ମାଲକାନଗିରି, ୧୨/୯(ଆପ୍ର): ରାତିରେ ଘର ବାରଣ୍ଡାରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ କେହି ଅଜ୍ଞାତ ବ୍ୟକ୍ତି ଗଳାକାଟି ହତ୍ୟା କରିଥିବାର ଜଣା ପଡିଛି। ଏହି ହତ୍ୟା କାଣ୍ଡ ପଛରେ ଗୁଣିଗାରେଡି ସମ୍ୱଦ୍ଧ ଥିବା ନେଇ ସନ୍ଦେହ ହେଉଥିବା ବେଳେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଏମିତି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା କମାରପାଲି ପଞ୍ଚାୟତ ଅନ୍ତର୍ଗତ କରୁମପାଲୀ ଗାଁରେ। ଏହି ହତ୍ୟାକାଣ୍ଡରେ ମୃତ୍ୟୁବରଣ କରିଥିବା ମୃତକ ଜଣକ ହେଉଛନ୍ତି ଗ୍ରାମର ନିରଞ୍ଜନ ଠାକୁର (୪୫)। ଗୁରୁବାର ରାତିରେ ହଠାତ ବିଦ୍ୟୁତ କାଟ ହେବା ଯୋଗୁଁ, ଗରମ ପାଇଁ ସେ ଘର ବାରଣ୍ଡାରେ ଏକ ଖଟିଆ ପକାଇ ଶୋଇଥିଲେ। ହେଲେ କିଏ ଜାଣିଥିଲା ସେହି ରାତି ତାଙ୍କ ପାଇଁ ଶେଷ ରାତି ହୋଇଯିବ ବୋଲି।
ତେବେ ଆଜି ସକାଳୁ ପରିବାର ଲୋକେ ଦେଖିଲା ବେଳକୁ ନିରଂଜନଙ୍କ ଗଳା କାଟି କେହି ଜଣେ ଦୁର୍ବୃତ୍ତ ତାଙ୍କ ହତ୍ୟା କରିଦେଇଥିଲା। ଏନେଇ ପରିବାର ଲୋକ ସଙ୍ଗେସଙ୍ଗେ ମାଥିଲି ଥାନାକୁ ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ଜାଣି ପୁଲିସ ଘଟଣାସ୍ଥଳରେ ପହଁଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ପରେ ଶୁକ୍ରବାର ଅପରାହ୍ନରେ ପରିବାର ଲୋକଙ୍କୁ ତାଙ୍କ ମୃତ ଶରୀର ହସ୍ତାନ୍ତର କରି ପୁଲିସ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି। ହତ୍ୟାକାରି ଦୁର୍ବୃତ୍ତମାନେ ପ୍ରଥମେ ଗାଁର ଟ୍ରାନ୍ସଫର୍ମରରେ ତାର କାଟି ଅନ୍ଧାର ରାତିରେ ଶୋଇଥିବା ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । କିଛିଦିନ ପୂର୍ବେ ମଧ୍ୟ ସମାନ ଢଙ୍ଗରେ କୁରୁମପାଲ୍ଲୀ ଗାଁର ନିରଞ୍ଜନ ଠାକୁରୃଙ୍କୁ ଘର ବାହାରେ ଶୋଇଥିବା ବେଳେ ହତ୍ୟା କରାଯାଇଥିବା ନେଇ ସୂଚନା ରହିଛି ।
ତେବେ ଏହି ହତ୍ୟାକାଣ୍ତ ପଛରେ ଗୁଣିଗାରେଡି କିମ୍ବା ଅନ୍ୟ କିଛି କାରଣ ଥାଇ ପାରେ ବୋଲି ସନ୍ଦେହ ହେଉଛି । ପ୍ରଥମେ ଗାଁର ଟ୍ରାନ୍ସଫର୍ମରରୁ ବିଦ୍ୟୁତ ବିଚ୍ଛିନ୍ନ କରି ଅନ୍ଧାର ରାତିର ସୁଯୋଗ ନେଇ ଘର ବାହାରେ ଖଟରେ ଶୋଇଥିବା ନିରଞ୍ଜନଙ୍କୁ ଗଳା କାଟି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ମାଥିଲି ଥାନା ପୋଲିସ ପହଞ୍ଚିବା ପରେ ସନ୍ଧାନୀ କୁକୁର ଓ ସାଇଂଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।