ମାଲକାନଗିରି ୧୪/୯(ଆପ୍ର ) : ମାଲକାନଗିରି ରେ ବିଶ୍ୱ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ଅବସର ରେ ବରିଷ୍ଠ ହିନ୍ଦୀ ଶିକ୍ଷକଙ୍କୁ ସମ୍ମାନୀତ କରିବା ସହ ହିନ୍ଦୀ କବିତା ପାଠ ଉତ୍ସବ ର ଆୟୋଜନ କରାଯାଇଛି।
ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ସରକାରୀ ନୋଡାଲ ବାଳିକା ଉଚ୍ଚବିଦ୍ୟାଳୟରେ, ଜିଲ୍ଲାର ବରିଷ୍ଠ ହିନ୍ଦୀ ଶିକ୍ଷକ ଜୟଦେବ ପଣ୍ଡାଙ୍କ ତତ୍ବାବଧାନରେ, ବିଶ୍ବ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଉକ୍ତ ସମାରୋହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ରାଣୀ ବିଶ୍ୱାସ ଅଧ୍ୟକ୍ଷତା କରିଥିଲେ। ଏଜି ଓଡ଼ିଶା ଅଡିଟ ଏବଂ ଆକାଉଣ୍ଟସର ହିନ୍ଦୀ ଅଧିକାରୀ ରବୀନ୍ଦ୍ରନାଥ ଚାନ୍ଦ ମୁଖ୍ୟ ବକ୍ତା, ଶିକ୍ଷାବିତ୍ ଶିବ ପ୍ରସାଦ କୀର୍ତ୍ତନିୟା, ବରିଷ୍ଠ ହିନ୍ଦୀ ଶିକ୍ଷକ ମାନସ ରଞ୍ଜନ ନାୟକ ଏବଂ ମାଲକାନଗିରି ହିନ୍ଦୀ ଶିକ୍ଷକ ସଂଘର ସଭାପତି ଶଙ୍କର କୁଞ୍ଜାମି ସମ୍ମାନୀୟ ଅତିଥି ଭାବରେ ଯୋଗଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ବର୍ତ୍ତମାନ ଭାରତ ତଥା ସମଗ୍ର ବିଶ୍ବରେ ଭାରତର ରାଜଭାଷା ହିନ୍ଦୀର ମହତ୍ତ୍ଵ ବିଷୟରେ ଅବଗତ କରାଇବା ସଙ୍ଗେସଙ୍ଗେ ଭାରତର ଏକତା ଓ ଅଖଣ୍ଡତା ପାଇଁ ହିନ୍ଦୀ ଭାଷାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ମାତୃଭାଷା ଓଡ଼ିଆ ସହିତ ହିନ୍ଦୀ ଭାଷାକୁ ମଧ୍ୟ ସମାନ ଗୁରୁତ୍ଵର ସହିତ ଅଧ୍ୟୟନ କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ଚାନ୍ଦ ହିନ୍ଦୀ ଦିବସ କାହିଁକି ପାଳନ କରାଯାଏ ଏବଂ କିପରି ଭାବରେ ଶିକ୍ଷା ଦାନ କଲେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସହଜରେ ହିନ୍ଦୀ ଶିଖାଇ ହେବ, ସେହି ବିଷୟରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ଲାଭ କରିଥିବା ହିନ୍ଦୀ ଶିକ୍ଷକ ରାଜେଶ କୁମାର ମେହେର, ବରିଷ୍ଠ ହିନ୍ଦୀ ଶିକ୍ଷକ ଜୟଦେବ ପଣ୍ଡା ଓ ବିଜୟ କୁମାର ପୁହାଣଙ୍କୁ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ସେମାନଙ୍କ ଅବଦାନ ନିମନ୍ତେ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ । ସର୍ବଶେଷରେ ମୁଖ୍ୟମନ୍ତ୍ରୀପୁରସ୍କାର ପ୍ରାପ୍ତ ଶିକ୍ଷକ ରାଜେଶ କୁମାର ମେହେରଙ୍କ ସ୍ବରଚିତ ହିନ୍ଦୀ କବିତା ପାଠ ସହିତ ସମାରୋହ ସମାପ୍ତ ହୋଇଥିଲା।