ଗୌହାଟୀ,୩୦/୦୯: ମଙ୍ଗଳବାରଠୁ  ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ୱକପ୍‌ର ୧୩ତମ ସଂସ୍କରଣ । ଉଦ୍‌ଘାଟନୀ ମୁକାବିଲାରେ ଦୁଇ  ଆୟୋଜକ ଦଳ ଭାରତ ଓ ଶ୍ରୀଲଙ୍କା ହେବେ ସାମ୍ନା ସାମ୍ନି । ଆସାମର ଏସିଏ ଷ୍ଟାଡ଼ିୟମ୍‌ରେ ଖେଳାଯିବ ଏହି ମ୍ୟାଚ । ଉଭୟ ଦଳ ୨ଟି ଲେଖାଏଁ ଅଭ୍ୟାସ  ମ୍ୟାଚ ଖେଳିବା ପରେ ଗୌହାଟୀରେ ପହଞ୍ଚିଥିଲେ ।  ସୋମବାର ଉଭୟ ଦଳ ବର୍ଷାପଡ଼ା ଷ୍ଟାଡ଼ିୟମ୍‌ରେ ଜୋରଦାର  ଅଭ୍ୟାସ କରିଛନ୍ତି ।

ପୂର୍ବ ପ୍ରଦର୍ଶନକୁ ଦେଖିଲେ ଭାରତର ପଲା ଭାରି ରହିବା ନିଶ୍ଚିତ । ମାତ୍ର ଶ୍ରୀଲଙ୍କା  ବିପର୍ଯ୍ୟୟ ଘଟାଇବାର କ୍ଷମତା  ରଖିଛି । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ଦିନିକିଆରୁ ଭାରତ ୪ଟି ମ୍ୟାଚ  ଜିତିଛି । ଗତ ମେ’ ମାସରେ  ଶ୍ରୀଲଙ୍କା ଏକ ମ୍ୟାଚ୍‌ରେ  ଭାରତକୁ ହରାଇଥିଲା । ହର୍ଷିତା  ସମରବିକ୍ରମା ଓ ନୀଳକ୍ଷିକା ସିଲଭା ଅର୍ଦ୍ଧଶତକ ଅର୍ଜନ  କରି ଦଳକୁ ଜିତାଇଥିଲେ । ଉଭୟ ବିଶ୍ୱକପ୍‌ ଦଳରେ  ରହିଛନ୍ତି ଓ ଚମତ୍କାର ଫର୍ମରେ ଅଛନ୍ତି । ହର୍ଷିତା  ୧୦ଟି ମ୍ୟାଚ୍‌ରୁ ୪୮୯ ରନ ସଂଗ୍ରହ କରିଛନ୍ତି ।

 ଅଧିନାୟିକା ଚାମରି ଆଟ୍ଟାପଟୁ ବିସ୍ଫୋରକ ବ୍ୟାଟିଂ  ପାଇଁ ପରିଚିତ । ମାତ୍ର ବୋଲିଂ କରି ସେ ୱିକେଟ୍‌  ନେବାରେ ମଧ୍ୟ ସିଦ୍ଧହସ୍ତ । ଶେଷ ୯ଟି ଦିନିକିଆରେ ସେ ୧୨ଟି ୱିକେଟ୍‌ ନେଇଛନ୍ତି । ଭାରତୀୟ ଦଳ ସନ୍ତୁଳିତ ଓ ଶକ୍ତିଶାଳୀ । ସ୍ମୃତି  ମନ୍ଧନା ଚମତ୍କାର ଫର୍ମରେ ରହିଛନ୍ତି । ଶେଷ ୧୦ଟି  ମ୍ୟାଚ୍‌ରେ ମନ୍ଧନା ୬୩.୬ ହାରରେ ୬୩୬ ରନ  ସଂଗ୍ରହ କରିଛନ୍ତି । ଗତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ  ସିରିଜରେ ସେ ୨ଟି ଶତକ ଅର୍ଜନ କରିଥିଲେ ।  ମୋଟ ଉପରେ କହିବାକୁ ଗଲେ ତାଙ୍କ ବ୍ୟାଟିଂ  ଉପରେ ଦଳର ଭାଗ୍ୟ ନିର୍ଭର କରିବ । ମାତ୍ର  ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ  ରହିବ ।

ମଙ୍ଗଳବାର ଉଦୀୟମାନ ପେସ୍‌ ବୋଲର କ୍ରାନ୍ତି ଗୌଡ଼ଙ୍କ ଉପରେ ନଜର ରହିବା ନିଶ୍ଚିତ । ୭ଟି  ମ୍ୟାଚ୍‌ ଖେଳି ସେ ୧୪ଟି ୱିକେଟ୍‌ ଅକ୍ତିଆର କରିଛନ୍ତି । ବର୍ଷାପଡ଼ା ଷ୍ଟାଡ଼ିୟମ୍‌ ପ୍ରଥମ କରି ମହିଳା  ଦିନିକିଆ ଆୟୋଜନ କରିବାକୁ ଯାଉଛି । ଏଠାକାର  ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବା ଏକ ପ୍ରକାର  ନିଶ୍ଚିତ । ଗତ ଆଇପିଏଲ୍‌ ସମୟରେ ଏହି ପିଚ୍‌ରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିଥିଲା । ରାତ୍ରିରେ  କାକର ପ୍ରଭାବ ରହିବ । ତେଣୁ ଟସ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ଭାରତ: ସ୍ମୃତି ମନ୍ଧନା, ପ୍ରତିକା ରାୱଲ, ଜେମିମା  ରୋଡ୍ରିଗ୍ସ, ହର୍ମନପ୍ରୀତ କୌର (ଅଧିନାୟିକା), ଦୀପ୍ତି  ଶର୍ମା, ରିଚା ଘୋଷ, ଅମନଜୋତ କୌର, ସ୍ନେହ  ରାଣା, ରିଣୁକା ସିଂହ, କ୍ରାନ୍ତି ଗୌଡ଼, ରାଧା ଯାଦବ ।

ଶ୍ରୀଲଙ୍କା: ହଂସିନୀ ପେରେରା, ଚାମରୀ ଆଟ୍ଟାପଟୁ  (ଅଧିନାୟିକା), ହର୍ଷିତା ସମରବିକ୍ରମା, ଭିଷ୍ମୀ  ଗୁଣରତ୍ନେ, ଅନୁଷ୍କା ସଂଜିବନୀ, କବିଶା ଦିଲହାରୀ,  ଦେଓମି ବିହଙ୍ଗା, ପିୟୁମି ବତ୍ସଲା, ଅଚିନି  କୂଳସୂରିୟା, ଉଦେଶିକା ପ୍ରବୋଧିନୀ, ମଲ୍କି ବଦରା ।