ନୂଆଦିଲ୍ଲୀ,୦୫/୦୯: ୧୧ ଗୋଲ, ଟୋଟାଲ କଣ୍ଟ୍ରୋଲ । ୱିମେନ ଇନ ଫୁଲ ପାୱାର । ଚୀନର ହାଙ୍ଗଝୌରେ ଆଜିଠୁ ଆରମ୍ଭ ହୋଇଛି ମହିଳା ହକି ଏସିଆ କପ । ଉଦଘାଟନୀ ଥାଇଲାଣ୍ଡ ବିପକ୍ଷରେ ବଡ ବିଜୟ ହାସଲ କରିଛି ଭାରତୀୟ ମହିଳା ଦଳ । ୧୧-୦ ଗୋଲରେ ଥାଇଲାଣ୍ଡକୁ ମାତ ଦେଇଛି ଟିମ ସାଲିମା । ୩ ଜଣ ଖେଳାଳି ୨ଟି ଲେଖାଏଁ ଗୋଲ କରି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ମୁମଦାଜ ଖାନ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ପ୍ରଥମ କ୍ୱାର୍ଟର ୨-୦ରେ ଶେଷ ହୋଇଥିଲା । ଭାରତର ଦବଦବା ଜାରି ରହିଥିଲା । ହାଫ୍ ଟାଇମ ଶେଷ ସୁଦ୍ଧା ଭାରତ ୫-୦ ଗୋଲରେ ଆଗୁଆ ଥିଲା । ଥାଇଲାଣ୍ଡ ଟିମ୍ ଗୋଲ ପ୍ରତିଶୋଧ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲା । ଗୋଲ ପରେ ଗୋଲ ବର୍ଷା କରିଚାଲିଥିଲା ଟିମ୍ ସାଲିମା । ଭାରତ ମ୍ୟାଚକୁ ନିଜ କବଜାକୁ ନେଇଥିଲା । ଉଦଘାଟନୀ ମ୍ୟାଚରେ ୧୧-୦ ଗୋଲରେ ଏକତରଫା ବିଜୟ ହାସଲ କରିଛି ଭାରତ । ଦଳ ପକ୍ଷରୁ ମୁମତାଜ, ଉଦିତା ଓ ବିୟୁଟି ଡଙ୍ଗ ଦୁଇଟି ଲେଖାଏଁ ଗୋଲ କରିଛନ୍ତି । ସେହିପରି ସଙ୍ଗୀତା, ନବନୀତ, ସର୍ମିଳା ରୁତୁରାଜ ଗୋଟିଏ ଲେଖାଏ ଗୋଲ କରିଛନ୍ତି । ଥାଇଲାଣ୍ଡ ଗୋଲ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ବି ଖାତା ଖୋଲି ପାରିନାହିଁ । ଥାଇଲାଣ୍ଡ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ବି ଭାରତର ଆଟାକିଂ ଷ୍ଟ୍ରାଇକରେ ଘାଇଲା ହୋଇଥିଲା
ଭାରତ ପୁଲ ବି’ରେ ଜାପାନ, ଥାଇଲାଣ୍ଡ ଓ ସିଙ୍ଗାପୁର ସହ ରହିଛି । ପ୍ରଥମ ମ୍ୟାଚରେ ଥାଇଲାଣ୍ଡ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି । ଆସନ୍ତାକାଲି ଜାପାନ ଓ ୮ରେ ସିଙ୍ଗାପୁରକୁ ଭେଟିବ ଟିମ ସାଲିମା । ପୁଲ ପର୍ଯ୍ୟାୟ ପରେ ଉଭୟ ଗ୍ରୁପ୍ରୁ ଶ୍ରେଷ୍ଠ ୪ ଦଳ ସୁପର-୪କୁ ଉନ୍ନୀତ ହେବେ । ଏହି ପର୍ଯ୍ୟାୟ ୧୦ ତାରିଖରୁ ଆରମ୍ଭ ହେବ । ୨୦୨୨ ସଂସ୍କରରେ ଜାପାନ ଚାମ୍ପିଅନ, ଦକ୍ଷିଣ କୋରିଆ ରନର୍ସଅପ୍ ଏବଂ ଭାରତ ତୃତୀୟ ସ୍ଥାନ ହାସଲ କରିଥିଲା । ଏଥର ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି ଟାଇଟଲ ଜିତିବ ବୋଲି ଆଶା ରହିଛି ।
ବିଶ୍ୱକପ୍ ଟିକେଟ୍ ହାସଲ ଲକ୍ଷ୍ୟ- ଭାରତୀୟ ଦଳକୁ ପୁଲ୍ ବିରେ ରଖାଯାଇଛି, ଯେଉଁଥିରେ ଏସିଆ କପ୍ ଚାମ୍ପିଅନ୍ ଜାପାନ, ଥାଇଲାଣ୍ଡ ଏବଂ ସିଙ୍ଗାପୁର ସାମିଲ ଅଛନ୍ତି । ପୁଲ୍ ଏରେ ଆୟୋଜକ ଚୀନ୍, କୋରିଆ, ମାଲେସିଆ ଏବଂ ଚାଇନିଜ୍ ତାଇପେ ଅଛନ୍ତି । ଏସିଆ କପ୍ ଆସନ୍ତା ବର୍ଷ ବେଲଜିୟମ ଏବଂ ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ ପାଇଁ ଏକ ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟ ।
ଅନ୍ୟପଟେ ବିହାରର ରାଜଗିରିରେ ଚାଲିଥିବା ପୁରୁଷ ହକି ଏସିଆ କପରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ସୁପର ଫୋର ରାଉଣ୍ଡରେ ଭାରତର ପ୍ରଥମ ମ୍ୟାଚ କୋରିଆ ବିପକ୍ଷରେ ଡ୍ର ହୋଇଥିଲା । ୪-୧ ଗୋଲରେ ମାଲେସିଆକୁ ହରାଇ ଟେବୁଲ ଟପ୍ପରେ ରହିଛି ଟିମ ଇଣ୍ଡିଆ । ଫାଇନାଲ ଖେଳିବାକୁ ହେଲେ ମାଲେସିଆ ବିପକ୍ଷରେ ଏ ବିଜୟ ଜରୁରି ଥିଲା । ଆସନ୍ତାକାଲି ଚୀନକୁ ଭେଟିବ ଟିମ ହର୍ମନପ୍ରୀତ ।