ନୂଆଦିଲ୍ଲୀ ୨୩/୦୪: ଚିକିତ୍ସା ଜଗତରେ ଚମତ୍କାର । ବ୍ରିଟେନରେ ଜଣେ ଶିଶୁ ଦୁଇ ଥର ଜନ୍ମ ନେଇଛି । ୨୦ ସପ୍ତାହର ଗର୍ଭବତୀ ଅକ୍ସଫୋର୍ଡର ଶିକ୍ଷୟିତ୍ରୀ ଲୁସି ଇସାକ ଓଭାରିଆନ କ୍ୟାନ୍ସର୍‌କୁ ହଟାଇବା ପାଇଁ ୫ ଘଣ୍ଟାର ଅପରେସନ୍‌ କରାଇଲେ । ଏଥିରେ ଡାକ୍ତର ଅସ୍ଥାୟୀ ରୂପେ ତାଙ୍କ ଗର୍ଭାଶୟକୁ ହଟାଇଲେ । ତାଙ୍କର ଅଜନ୍ମା ପୁତ୍ର ସନ୍ତାନ ସେଥିରେ ସୁରକ୍ଷିତ ଭାବେ ଥିଲା । କର୍କଟ ଚିକିତ୍ସା ପରେ ଶିଶୁକୁ ପୁନଃ ତାଙ୍କ ଗର୍ଭରେ ରଖାଗଲା । 

୩୨ ବର୍ଷୀୟା ଲୁସି ୧୨ ସପ୍ତାହର ରୁଟିନ୍‌ ସ୍କାନ୍‌ ପରେ ଓଭାରିଆନ୍‌ କର୍କଟରେ ପୀଡ଼ିତ ଜଣାପଡ଼ିଲେ । ଚିକିତ୍ସାରେ ବିଳମ୍ବ ଜୀବନ ପାଇଁ ବିପଦ ବୋଲି ଡାକ୍ତର ଚେତାବନୀ ଦେଲେ । କିନ୍ତୁ ତାଙ୍କ ଗର୍ଭାବସ୍ଥାର ଅବଧି ବହୁତ ଅଧିକ ବଢ଼ିଯାଇଥିବାରୁ ସର୍ଜରି ସମ୍ଭବ ନ ଥିଲା । ଏହି ସ୍ଥିତିରେ ଜନ୍‌ ରାଡ୍‌କ୍ଲିଫ୍‌ ହସ୍ପିଟାଲର ଡା. ହୁମ୍ୟାନ୍‌ ସୋଲିମାନୀ ମଜ୍‌ଦ ଓ ତାଙ୍କ ଟିମ୍‌ ବିପଦପୂର୍ଣ୍ଣ ଅପରେସନ୍‌ର ଦାୟିତ୍ୱ ନେଲେ । ଶିଶୁ ଥିବା ଲୁସିଙ୍କ ଗର୍ଭାଶୟକୁ ବାହାର କରାଗଲା । ଏହି ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ରକ୍ତ ବାହିକାଗୁଡ଼ିକ ସହ ଏହାକୁ ଯୋଡ଼ି ରଖାଗଲା । ଲୁସିଙ୍କ ଶରୀରରେ ଗର୍ଭାଶୟକୁ ପନଃସ୍ଥାପିତ କରିବା ପୂର୍ବରୁ ପ୍ରତ୍ୟେକ ସୋପାନର ଗତିବିଧିକୁ ଯାଞ୍ଚ୍‌ କରାଗଲା । ଗର୍ଭାଶୟ ଭିତରେ ଶିଶୁକୁ ସୁରକ୍ଷିତ ଭାବେ ରଖି ଡା. ମାଜ୍‌ଦ ଓ ତାଙ୍କର ୧୫ ଜଣିଆ ଟିମ୍‌ ସଫଳତାପୂର୍ବକ ଅପରେସନ୍‌ କଲେ । 

ସର୍ଜରି ସମୟରେ ଲୁସିଙ୍କ ଗର୍ଭାଶୟକୁ ସୁରକ୍ଷିତ ତାପମାତ୍ରା ମଧ୍ୟରେ ରଖିବା ପାଇଁ ଗରମ ସାଲାଇନ୍‌ ପ୍ୟାକ୍‌ରେ ଗୁଡ଼ାଯାଇଥିଲା । ଦୁଇଜଣ ଡାକ୍ତର ଏହାକୁ ନିରନ୍ତର ଜଗି ରହିଥିଲେ । ଶିଶୁର ତାପମାତ୍ରାକୁ ନ କମାଇବା ପାଇଁ ପ୍ରତି ୨୦ ମିନିଟ୍‌ରେ ପ୍ୟାକ୍‌କୁ ବଦଳା ଯାଉଥିଲା । ସେପଟେ ଡାକ୍ତରଙ୍କ ଟିମ୍‌ ଯାଞ୍ଚ୍‌ ପାଇଁ ଟ୍ୟୁମର୍‌ର ନମୂନା ବାହାର କଲେ । ଏଥିରେ ଗ୍ରେଡ୍‌ ୨ କର୍କଟ ଜଣାପଡ଼ିଲା । କର୍କଟଗ୍ରସ୍ତ କୋଷିକାଗୁଡ଼ିକୁ ହଟାଇବା ପରେ ଗର୍ଭାଶୟକୁ ପୁନଃ ମୂଳ ସ୍ଥିତିରେ ରଖାଗଲା । ଏହା ପରେ ଲୁସିଙ୍କ ପେଟରେ ସର୍ଜରି କରାଗଲା । ଗତ ଜାନୁଆରୀ ଶେଷରେ ପୂର୍ଣ୍ଣ ଅବଧିର ଗର୍ଭାବସ୍ଥା ପରେ ଶିଶୁ ରାଫର୍ଟି ଜନ୍ମଗ୍ରହଣ କଲା, ତା’ର ଓଜନ ୬.୫ ପାଉଣ୍ଡ ଥିଲା ।