ବ୍ରହ୍ମପୁର,୦୪/୧୦: ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ନୂଆ ମୋଡ଼ । ଗିରଫ ହୋଇଥିବା ମହିଳା ଆଶାୟୀଙ୍କୁ ଜେରା ସମୟରେ ମାରପିଟ୍ କରିଛି ପୁଲିସ । ବିନା କାରଣରେ ଗିରଫ କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଗିରଫଦାରୀ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ସୂଚନା ଅନୁଯାୟୀ, ଶନିବାର ବ୍ରହ୍ମପୁର ଜେଲ୍ ସମ୍ମୁଖରେ ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀରେ ଗିରଫ ହୋଇଥିବା ଆଶାୟୀଙ୍କୁ ଭେଟିବାକୁ ସମ୍ପର୍କୀୟଙ୍କ ଭିଡ଼ ଜମିଥିଲେ । ଏହି ସମୟରେ ପୁଲିସର କାର୍ଯ୍ୟକୁ ନିନ୍ଦା କରିଛନ୍ତି ପରିବାର ଲୋକେ । ଜଣେ ଆଶାୟୀଙ୍କ ପରିବାର ସଦସ୍ୟଙ୍କ କହିବାନୁସାରେ, ଥାନାରୁ ଝିଅକୁ କୋର୍ଟ ଚାଲାଣ ସମୟରେ ଫୋନ କରିଥିଲେ । ଆମକୁ ଥାନା ବାଲା ଶିଖାଇଲେ । ଆମକୁ ମାଡ଼ ହେଇନି, କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ଦେଇଛୁ ବୋଲି କୋର୍ଟରେ କହିଲେ ଛାଡ଼ି ଦେବୁ । ସେଠାରେ ଶିଖାଇ କୋର୍ଟକୁ ନେଲେ । ହେଲେ କୋର୍ଟରୁ ସିଧା ଜେଲ୍‌କୁ ପଠାଇ ଦେଲେ । ପିଲାମାନେ ମିଶି ସ୍ଵତନ୍ତ୍ର କୋଚିଂ ପାଇଁ ଯାଉଥିଲେ । ପରୀକ୍ଷା ପୂର୍ବରୁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ହେବା କ'ଣ ଭୁଲ୍ । ପିଲାମାନେ ଯଦି ଭୁଲ୍ କରିଛନ୍ତି, ପୁଲିସ ପ୍ରମାଣ ଦେଉନି କାହିଁକି ? ପୁଲିସ ପିଲାଙ୍କ ଜୀବନ ସହ ଖେଳ ଖେଳୁଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏଭଳି ଅନେକ ପରିବାର ଆଜି ଜେଲ୍‌ରେ ଥିବା ସମ୍ପର୍କୀୟଙ୍କୁ ଭେଟିବାକୁ ଆସି ଅଭିଯୋଗ ଆଣିଛନ୍ତି ।