ନୂଆଦିଲ୍ଲୀ,୨୫/୧୦: ଅସରପା ମାରିବାକୁ ଯାଇ ଜଣେ ମହିଳା ଏମିତି ଏକ ପ୍ରଚେଷ୍ଟା କଲେ ଯେ, ସାରା ଆପାର୍ଟମେଣ୍ଟରେ ନିଆଁ ଲାଗିଗଲା। ଘଟଣାଟି ଘଟିଛି ଦକ୍ଷିଣ କୋରିଆର ଗ୍ୟୋଙ୍ଗଗୀ ଅଞ୍ଚଳରେ ଥିବା ଓସାନରେ। ମହିଳା ଜଣକ ଅସରପାକୁ ମାରିବାକୁ ଯାଇ, ଫ୍ଳେମ୍‌ଥ୍ରୋୟର୍‌ ଅର୍ଥାତ୍‌ ନିଆଁ ସ୍ପ୍ରେ ମାଧ୍ୟମରେ ପୋଡ଼ିବାକୁ ଚେଷ୍ଟା କରୁଥିବା ବେଳେ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା। ଏଥିରେ ତାଙ୍କ ପଡ଼ୋଶୀଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ସ୍ଥାନୀୟ ରିପୋର୍ଟ ଅନୁସାରେ ପଡ଼ୋଶୀ ଜଣକ ନିଆଁରୁ ବର୍ତ୍ତିବା ପାଇଁ ଚେଷ୍ଟା କରୁଥିବା ବେଳେ ତଳକୁ ଖସିପଡ଼ିଥିଲେ, ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଅନ୍ୟ ଆଠଜଣ ଧୁଆଁର ପ୍ରଭାବରେ ଅଣନିଶ୍ବାସୀ ହୋଇ ଗୁରୁତର ହୋଇଛନ୍ତି।

ଦ କୋରିଆ ଟାଇମ୍ସର ରିପୋର୍ଟ ଅନୁସାରେ, ନିଆଁ ଲଗାଇଥିବା ମହିଳାଙ୍କ ବୟସ ୨୦ ବର୍ଷ। ମହିଳା ଜଣକ ଏରୋସୋଲ୍‌ ସ୍ପ୍ରେ ଏବଂ ଲାଇଟରରେ ଅସରପାକୁ ମାରିବାକୁ ଚେଷ୍ଟା କରୁଥିଲେ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ସେ ଏମିତି ଅନେକ ଥର କରିଛନ୍ତି। କିନ୍ତୁ ଏଥର ଆପାର୍ଟମେଣ୍ଟରେ ଥିବା ଜ୍ବଳନଶୀଳ ବସ୍ତୁଗୁଡ଼ିକରେ ତୁରନ୍ତ ନିଆଁ ଲାଗିଯାଇଥିଲା ଏବଂ ଆଖିପିଛୁଳାକେ ଶିଢ଼ୀ ପର୍ଯ୍ୟନ୍ତ ବ୍ୟାପିଯାଇଥିଲା। ଫଳରେ ଆପାର୍ଟମେଣ୍ଟର ଉପର ମହଲାରେ ‌ଥିବା ଅନ୍ୟ ଲୋକମାନେ ତଳକୁ ଓହ୍ଲାଇବାର ରାସ୍ତା ବନ୍ଦ ହୋଇଯାଇଥିଲା।

ମୃତ ପଡ଼ୋଶୀ ମହିଳାଙ୍କ ବୟସ ୩୦ ପାଖାପାଖି ହେବ ବୋଲି କୁହାଯାଉଛି। ସେ ତାଙ୍କ ସ୍ବାମୀ ଏବଂ ଦୁଇ ଛୁଆଙ୍କ ସହିତ ଆପାର୍ଟମେଣ୍ଟରେ ରହୁଥିଲେ। ନିଆଁ ବ୍ୟାପିବା ମାତ୍ରେ, ସେ ଏବଂ ତାଙ୍କ ସ୍ୱାମୀ ଝରକା ଦେଇ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ସେମାନେ ତାଙ୍କ ପିଲାକୁ ଅନ୍ୟ ଏକ ବ୍ଲକରେ କାହାକୁ ହସ୍ତାନ୍ତର କରିଥିଲେ ଏବଂ ତାପରେ ନିଜେ ଖସି ପଳାଇବାକୁ ଚେଷ୍ଟା କଲେ। ତାଙ୍କ ସ୍ୱାମୀ ଅନ୍ୟ ଏକ ବ୍ଲକରେ ପହଞ୍ଚିବାରେ ସଫଳ ହେଲେ, କିନ୍ତୁ ମହିଳା ଜଣକ ତଳକଚ ଖସିପଡ଼ିଥିଲେ। ତାଙ୍କୁ ନିକଟସ୍ଥ ଏକ ଚିକିତ୍ସା ୟୁନିଟ୍‌କୁ ନିଆଯାଇଥିଲା କିନ୍ତୁ ଶରୀରରେ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ଏପରି ଘଟଣା ଜାପାନ ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ଅନେକ ‌‌ଥର ଦେଖିବାକୁ ମିଳିଛି। ଏରୋସୋଲରେ ଅତ୍ୟନ୍ତ ଜ୍ୱଳନଶୀଳ ତରଳ ପଦାର୍ଥ ଥାଏ ଯାହା ବିସ୍ଫୋରକ ବାଷ୍ପ ଦ୍ବାରା ତୁରନ୍ତ ବ୍ୟାପିଥାଏ।