ନୂଆଦିଲ୍ଲୀ: ଆମେରିକାରେ H-1B ଭିଜା ଫିରେ ପାଞ୍ଚଗୁଣ ବୃଦ୍ଧି ଘୋଷଣା ପରେ, Zoho କର୍ପୋରେସନ୍‌ର ପ୍ରତିଷ୍ଠାତା ଏବଂ ସିଇଓ ଶ୍ରୀଧର ଭେମ୍ୱୁ ଭାରତୀୟ ଆଇଟି ପ୍ରଫେସନାଲ୍‌ମାନଙ୍କୁ ଦେଶକୁ ଫେରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, ଏହି ସଙ୍କଟ ସମୟରେ ବିଦେଶରେ ଭୟରେ ଜୀବନ ଯାପନ କରିବା ଉଚିତ୍ ନୁହେଁ। ବରଂ ସାହସର ସହ ପଦକ୍ଷେପ ନେଇ ଭାରତକୁ ଫେରିବା ଦ୍ୱାରା ସମୟ ସହିତ ଏହା ଧିରେ ଧିରେ ସମସ୍ତଙ୍କୁ ମଜବୁତ କରାଇବ।

ସୂଚନା ମୁତାବକ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ସରକାର ପ୍ରତ୍ୟେକ H-1B ଆବେଦନ ପାଇଁ କମ୍ପାନୀମାନଙ୍କୁ ୧ ଲକ୍ଷ ଡଲାର୍ (ପ୍ରାୟତଃ ୮୪ ଲକ୍ଷ ଟଙ୍କା) ଫି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବ ଫିରୁ ପାଞ୍ଚଗୁଣ ଅଧିକ। ଏହି ନିଷ୍ପତ୍ତି ଟେକ୍ ଓ ଆଇଟି ଇଣ୍ଡଷ୍ଟ୍ରିରେ ଭୟଙ୍କର ପ୍ରଭାବ ପକାଇଛି।

ଭେମ୍ୱୁ, ଯିଏ ପୂର୍ବରୁ ଆମେରିକାରେ କାମ କରିଥିଲେ ଏବଂ ଭାରତକୁ ଫେରି Zohoକୁ ଏକ ଗ୍ଲୋବାଲ୍ SaaS (ସଫ୍ଟୱେୟାର୍ ଆଜ୍-ଏ-ସର୍ଭିସ୍) କମ୍ପାନୀ ରୂପେ ସ୍ଥାପନ କରିଥିଲେ, ଏହି ସମୟକୁ ଭାରତୀୟ ପ୍ରଫେସନାଲ୍‌ମାନଙ୍କ ପାଇଁ 'ପୁନର୍ବାସନର ସମୟ' ବୋଲି କହିଛନ୍ତି। ସେ ଭାରତ ବିଭାଜନ (Partition) ସମୟରେ ସିନ୍ଧୀ ପରିବାରମାନଙ୍କର କାହାଣୀକୁ ଉଦାହରଣ ଦେଇ କହିଛନ୍ତି ଯେ, ସେମାନେ ସବୁକିଛି ଛାଡ଼ି ଭାରତକୁ ଆସି ପୁନର୍ନିର୍ମାଣ କରି ସଫଳ ହୋଇପାରିଛନ୍ତି।

ଭେମ୍ୱୁ H-1B ଭିଜାରେ ରହିଥିବା ଭାରତୀୟମାନଙ୍କୁ କହିଛନ୍ତି, "ମୁଁ ଦୁଃଖରେ କହୁଛି, କିନ୍ତୁ ଆମେରିକାରେ H-1B ଭିଜାରେ ରହୁଥିବା ଭାରତୀୟମାନଙ୍କ ପାଇଁ ଏହା ସେହି ସମୟ। ନିଜ ଦେଶ, ନିଜ ଘରକୁ ଫେରନ୍ତୁ। ଜୀବନ ପୁନର୍ନିର୍ମାଣରେ ୫ ବର୍ଷ ଲାଗିପାରେ, କିନ୍ତୁ ଏହା ଆପଣଙ୍କୁ ମଜବୁତ କରିବ। ଭୟରେ ଜୀବନ ଯାପନ କରନ୍ତୁ ନାହିଁ। ସାହସୀ ପଦକ୍ଷେପ ନିଅନ୍ତୁ। ଆପଣ ଆଶାଠାରୁ ଭଲ କରିବେ।"

ଏହି ଫି ବୃଦ୍ଧି ପରେ Microsoft, Amazon ଏବଂ Meta ଭଳି ଟେକ୍ ଜାଏଣ୍ଟ୍‌ମାନେ ତାଙ୍କ କର୍ମଚାରୀମାନଙ୍କୁ ୨୧ ସେପ୍ଟେମ୍ବର ସୁଦ୍ଧା ଆମେରିକା ପୁନର୍ବାସନ କରିବାକୁ ସୂଚନା ଦେଇଥିଲେ। କିନ୍ତୁ ସୀମିତ ସମୟ ଓ ଭାରତର ପାର୍ବଣ ରିତୁ ଚାଲିଥିବାରୁ ଏହା ଦକ୍ଷ ପ୍ରଫେସନାଲ୍‌ମାନଙ୍କ ମଧ୍ୟରେ 'ରିଭର୍ସ୍ ମାଇଗ୍ରେସନ୍'(ନିଜ ଦେଶକୁ ଫେରିବା) ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।

ଭେମ୍ୱୁଙ୍କ ଅନୁସାରେ, ୨୦୨୫ ମସିହାରେ ଭାରତର ଡିଜିଟାଲ୍ ଇକୋନୋମି, କ୍ୟାପିଟାଲ୍ ମାର୍କେଟ୍ ଏବଂ ଗ୍ଲୋବାଲ୍ କମ୍ପାନୀମାନଙ୍କ R&D ହବ୍‌ଗୁଡ଼ିକ ନୂତନ ପ୍ରତିଭାମାନଙ୍କ ପାଇଁ ଅନେକ ସୁଯୋଗ ପ୍ରଦାନ କରୁଛି। ପୂର୍ବରୁ ଆମେରିକାକୁ ଏକମାତ୍ର ପଥ ବୋଲି ଭାବୁଥିବା ଅଭିଜ୍ଞତାହୀନ ଗ୍ରାଜୁଏଟ୍‌ମାନେ ଏବେ ଭାରତରେ ସ୍ଟାର୍ଟଅପ୍ ଇକୋସିଷ୍ଟମ୍‌ରେ ସଫଳ ହୋଇପାରନ୍ତି।

ଏହି ଘଟଣା ଭାରତୀୟ ଆଇଟି ପ୍ରଫେସନାଲ୍‌ମାନଙ୍କ ପାଇଁ ଏକ ନୂଆ ଅଧ୍ୟାୟର ସୂଚନା ଦେଉଛି।