ହାଙ୍ଗ୍‌ଝୌ,୧୩/୦୯: ମହିଳା ହକି  ଏସିଆ କପ୍‌ର ସୁପର-୪ ରାଉଣ୍ଡ୍‌ରେ ଶନିବାର ଭାରତ ଓ ଜାପାନ ପରସ୍ପରକୁ ଭେଟିବାକୁ  ଯାଉଛନ୍ତି । ଏହି ମ୍ୟାଚ୍‌ ଭାରତ ପାଇଁ ‘କର ବା  ମର’ ସଦୃଶ ରହିଛି । ଜାପାନକୁ ହରାଇଲେ ଦଳ  ଫାଇନାଲ୍‌ରେ ପ୍ରବେଶ କରିବ । ପରାଜିତ ହେଲେ  ଟାଇଟଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଯିବ । ତେଣୁ ଭାରତ ମ୍ୟାଚ୍‌ ଜିତିବା ପାଇଁ ସବୁ ଶକ୍ତି  ଖଟାଇବାକୁ ପ୍ରସ୍ତୁତ ।

ସୁପର-୪ ରାଉଣ୍ଡରେ ଭାରତ ୨ଟି ମ୍ୟାଚ୍‌ରେ ୧ବିଜୟ ଓ ୧ ପରାଜୟ ସହ ମୋଟ ୩ପଏଣ୍ଟ ପାଇ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚ୍‌ରେ ଦଳ ଦକ୍ଷିଣ କୋରିଆକୁ ୪-୨ରେ ହରାଇଥିବାବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଚୀନଠୁ  ୪-୧ ଗୋଲ୍‌ରେ ପରାଜିତ ହୋଇଥିଲା । ଜାପାନ  ୨ଟି ମ୍ୟାଚ୍‌ ଖେଳି ଗୋଟିଏ ଡ୍ର’ ଓ ଗୋଟିଏ  ପରାଜୟ ସହ ମାତ୍ର ୧ପଏଣ୍ଟ ପାଇ ତାଲିକାରେ ନିମ୍ନସ୍ଥାନରେ ରହିଛି । ଯଦି ଜାପାନ ଭାରତକୁ  ହରାଇବାରେ ସଫଳ ହୁଏ ତା’ହେଲେ ଦଳ  ୪ପଏଣ୍ଟ ସହ ଫାଇନାଲ୍‌ରେ ପ୍ରବେଶ କରିପାରିବ । ମାତ୍ର ଚୀନ-ଦକ୍ଷିଣ କୋରିଆ ମ୍ୟାଚ୍‌ର ଫଳାଫଳ  ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଦକ୍ଷିଣ  କୋରିଆ ୧ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ।

ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ଓ ଜାପାନ  ସାମ୍ନାସାମ୍ନି ହୋଇଥିଲେ । ଏହି ମ୍ୟାଚ୍‌ ୨-୨  ଗୋଲ୍‌ରେ ଡ୍ର’ ହୋଇଥିଲା ।  ଭାରତ  ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବ । ଦଳର  ଷ୍ଟାର୍‌ ଖେଳାଳି ମମତାଜ୍‌ ଖାନଙ୍କ ଉପରେ ସମସ୍ତଙ୍କ  ନଜର ରହିବ । ସେ ଇତିମଧ୍ୟରେ ଦ୍ୱିତୀୟ ସର୍ବାଧିକ  ୬ଟି ଗୋଲ୍‌ କରି ସାରିଛନ୍ତି । ସେହିପରି ନଭନୀତ  କୌର ୫ଟି, ଋତୁଜା ପିସାଲ ୪ଟି ଗୋଲ୍‌ କରିଛନ୍ତି ।

ମହିଳା ଦଳ: ଗୋଲ୍‌କିପର- ବାନସାରୀ ସୋଲାଙ୍କି,  ବିଚୁଦେବୀ ଖାରିବାମ³ ଡିଫେଣ୍ଡର- ମନୀଷା  ଚୌହାନ, ଉଦିତା, ଜ୍ୟୋତି, ସୁମନ ଦେବୀ  ଥୌଦାମ, ନିକି ପ୍ରଧାନ, ଇସିକା ଚୌଧୁରୀ³  ମିଡ୍‌ଫିଲ୍ଡର- ନେହା, ବୈଷ୍ଣବୀ ଫାଲ୍‌କେ,  ସଲିମା ଟେଟେ (ଅଧିନାୟିକା), ଶର୍ମିଳା ଦେବୀ,  ଲାଲରେମସିଆମି, ସୁନେଲିତା ଟପ୍ପୋ³ ଫରୱାର୍ଡ-  ନଭନୀତ କୌର, ଋତୁଜା ପିସାଲ, ବିୟୂଟୀ ଡୁଙ୍ଗ  ଡୁଙ୍ଗ, ମମତାଜ ଖାନ, ସାକ୍ଷୀ, ସଙ୍ଗୀତା କୁମାରୀ ।