ଢେଙ୍କାନାଳ,୧୮/୧୦: ହାତୀ ଆକ୍ରମଣରେ ମହିଳା ମୃତ। ଅଳ୍ପକେ ବର୍ତ୍ତିଲେ ମହିଳାଙ୍କ ସ୍ୱାମୀ ଓ ଦୁଇ ଝିଅ। ଢେଙ୍କାନାଳ ବନଖଣ୍ଡ କପିଳାସ ବନାଞ୍ଚଳ ଦେଓଗାଁ ପଞ୍ଚାୟତ ମହୁଲଖୋଳି ଗ୍ରାମରେ ଆଜି ରାତି ୮ଟାରେ ଏଭଳି ଏକ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ମୃତ ମହିଳା ମହୁଲଖୋଳି ଗ୍ରାମର ବେଣୁଧର ନାଏକଙ୍କର ପତ୍ନୀ ସୁଭଦ୍ରା (୬୫)। ହାତୀ ହାବୁଡ଼ରୁ ସ୍ୱାମୀ ବେଣୁଧର ଓ ତାଙ୍କ ଦୁଇ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ, ଗଁଦିଆ ଥାନା ଅନ୍ତର୍ଗତ ମହୁଲଖୋଳି ଗ୍ରାମର ସୁଭଦ୍ରା ନାଏକ ସ୍ୱାମୀ ବେଣୁଧରଙ୍କ ସହିତ ଢେଙ୍କାନାଳ ସହରରୁ କାମ ସାରି ନିଜର ଘରକୁ ଫେରୁଥିଲେ। ଦେଓଗାଁ ଛକଠାରେ ଗାଡ଼ିରୁ ଓହ୍ଲାଇ ନିଜର ସ୍ୱାମୀ ଓ ଦୁଇ ଝିଅଙ୍କ ସହିତ ନିଜର ଗ୍ରାମ ମହୁଲଖୋଳିକୁ ଫେରୁଥିଲେ। ହେଲେ ତାଙ୍କୁ ଜଣା ନ ଥିଲା ଯେ ବାଟରେ ମରଣ ହାତୀ ରୂପରେ ଛକି ବସିଛି l ନିଜର ଗ୍ରାମକୁ ପହଞ୍ଚିବା ପୂର୍ବରୁ ଗ୍ରାମ ପାଖରେ ଥିବା କାଜୁ ଜଙ୍ଗଲରେ ଲୁଚି ରହିଥିବା ଉକ୍ତ ଦନ୍ତା ହାତୀ ହାବୁଡ଼ରେ ଏହି ୪ଜଣ ପଡ଼ି ଯାଇଥିଲେ। ବେଣୁଧର ଓ ଗୋଟିଏ ଝିଅ ଦୌଡ଼ି ପଳାଇଥିବାବେଳେ ଅନ୍ୟ ଏକ ଝିଅ ବୁଦା ଭିତରେ ଲୁଚି ଯାଇଥିଲା। କିନ୍ତୁ ସୁଭଦ୍ରା ଯାଇନପାରି ହାତୀ ହାବୁଡ଼ରେ ପଡିଯାଇଥିଲେ।
ହାତୀ ଶୁଣ୍ଢରେ ଟେକି ଘଟଣାସ୍ଥଳରେ କଚାଡି ଦେଇଥିଲା l ଖବରପାଇ ଘଟଣାସ୍ଥଳରେ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ପହଁଚି ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି।