କଣ୍ଟାବାଞ୍ଜି,୧୧/୯ : କଣ୍ଟାବାଞ୍ଜି ରେଳଷ୍ଟେସନରେ ଜଣେ ଯୁବକ ଚଳନ୍ତା ଟ୍ରେନରେ ଚଢୁଥିବା ସମୟରେ ଆଜି ଗୋଡ଼ ଖସି ଯିବାରୁ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଜିଆରପି ଓ ଆରପିଏଫ ପୋଲିସ ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ କରୁଛି । ମୃତବ୍ୟକ୍ତିର ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ । ହେଲେ ମୃତବ୍ୟକ୍ତିର ପକେଟରୁ ଦୁଇଟି ଆଧାର କାର୍ଡ଼ ମିଳିଛି ।
ଗୋଟିଏ କାର୍ଡ଼ରେ ମଧ୍ୟପ୍ରଦେଶର ଭୋପାଲ ରହିଥିବାବେଳେ ଆଉ ଗୋଟିଏ କାର୍ଡ଼ରେ ବଲାଙ୍ଗୀର ଜିଲ୍ଲା ସୁକ୍ତେଲର ଡୁଙ୍ଗୁରିପାଲି ନାଁ ରହିଛି । ସେହିପରି କାର୍ଡ଼ରେ ନାଁ ମଧ୍ୟ ଭିନ୍ନ ରହିଛି । ଗୋଟିଏରେ ବାଲକିଶନ ଅଦାବରୀଆ ଅନ୍ୟଟିରେ ବାଲକିଶନ ଯାଦବ ଲେଖା ହୋଇଛି । ବାଲକିଶନ ଆଜି ବିଶାଖାପାଟଣାରୁ ଦିଲ୍ଲୀ ଯାଉଥିବା ସମତା ଏକ୍ସପ୍ରେସରେ ଭୋପାଲ ଯିବାର ଥିଲା । ଟ୍ରେନଟି ପ୍ଲାଟଫର୍ମରୁ ଛାଡିବା ଦେଖି ତରବରିଆ ଭବେ ଦୌଡ଼ି ଦୌଡ଼ି ଚଳନ୍ତା ଟ୍ରେନରେ ଚଢିବା ପାଇଁ ପ୍ରୟାସ କରିଥିଲେ । ହେଲେ ଅସାବଧାନତା ଯୋଗୁଁ ଗୋଡ଼ ଖସି ଯାଇ ଟ୍ରେନ ଚକ ତଳକୁ ପଶିଯାଇ କଟିଯାଇଥିଲେ । ମୃତଦେହକୁ ଡାକ୍ତରଖାନାରେ ରଖାଯାଇ ପରିବାର ଲୋକଙ୍କ ପରିଚୟ ଖୋଜୁଛି ପୋଲିସ ।