ପୋଲସରା,୨୬/୦୫: ସାବିତ୍ରୀ ଅମାବାସ୍ୟାରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପୂଜା ଆରମ୍ଭ କରିବା ପୂର୍ବରୁ ଘଟିଗଲା ବଡ଼ ଅଘଟଣ । ବିଦ୍ୟୁତ ଆଘାତରେ ଚାଲିଗଲା ସ୍ୱାମୀଙ୍କ ଜୀବନ । ମୃତ ଯୁବକ ଜଣକ ହେଲେ ରୁମାଗଡ଼ ଗ୍ରାମ ପାଟଣା ସାହିର କିଶୋର ସାହୁ । ଗଞ୍ଜାମ ଜିଲ୍ଲା ରୁମାଗଡ଼ ଗ୍ରାମ ପାଟଣା ସାହିରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କିଶୋର ଘରକାମ କରୁଥୁବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ସେ ଚେତାଶୂନ୍ୟ ଅବସ୍ଥାରେ ପଡ଼ି ରହିଥିଲେ । ଏହା ଦେଖି ତାଙ୍କ ପରିବାରଲୋକେ ତୁରନ୍ତ ପୋଲସରା ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ଖବର ପାଇ ପୋଲସରା ମେଡିକାଲରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହର ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇଛି ପୁଲିସ । ତେବେ ଏହି ଅଘଟଣ କିପରି ଘଟିଲା, ତାହା ଜାଣିବା ପାଇଁ ତଦନ୍ତ ଚଳାଇଛି ପୁଲିସ ।