । ପ୍ରେକ୍ଷାଳୟ  ଅଭିମୁଖେ ସମସ୍ତେ ଚାଲିଥାନ୍ତି । ସାଙ୍ଗରେ  ଥାଆନ୍ତି ସ୍ଥାନୀୟ ବିଶ୍ୱବିଦ୍ୟାଳୟର କୁଳପତି  ଓ ଅଭ୍ୟର୍ଥନା ସମିତିର ସଭାପତି ନଗରୀର  ଭୂତପୂର୍ବ ମେୟର । ପାଦଚଲା ରାସ୍ତାରେ  ଅଗ୍ରସର ହେଉଥିବାବେଳେ ଦେଖାଗଲା  ଛକ ପାଶ୍ୱର୍ରେ ଏକ ଖୁଣ୍ଟର ଅଗ୍ରଭାଗରେ  ଏକ ବିରାଟ ଚଳଚ୍ଚିତ୍ର ବିଜ୍ଞାପନ । ଚିତ୍ରିତ  ହୋଇଥାନ୍ତି ଏକ ଅଶ୍ଳୀଳ ଭଙ୍ଗୀରେ ନାୟକ  ଓ ନାୟିକା । ଗୋଟିଏ ବାରବୁଲା ବାଳକ  ସେହି ବିଜ୍ଞାପନ ପୋଷ୍ଟର ଉପରକୁ ଛୋଟ  ଛୋଟ ଢେଲା ମାରୁଥାଏ, ସତେ ଯେପରି  ସେ ନାୟକ ନାୟିକାଙ୍କୁ ଢେଲା ମାରି ବିଚ୍ଛିନ୍ନ  କରିଦେବ । ସାଙ୍ଗରେ ଥିବା ଭୂତପୂର୍ବ  ମେୟର ଭୀଷଣ ରାଗିଗଲେ ଓ ପିଲାଟି  ଉପରେ ଗାଳି ବର୍ଷଣ କରିବାରୁ ପିଲାଟି  ଦୌଡ଼ି ଚାଲିଗଲା । ତା’ପରେ ସେ ମନୋଜ  ଦାସଙ୍କ ଆଡ଼େ ଅନାଇ କହିଲେ, ଦେଖୁଛନ୍ତି  ତ ଏହି ବାଳୁଙ୍ଗା ପିଲାର ମତିଗତି? ଏତିକି  ଛୋଟ ମୁଣ୍ଡ ତ, ଅଥଚ ସେଥିରେ କେତେ  ଆବର୍ଜନା! ମନୋଜ ଦାସ ହଠାତ୍‌ ତାଙ୍କ  ଝୁଲିମୁଣାରୁ ଖଣ୍ଡେ ପତ୍ରିକା କାଢିଲେ ।  ତାର ପ୍ରଚ୍ଛଦରେ ମୁଦ୍ରିତ ହୋଇଥିଲା ।  

ଅମ୍ଳଜାନ ମୁଖା ପିନ୍ଧିଥିବା ଏକ ସଦ୍ୟଜାତ  ଶିଶୁର ମୁହଁ । ଚିତ୍ରଟି ସୂଚନା ଦେଉଥିଲା,  ଏବେ ପ୍ରଦୂଷଣ ଯେଭଳି ଭାବରେ  ବଢୁଛି ଆଗାମୀ ଦିନରେ ଅମ୍ଳଜାନ ବିନା  ଜୀବନଧାରଣ ସମ୍ଭବ ହେବନାହିଁ । ଛବିଟିକୁ  ମେୟର ମହାଶୟଙ୍କୁ ଦେଖାଇ ମନୋଜ  ଦାସ କହିଲେ "ଏଥିପାଇଁ ଆମେ ଦାୟୀ  ନା ରାସ୍ତାକଡ଼ର ପିଲାମାନେ? ଭୂତପୂର୍ବ  ମେୟର ଗମ୍ଭୀର ଦେଖାଗଲେ । ମନୋଜ ଦାସ ପୁଣି କହିଲେ "ମହାଶୟ! ଆପଣ  କହୁଥିଲେ ଛୋଟପିଲା ମୁଣ୍ଡରେ ପୁଣି ଏତେ  ଆବର୍ଜନା! କିନ୍ତୁ ଆପଣ ନିଜକୁ ପଚାରନ୍ତୁ  ଆବର୍ଜନା ତା’ ମୁଣ୍ଡରେ ନା ଆମଭଳି  ବୟସ୍କଙ୍କ ମୁଣ୍ଡରେ? ରାସ୍ତାକଡ଼ରେ ଛିଡ଼ା  ହୋଇଥିବା ଏହି ଅଶ୍ଳୀଳ ଛବିର ସ୍ରଷ୍ଟା  କିଏ? ଏହାକୁ ଏଠାରେ ପ୍ରଦର୍ଶନ କରିବାକୁ  ଅନୁମତି ଦେଲା କିଏ? ଏହି ଅଶାଳୀନ  ଚଳଚ୍ଚିତ୍ରର ପ୍ରାୟୋଜକ କିଏ? ନିର୍ଦ୍ଦେଶକ  କିଏ? ଏମାନେ ସମସ୍ତେ ଆମଭଳି  ଦାୟିତ୍ୱସଂପନ୍ନ ବୟସ୍କ ଅଭିଭାବକ ।  ଆବର୍ଜନା ଆମ ମୁଣ୍ଡରେ ନା ସେହି ଛୋଟ  ବାଳକ ମୁଣ୍ଡରେ?' ମେୟର ବାବୁ ନିରବ  ରହିଲେ । ପରେ ମନୋଜ ଦାସ ଜାଣିବାକୁ  ପାଇଲେ ଯେ ସେହି ଭୂତପୂର୍ବ ମେୟର  ହିଁ ଥିଲେ ସେହି ଚଳଚ୍ଚିତ୍ରର ପ୍ରାୟୋଜକ ।  ଏକଥା କହିବାର ତାତ୍ପର୍ଯ୍ୟ ହେଉଛି, ଯଦି  ଆଜିର ତରୁଣ ତରଣୀମାନେ ହିଂସ୍ର,  ବିଶୃଙ୍ଖଳିତ ଓ ନଷ୍ଟଚରିତ୍ର, ସେଥିପାଇଁ  ଆମେ ବୟସ୍କମାନେ ହିଁ ଦାୟୀ । ବାତାବରଣ  ସୃଷ୍ଟି କରୁ ଆମେ ଓ ତାର ପ୍ରଭାବ ପଡ଼େ  ଆମର ଆଗାମୀ ବଂଶଧରଙ୍କ ଉପରେ,  କୋମଳମତି ଶିଶୁମାନଙ୍କ ଉପରେ । ଥରେ  ଏକ ରାଜନୈତିକ ଦଳ ଦ୍ୱାରା କୌଣସି  ଏକ ସମସ୍ୟାକୁ ନେଇ ଆନ୍ଦୋଳନ  କରିବାକୁ ପ୍ରସ୍ତୁତି ଚାଲିଥାଏ । ଜଣେ  ନେତାଙ୍କ ଘରେ ସମର୍ଥକମାନଙ୍କ ସହ ଏକ  ସଭା ଚାଲିଥାଏ । ସଭା ସରିଲା । ନେତାଙ୍କ  ସାନ ଝିଅ ବାପାଙ୍କୁ ପଚାରିଲା "ବାପା!  କାଲି ବସ୍‌ ପୋଡ଼ି ହେବ ତ?' ଆନ୍ଦୋଳନ  ହେଲେ ବସ୍‌ ପୋଡ଼ି ହୁଏ, ଏ କଥା ଝିଅଟି  ଜାଣିଲା କେଉଁଠୁ? ଆମେ ବୟସ୍କମାନେ  ଆନ୍ଦୋଳନ କଲେ ବସ୍‌, ଟ୍ରେନ, ଅଫିସ୍‌  ପୋଡ଼ିପକାଉ, ଭଙ୍ଗାରୁଜା କରୁ, ଟାୟାର  ଜାଳୁ ଇତ୍ୟାଦି । ଏସବୁ ଦେଖି ଦେଖି  ସାନଝିଅଟିର ଧାରଣା ହୋଇଛି ଯେ  ଆନ୍ଦୋଳନ କରିବା ମାନେ- ପୋଡ଼ାଜଳା  କରିବା, ଭଙ୍ଗାରୁଜା କରିବା । ପ୍ରଶ୍ନ ହେଉଛି,  କିଏ କାହାକୁ ପ୍ରଭାବିତ କରୁଛି? ଛୋଟ  ପିଲାଟି ଆମକୁ ପ୍ରଭାବିତ କରୁଛି ନା  ଆମେ ଛୋଟ ପିଲାକୁ ପ୍ରଭାବିତ କରୁଛୁ?  

