ଭୁବନେଶ୍ୱର ୦୯/୧୧: ଆସନ୍ତା ମାସ ୧୫ ତାରିଖରେ  କାର୍ତ୍ତିକ ପୂର୍ଣ୍ଣିମା । ସେହିଦିନ ବିନ୍ଦୁସାଗରରେ ଏକ ହଂସ  ଆକୃତିର ବୋଇତ ଭାସିବ ଯାହାର ଲମ୍ବ ୧୪ ଫୁଟ ଓ ଉଚ୍ଚା ୮  ଫୁଟ ରହିବ । ଏହାକୁ ନିର୍ମାଣ କରୁଛନ୍ତି ପୁରୁଣା ଭୁବନେଶ୍ୱର  ନଳାମୁହଁ ସାହିର କାରିଗର ହୃଷିକେଶ ବେହେରା । ଏଥିରେ  ୭ ସାଧବଙ୍କର ଦେଢଫୁଟିଆ ମାଟିର ମୂର୍ତ୍ତି ଅକର୍ଷଣ ସାଜିବ ।  ବୋଇତର ମୂଲ୍ୟ ୨୦ ହଜାର ଟଙ୍କା ରହିଛି । ହୃଷିକେଶଙ୍କୁ  ସହଯୋଗ କରୁଛନ୍ତି ସୌଦାମିନୀ ସାମଲ । ହୃଷିକେଶ ମଧ୍ୟ  ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ପାଇଁ ଆଉ ଏକ ବୋଇତ  ପ୍ରସ୍ତୁତ କରୁଛନ୍ତି ଯାହାର ଲମ୍ବ ସାଢେ ୭ ଫୁଟ ଓ ଉଚ୍ଚତା  ୫ ଫୁଟ ରହିଛି । ଏହି ବୋଇତର ମୂଲ୍ୟ ୧୨ ହଜାର ଟଙ୍କା ।  

ହୃଷିକେଶ ବୋଇତ ପ୍ରସ୍ତୁତ କରିବା ପାଇଁ ବାଉଁଶ, ସୋଲ,  ନଡ଼ା, ଚୁମୁକି, ରଙ୍ଗିନ କାଗଜ, କଣ୍ଟା, ମାଟି, ସୁତୁଲି, ରଙ୍ଗ  ବ୍ୟବହାର କରନ୍ତି । ହୃଷିକେଶ କହନ୍ତି, ସେ ବର୍ଷକୁ କେବଳ  ଏହି ୨ଟି ବୋଇତ ପ୍ରସ୍ତୁତ କରିଥାନ୍ତି । ଏଥିପାଇଁ ତାଙ୍କୁ ୧୫ ଦିନ  ଲାଗିଥାଏ । ବିନ୍ଦୁସାଗର ପାଇଁ ସେ ୨୦୦୫ ମସିହାରୁ ବୋଇତ  କରିଆସୁଥିବା ବେଳେ ଗତ ୪ ବର୍ଷ ହେବ ଚନ୍ଦ୍ରଶେଖରପୁର  ପାଇଁ ବୋଇତ ପ୍ରସ୍ତୁତ କରୁଛନ୍ତି । ସେ ମୁଖ୍ୟତଃ ୩ ପ୍ରକାର  ବୋଇତ ପ୍ରସ୍ତୁତ କରିଥାନ୍ତି ଯଥା-ମୟୁର, ହଂସ ଏବଂ ଚିଲ ।  ପୂର୍ବ ବର୍ଷ ବିନ୍ଦୁସାଗର ପାଇଁ ମୟୁର ଆକୃତିର ବୋଇତ ହୋଇଥିବାରୁ ଚଳିତ ବର୍ଷ ହଂସ ଆକୃତିର ବୋଇତ  ବିନ୍ଦୁସାଗରରେ ଭାସିବ ବୋଲି ସେ କହିଛନ୍ତି ।