ନୂଆଦିଲ୍ଲୀ,୨୪/୦୯: ଆସାମର ସବୁଜିମା ଭିତରୁ ବଲିଉଡ୍ର ସିଙ୍ଗିଙ୍ଗ୍ ସେନ୍ସେସନ୍ ପାଲଟିଥିବା ଜୁବିନ ଗର୍ଗଙ୍କ କଥା ସେତେବେଳେ ମନକୁ ଆସେ, ଯେତେବେଳେ ଇମ୍ରାନ ହାସ୍ମିଙ୍କ ଅଭିନିତ ଗ୍ୟାଙ୍ଗଷ୍ଟର ସିନେମାର ସେ ଲୋକପ୍ରିୟ ଗୀତ 'ୟା ଅଲି' ଆମେ ଶୁଣୁଛେ ବା ଗୁଣୁଗୁଣାଉଛେ। ୧୯ ସେପ୍ଟେମ୍ବର ୨୦୨୫...ଗୌହାଟିର ରାଜାରାସ୍ତା ଉପରେ ମର୍ମାହତ ଅଗଣିତ ଜନସମୁଦ୍ର ଯେତେବେଳେ ଏହି ଦିବଂଗତ କଣ୍ଠଶୀଳ୍ପୀଙ୍କ ମରଶରୀର ସହିତ ତାଙ୍କ ଶେଷ ଯାତ୍ରାରେ ସାମିଲ ଥିଲେ, ସେତେବେଳେ ହିଁ ମନେପଡ଼ୁଥାଏ ସେହି ସ୍ବର, ସେହି ସଂଗୀତ...ଆସାମ ସୁପରଷ୍ଟାର...ବର୍ତ୍ତମାନ, ସେହି ସୁପରଷ୍ଟାର ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁକୁ ନେଇ ଉଠିଛି ଅନେକ ପ୍ରଶ୍ନ, ପ୍ରଶ୍ନ ହେଉଛି, ଜୁବୀନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା ନା ଏକ ଷଡ଼ଯନ୍ତ୍ର ଥିଲା?
- ଜୁବୀନ ଗର୍ଗଙ୍କ ମୃତ୍ୟୁ ପଛରେ କ'ଣ ରହସ୍ୟ ଅଛି?
- ଜୁବିନ୍ ଦୁର୍ଘଟଣାର ଶିକାର ହୋଇଥିଲେ ନା ତାଙ୍କ ବିରୁଦ୍ଧରେ କୌଣସି ଷଡ଼ଯନ୍ତ୍ର ହୋଇଥିଲା?
- ସ୍କୁବା ଡାଇଭିଂ ନା ପହଁରିବା ପାଇଁ ଯାଇଥିଲା ଜୀବନ?
- ପାଣିରେ ବୁଡ଼ିବା ସମୟରେ ସୁରକ୍ଷା ନିୟମକୁ ଅଣଦେଖା କରାଯାଇଥିଲା କି?
- ଜୁବୀନଙ୍କ "ଶେଷ" ଭାଇରାଲ୍ ଭିଡିଓ ପଛରେ ସତ୍ୟ କ'ଣ?