ଶିଶୁର ଚେତନାକୁ ଭଲ ମନ୍ଦ, ପାପ  ପୁଣ୍ୟର ବିଚାର କବଳିତ କରିନଥାଏ ।  କ୍ରମେ ସେ ପରିବାର ଓ ସମାଜ ଦ୍ୱାରା  ପ୍ରଭାବିତ ହୁଏ । ପରିବେଶର ଭାବତରଙ୍ଗର  ପ୍ରଭାବରେ ସେ ଦିବ୍ୟଚେତନାର ଅଧିକାରୀ  ହୋଇପାରେ ବା ଆସୁରୀ ଚେତନାର  ଅଧିକାରୀ ହୋଇପାରେ । ଥରେ ଜଣେ  ପ୍ରତିଭାବାନ ଶିଳ୍ପୀ ଦେବଶିଶୁର ଏକ  କାଳ୍ପନିକ ଚିତ୍ର ଆଙ୍କିବାକୁ ଚାହିଁଲେ । ଦିନେ  ଖେଳରତ କିଛି ବାଳକଙ୍କ ମଧ୍ୟରେ ସେ  ପାଇଲେ ଏକ ମଡେଲ । ତାକୁ ସାମ୍ନାରେ  ବସାଇ ଏକ ଦେବଶିଶୁର ଚିତ୍ର ଆଙ୍କିଲେ ।  ଚିତ୍ରଟି ରାଜାଙ୍କ ଦୃଷ୍ଟି ଆକର୍ଷଣ କଲା । ରାଜା  ମୁଗ୍‌ଧ ହୋଇ କିଛି ବର୍ଷ ପରେ ଚିତ୍ରକରକୁ  କହିଲେ "ତୁମେ ଏହି ମନୋରମ ଚିତ୍ରର  ଏକ ବିପରୀତ ଛବି, ଅର୍ଥାତ ଜଣେ  ଶୈତାନର ଛବି ଅଙ୍କନ କର'।

ଚିତ୍ରକର  ଏକ ଶୈତାନର ମଡେଲ ଖୋଜି ଖୋଜି  ପହଞ୍ଚିଲେ କାରାଗାରରେ । ଦେଖିଲେ  ରକ୍ତିମ ଚକ୍ଷୁ, ଲମ୍ବ କେଶ ଓ ଭୟଙ୍କର ରୂପ  ଥିବା ଏକ ଦୁର୍ଦ୍ଦାନ୍ତ ଅପରାଧୀ । ଚିତ୍ରକର  ତାକୁ ଏକ ମଡେଲ ଭାବରେ ଗ୍ରହଣ କରି  କହିଲେ "ଦେଖ ବାବୁ, ମୁଁ ଜଣେ ଚିତ୍ରକର ।  ମୁଁ ତୁମର ଏକ ଛବି ଆଙ୍କିବାକୁ ଚାହେଁ ।  ତୁମେ ମୋ ସାମ୍ନାରେ ବସିବ ଏତିକି ଅନୁରୋଧ । ମୁଁ ତୁମକୁ ଦେଖି ଦେଖି ଚିତ୍ରଟି  ଆଙ୍କିବି' । ଲୋକଟି ରାଜି ହେଲା । ଚିତ୍ରକର  ଚିତ୍ର ଆଙ୍କିବା ଆରମ୍ଭ କଲେ । ହଠାତ୍‌ ସେହି  ଦୁର୍ଦ୍ଦାନ୍ତ ଅପରାଧୀ କାନ୍ଦିବା ଆରମ୍ଭ କଲା ।  ଚିତ୍ରକର କାନ୍ଦିବାର କାରଣ ପଚାରନ୍ତେ  ସେ କହିଲା "ତୁମେ ମୋତେ ଚିହ୍ନିପାରୁନ  ଶିଳ୍ପୀ? ତିରିଶ ବର୍ଷ ତଳେ ତୁମେ ମୋତେ  ଦେଖି ଏକ ଦେବଶିଶୁର ଚିତ୍ର ଆଙ୍କିଥିଲ । ମୁଁ ସମୟକ୍ରମେ କୁସଙ୍ଗରେ ପଡ଼ି ହୋଇଗଲି  ଏକ ଦୁର୍ଦ୍ଦାନ୍ତ ଅପରାଧୀ' । ବିସ୍ମିତ ହେଲେ  ଚିତ୍ରକର । ସାମାଜିକ ବାତାବରଣର  ପ୍ରଭାବରେ ଗୋଟିଏ ଦେବଶିଶୁ କିପରି  ଜଣେ ଶୈତାନ ହୋଇପାରେ ଏହା ଥିଲା  ଏକ ଜ୍ୱଳନ୍ତ ଉଦାହରଣ ।

