ବେଙ୍ଗାଲୁରୁ, ୩୦/୦୯: ଏଲନ୍ ମସ୍କଙ୍କ କମ୍ପାନି ଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ କର୍ଣ୍ଣାଟକ ହାଇକୋର୍ଟଙ୍କ ପକ୍ଷରୁ ନିକଟରେ ଦିଆଯାଇଥିବା ରାୟ ନେଇ ଗଭୀର ଚିନ୍ତା ପ୍ରକଟ କରିଛି । ଏକ ପୋଷ୍ଟରେ ସୋମବାର ଏକ୍ସ ଲେଖିଛି, ଏହି ଆଦେଶ ପରେ ପୁଲିସ ଅଧିକାରୀଙ୍କୁ ଗୋପନ ଅନଲାଇନ୍ ପୋର୍ଟାଲ ସହଯୋଗ ଜରିଆରେ ମନଇଚ୍ଛା କଣ୍ଟେଣ୍ଟ୍ ହଟାଇବାକୁ ନିର୍ଦ୍ଦେଶ ଜାରି କରିବା ଲାଗି ଅଧିକାର ମିଳିଯାଇଛି ।
କମ୍ପାନି ଅନୁସାରେ, ଏହି ନୂଆ ବ୍ୟବସ୍ଥାର କୌଣସି ଆଇନଗତ ଆଧାର ନାହିଁ । ଏହା ଆଇଟି ଆକ୍ଟର ଧାରା ୬୯-ଏ ମୁତାବକ ବି ନୁହେଁ । ଏହି ଆଦେଶ ସୁପ୍ରିମକୋର୍ଟଙ୍କ ରାୟ ବିରୋଧୀ । ଭାରତୀୟମାନଙ୍କର ବାକ୍ ସ୍ୱାଧୀନତା ଭଳି ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ କରିଥାଏ । ଏଭଳିସ୍ଥଳେ କମ୍ପାନି ଏହା ବିରୋଧରେ ଅପିଲ କରିବ । ବାକ୍ ସ୍ୱାଧୀନତାର ରକ୍ଷା ଲାଗି ଲଢ଼େଇ ଜାରି ରଖିବ ବୋଲି ଏହା ସ୍ପଷ୍ଟ କରିଛି । ଚଳିତ ମାର୍ଚ୍ଚରେ ଏକ୍ସ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଆବେଦନ ଦାଖଲ କରିଥିଲା ।
ସେଥିରେ ଦର୍ଶାଯାଇଥିଲା ଯେ, ଭାରତ ସରକାରଙ୍କ ଅଧିକାରୀ ଏକ୍ସରେ କଣ୍ଟେଣ୍ଟ ବ୍ଲକ୍ କରୁଛନ୍ତି । ଏହା ଆଇଟି ଆକ୍ଟର ଧାରା ୭୯(୩)(ବି)ର ଅପବ୍ୟବହାର । ସେପ୍ଟେମ୍ବର ୨୪ରେ କର୍ଣ୍ଣାଟକ ହାଇକୋର୍ଟ ଏକ୍ସ ପକ୍ଷରୁ ଦାଖଲ ସେହି ଆବେଦନକୁ ଖାରଜ କରିଦେଇଥିଲେ । ଏଥିସହ ବିଦେଶୀ କମ୍ପାନି ବାକ୍ ସ୍ୱାଧୀନତା ଅଧିକାର ନେଇ ଦାବି କରିପାରିବେନି ବୋଲି କହିଥିଲେ ।
ସୂଚନାଥାଉକି, ସହଯୋଗ ପୋର୍ଟାଲ ଭଳି ବ୍ୟବସ୍ଥାର ଉଦ୍ଦେଶ୍ୟ କେବଳ ଅବୈଧ ଓ ହାନିକାରକ କଣ୍ଟେଣ୍ଟ ଉପରେ ରୋକ ଲଗାଇବା ବୋଲି ଭାରତ ସରକାର ଦର୍ଶାଇଛନ୍ତି । ଇଣ୍ଟରନେଟ୍ରେ ବର୍ଦ୍ଧିଷ୍ଣୁ ମିଥ୍ୟା ଖବର ଓ ଭୁଲ୍ ସୂଚନାକୁ ନିୟନ୍ତ୍ରିତ କରିବାକୁ ଏହି ପଦକ୍ଷେପ ଜରୁରି । ଏହାଦ୍ୱାରା ଉତ୍ତରଦାୟିତ୍ୱ ସୁନିଶ୍ଚିତ ହୋଇଥାଏ ବୋଲି ସରକାର ଦାବି କରୁଛନ୍ତି ।