ପ୍ରଖ୍ୟାତ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ଦୁଃଖ ସହ ମନରେ ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି କରିଛି। ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିାପରିନାହାନ୍ତି । ତାଙ୍କ ମୃତ୍ୟୁକୁ ଷଡ଼ ଯନ୍ତ୍ର କହି ତଦନ୍ତ ଦାବି କରୁଛନ୍ତି। ଜନଭାବନାର ଜବାବରେ, ଆସାମ ସରକାର କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ସମଗ୍ର ଆସାମରେ ୫୪ଟି ଏଫଆଇଆର ଦାୟର କରିଛନ୍ତି। ଏତିକିବେଳେ ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜୁବିନ ଗର୍ଗଙ୍କ ପୁରୁଣା ବନ୍ଧୁ ଶେଖର ଗୋସ୍ୱାମୀ ତାଙ୍କୁ ପାଣିକୁ ଯିବାକୁ ଚାପ ପକାଉଛନ୍ତି। କିନ୍ତୁ ଜୁବିନ୍ ଇଚ୍ଛୁକ କିମ୍ବା ମାନସିକ ଭାବରେ ପ୍ରସ୍ତୁତ ବୋଲି ଜଣାପଡ଼ୁନାହାନ୍ତି।
ଭାଇରାଲ ଭିଡିଓରେ, ଜୁବିନ ଗର୍ଗଙ୍କୁ କହୁଥିବାର ଶୁଣାଯାଉଛି ଯେ ଶେଖର ତାଙ୍କୁ ପହଁରା ଶିଖାଇଛନ୍ତି, ଜୁବିନଙ୍କୁ ପାଣିରେ ପ୍ରବେଶ କରିବାକୁ କହୁଛନ୍ତି। ଜୁବିନ ଶେଖରଙ୍କୁ ପଚାରୁଛନ୍ତି ଯେ ସେ ମଧ୍ୟ ପହଁରିବାକୁ ଯିବେ କି ? ଉତ୍ତରରେ ଶେଖର କହୁଛନ୍ତି... କମ୍ ଅନ୍...।" ଶେଖରଙ୍କ ବ୍ୟତୀତ, ଅନ୍ୟ ଦୁଇଜଣ ତାଙ୍କୁ ପାଣିରେ ପହଁରିବାକୁ ଅନୁରୋଧ କରୁଥିବାର ଭିଡିଓରେ ଶୁଣିବାକୁ ମିଳୁଛି ବୋଲି ଦାବି ହେଉଛି। କେବଳ ଏତିକି ନୁହେଁ ଏହି ଭିଡିଓ ଜୁବିନ ଗର୍ଗଙ୍କ ମୃତ୍ୟୁ ପୂର୍ବରୁ ଶେଷ ଭିଡିଓ ବୋଲି ଦାବି କରାଯାଉଛି। ଜୁବିନ୍ ଗର୍ଗଙ୍କ ପ୍ରଶଂସକମାନେ ଏହାକୁ ତାଙ୍କ ସୁରକ୍ଷା ପ୍ରତି ଅବହେଳା ବୋଲି କହୁଛନ୍ତି ଏବଂ ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି। କିନ୍ତୁ ଅନ୍ୟପଟେ ଶେଖର ଗୋସ୍ୱାମୀ ତମାମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଶେଖର କହିଛନ୍ତି ଯେ ଜୁବିନ୍ଙ୍କୁ ସେ ଜାହାଜରେ ନେଇ ନଥିଲେ, ବରଂ ଆସାମ ଆସୋସିଏସନର ଅନ୍ୟ କିଛି ସଦସ୍ୟ ଜୁବିନଙ୍କୁ ନେଇଥିଲେ। କିନ୍ତୁ ଏହା ଶେଷ ଭିଡିଓ ନୁହେଁ ବୋଲି ଶେଖର ଦାବି କରିଛନ୍ତି। କିନ୍ତୁ ରିପୋର୍ଟ ଅନୁଯାୟୀ, ଜୁବିନ୍ ଗର୍ଗ ପାଣିରେ ପହଁରିବାକୁ ଯିବା ବେଳେ ଲାଇଫ୍ ଜ୍ୟାକେଟ୍ ବ୍ୟବହାର କରି ନଥିଲେ, ଯାହା ଘାତକ ପ୍ରମାଣିତ ହୋଇଥିଲା ବୋଲି ଅନେକଙ୍କ ମତ... ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜୁବିନ୍ ଦ୍ୱିତୀୟ ଥର ପାଇଁ ଲାଇଫ୍ ଜ୍ୟାକେଟ୍ ବିନା ପାଣି ଭିତରକୁ ଯିବାର କୌଣସି ଭିଡିଓ ସାମ୍ନାକୁ ଆସିନି।ଏବେ ପ୍ରଶ୍ନ ଉଠୁଛି ଯେ, ସେହି ସମୟ ମଧ୍ୟରେ ଜାଣିଶୁଣି କୌଣସି ଭିଡିଓ ନିଆଯାଇନଥିଲା? ନା ଏପରି ଭିଡିଓ ସାମ୍ନାକୁ ଆଣା ଯାଇନି ? ଏହି ପ୍ରଶ୍ନଗୁଡ଼ିକ ତାଙ୍କ ମୃତ୍ୟୁକୁ ଆହୁରି ରହସ୍ୟ ଘେରକୁ ଟାଣି ନେଇଛି।