ସଂପ୍ରତି ସମାଜରେ ହିଂସ୍ରାଚରଣ  ବଢ଼ିଛି । ତରୁଣ ତରୁଣୀମାନେ ମଧ୍ୟ  ହତ୍ୟାକାଣ୍ଡ ଘଟାଉଛନ୍ତି । ସେମାନଙ୍କ  ହିଂସ୍ର ପ୍ରବୃତ୍ତିକୁ ପ୍ରୋତ୍ସାହିତ କରୁଛନ୍ତି  ଚଳଚ୍ଚିତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମ ।  ଚଳଚିତ୍ରଗୁଡିକରେ ହତ୍ୟା, ବଳାତ୍କାର,  ବିସ୍ଫୋରଣ ଆଦି ଦୃଶ୍ୟକୁ ଚିତ୍ତାକର୍ଷକ  ଭାବରେ ପରିବେଷଣ କରାଯାଉଛି ।  ବାସ୍ତବ ଜୀବନରେ ମାର୍‌ପିଟ ହେବା ବା ଛୁରାମାଡ଼ କରିବା ବିନା ନାଟକୀୟତାରେ  ଘଟିଯାଏ, ମାତ୍ର ସିନେମାରେ କୌଶଳପୂର୍ଣ୍ଣ  ନିର୍ଦ୍ଦେଶନା, ଆଲୋକର ଯାଦୁ, ପଟ୍ଟ ଭୂମିର ସଙ୍ଗୀତ ସାହାଯ୍ୟରେ ଏଗୁଡିକ  ନାଟକୀୟ ଓ ଚିତ୍ତାକର୍ଷକ ଭାବରେ  ପରିବେଷଣ କରାଯାଏ । ଏହା ତରୁଣ  ତରୁଣୀମାନଙ୍କୁ ସହଜରେ ପ୍ରଭାବିତ କରେ  ଓ ସେମାନେ ତାକୁ ଜୀବନରେ ପ୍ରୟୋଗ  କରନ୍ତି । ପୁନଶ୍ଚ ପାରିବାରିକ ଜୀବନଠୁ  ଆରମ୍ଭକରି ରାଜନୀତିକ ଜୀବନ ପର୍ଯ୍ୟନ୍ତ  ଯେଉଁଠିବି ହତ୍ୟାକାଣ୍ଡ ବା ରକ୍ତପାତହୁଏ  ବୈଦ୍ୟୁତିକ ଗଣମାଧ୍ୟମ ତାକୁ ଟିକିନିକି  ନିଃସଙ୍କୋଚରେ ପ୍ରସାରଣ କରେ ।  

ବନ୍ଦ ସମୟରେ ହିଂସ୍ର ଗୋଷ୍ଠୀସତ୍ତା  ବିବେକହୀନ ଭାବରେ ଟ୍ରେନ ବସ୍‌ ଅଫିସ  ଆଦିକୁ ନିଆଁ ଲଗାଇ ଧ୍ୱଂସ କରେ ।  ଦୃଶ୍ୟ ଗଣମାଧ୍ୟମରେ ଏସବୁ ପ୍ରସାରିତ  ହେବାଦ୍ୱାରା ବହୁତ କମ୍‌ ସମୟରେ ତାହା  ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ  ବ୍ୟାପିଯାଏ । ଏସବୁ ଆମଭଳି ବୟସ୍କ  ବ୍ୟକ୍ତି, ଆଜିର ରାଜନେତା ଓ ତଥାକଥିତ  ଶିକ୍ଷିତ ବ୍ୟକ୍ତିମାନଙ୍କ ଦ୍ୱାରା ହିଁ ପ୍ରାୟୋଜିତ  ଓ ସଂଘଟିତ ହୁଏ । ଜଣେ ବାଲ୍ୟକାଳରୁ  ଯଦି ଏହିଭଳି ହିଂସ୍ରାଚରଣ ଦେଖେ, ତାର  ପ୍ରଭାବ ତା’ ଉପରେ ପଡ଼ିବା ସ୍ୱାଭାବିକ ।  ଏଣୁ ସମାଜର କଳୁଷିତ ବାତାବରଣ ପାଇଁ  ଦାୟୀ କିଏ? ତରୁଣ ତରୁଣୀ ନା ଆମଭଳି  ତଥାକଥିତ ଦାୟିତ୍ୱସଂପନ୍ନ ଶିକ୍ଷିତ ଓ  ବୟସ୍କ ଅଭିଭାବକ ଅଭିଭାବିକାମାନେ?  ଅତୀତରେ ଯେଉଁ ପ୍ରଶ୍ନ ମନୋଜ ଦାସ  ଭୂତପୂର୍ବ ମେୟରଙ୍କୁ ପଚାରିଥିଲେ, ସେହି  ପ୍ରଶ୍ନର ପ୍ରାସଙ୍ଗିକତା ଏବେ ବି ରହିଛି ।  ଏବେ ଚିନ୍ତା କରିବାର ସମୟ ଆସିଛି ।  ଅବଶ୍ୟ ଏହି ପ୍ରଶ୍ନର ଉତ୍ତର ସ୍ପଷ୍ଟ ।  ହେଜିଲେ ହେଲା ।