ଜୁବିନ୍ ଗର୍ଗ ଚତୁର୍ଥ ଉତ୍ତର-ପୂର୍ବ ଭାରତ ମହୋତ୍ସବ ପାଇଁ ସିଙ୍ଗାପୁର ଯାତ୍ରା କରିଥିଲେ, ଯେଉଁଠାରେ ଏମିତି ଘଟଣା ଘଟିଥିଲା। ସେପ୍ଟେମ୍ବର ୧୯ ତାରିଖରେ ସ୍କୁବା ଡାଇଭିଂ କରିବାକୁ ଯିବା ପରେ ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଲା, ସିଙ୍ଗାପୁରରେ ପୋଷ୍ଟମର୍ଟମ୍ କରାଯାଇଥିଲା, ଆଉ ଏହାର କାରଣ ପାଣିରେ ବୁଡ଼ି ଯିବାରୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ତାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିବା ପରେ, ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ତାଙ୍କ ସହଯୋଗୀ ଶେଖର ଗୋସ୍ୱାମୀଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି ଏବଂ ପୋଲିସରେ ସେମାନଙ୍କ ବିରୋଧରେ ଅନେକ ଅଭିଯୋଗ ଦାଖଲ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜେ ଏହି ସମ୍ପର୍କରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଡାକ ପକାଇଥିଲେ ଏବଂ ଏକ ଏଫଆଇଆର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତଥାପି, ଜୁବିନ ଗର୍ଗଙ୍କ ପତ୍ନୀ ଗରିମା ଗର୍ଗ ପରବର୍ତ୍ତୀ ସମୟରେ ସିଦ୍ଧାର୍ଥଙ୍କ ପକ୍ଷରେ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ସେ ସର୍ବଦା ଜୁବିନଙ୍କ ଭାଇ ପରି ଥିଲେ। ତାଙ୍କୁ ଜୁବିନଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାରୁ ବାରଣ କରାଯିବା ଉଚିତ୍ ନୁହେଁ। କିନ୍ତୁ ଶୁକ୍ରବାର ଦିନ ସିଙ୍ଗାପୁରରେ ଉତ୍ତର-ପୂର୍ବ ଭାରତ ମହୋତ୍ସବର ଆୟୋଜକ ଶ୍ୟାମକାନୁ ମହନ୍ତ ଏବଂ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିଚାଳକ ସିଦ୍ଧାର୍ଥ ଶର୍ମାଙ୍କ ବିରୋଧରେ ଏକାଧିକ ଏଫଆଇଆର ରୁଜୁ କରାଯାଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର କହିଛନ୍ତି। ଏସବୁ ଭିତରେ କିନ୍ତୁ ଜୁବିନଙ୍କ ପତ୍ନୀ ଗାରିମା ସାଇକିଆ ଗର୍ଗ କହିଛନ୍ତି ଯେ, ସିଦ୍ଧାର୍ଥ ଜୁବିନଙ୍କ ଭାଇ ପରି, ସେ ଏପରି କରିନଥିବେ। କିନ୍ତୁ ସତ କଣ ଆଗକୁ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ।