ଭୁବନେଶ୍ୱର ୩୧/୧୨: ଗ୍ରହ-ନକ୍ଷତ୍ରରେ ରୁଚି ରଖୁଥିବା ଲୋକେ ବର୍ଷ ଶେଷରେ ଏକ ବିରଳ ମହାଜାଗତିକ ଘଟଣା ଦେଖିବାର ସୁଯୋଗ ପାଇବେ । ଏହାର ନାଁ ‘ବ୍ଲାକ୍ ମୁନ୍’ । ଗୋଟିଏ କ୍ୟାଲେଣ୍ଡର ମାସରେ ଦୃଶ୍ୟମାନ ୨ୟ ନୂଆ ଚନ୍ଦ୍ରର ବର୍ଣ୍ଣନା ଲାଗି ଏହି ଆକର୍ଷଣୀୟ ଶବ୍ଦ ପ୍ରୟୋଗ କରାଯାଏ । ଏହି ଘଟଣାକୁ ଔପଚାରିକ ରୂପେ ନକ୍ଷତ୍ରବିଜ୍ଞାନରେ ମାନ୍ୟତା ମିଳିନାହିଁ । କିନ୍ତୁ ଅନେକ ବର୍ଷ ଧରି ଜ୍ୟୋତିର୍ବିଜ୍ଞାନୀ ଓ ନକ୍ଷତ୍ରବିଜ୍ଞାନୀଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟତା ପାଇଛି ।
ୟୁଏସ୍ ନାଭାଲ ଅବ୍ଜର୍ଭେଟୋରୀ ଅନୁସାରେ, ଏହି ଅନନ୍ୟ ଘଟଣା ଗତ ସୋମବାର ସନ୍ଧ୍ୟା ୫.୨୭ରେ ଦେଖାଯାଇଥିଲା । ଆମେରିକାରେ ଏହା ଗତ ସୋମବାର ଦୃଶ୍ୟମାନ ହୋଇଥିବା ବେଳେ ୟୁରୋପ, ଆଫ୍ରିକା ଓ ଏସିଆରେ ମଙ୍ଗଳବାର ଅର୍ଥାତ୍ ଆଜି ଦିଶିବ । ଭାରତରେ ‘ବ୍ଲାକ୍ ମୁନ୍’ ଆଜି ଅପରାହ୍ଣ ୩.୫୭ରେ ଦେଖିବାକୁ ମିଳିପାରେ । ବ୍ଲାକ୍ ମୁନ୍ ଏକ ବିରଳ ଘଟଣା । ଏଥିରେ ପୃଥିବୀରୁ ଚନ୍ଦ୍ର ଦୃଶ୍ୟମାନ ହୁଏନାହିଁ । ଗୋଟିଏ ମହାକାଶ ଦ୍ରାଘିମାରେ ସୂର୍ଯ୍ୟ ଓ ଚନ୍ଦ୍ର ରହିଲେ, ବ୍ଲାକ୍ ମୁନ୍ ଘଟଣା ଘଟେ । ଚନ୍ଦ୍ରର ଆଲୋକିତ ପାଶ୍ୱର୍ ପୃଥିବୀଠୁ ଦୂରରେ ରହୁଥିବାରୁ ଖାଲି ଆଖିରେ ଏହା ଦୃଶ୍ୟମାନ ହୁଏନାହିଁ ।
ବ୍ଲାକ୍ ମୁନ୍ ସହିତ ଯଦି ସୂର୍ଯ୍ୟ ପରାଗ ହୁଏ, କେବଳ ସେତେବେଳେ ହିଁ ଏହା ଦୃଶ୍ୟମାନ ହୁଏ । ଚନ୍ଦ୍ର ଚକ୍ର ହାରାହାରି ୨୯.୫ ଦିନର । ସେଥିପାଇଁ ବେଳେବେଳେ ଗୋଟିଏ ମାସରେ ଦୁଇଟି ନୂଆ ଚନ୍ଦ୍ର ଦେଖାଯାଇପାରେ, ଯାହାକୁ ବ୍ଲାକ୍ ମୁନ୍ କୁହାଯାଏ । ଏହି ଘଟଣା ବ୍ଲୁ ମୁନ୍ ଭଳି । ଏହି ଘଟଣାରେ ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣ ଚନ୍ଦ୍ର ଦେଖାଯାଏ । ଏହାକୁ ମଧ୍ୟ ସୂର୍ଯ୍ୟ ପରାଗ ବିନା ଖାଲି ଆଖିରେ ଦେଖିହୁଏ ନାହିଁ । ଯଦିଓ ବ୍ଲାକ୍ ମୁନ୍ ଦୃଶ୍ୟମାନ ହୁଏ ନାହିଁ, କିନ୍ତୁ ରାତ୍ରି ଆକାଶରେ ଏହାର ପ୍ରଭାବ ଗୁରୁତ୍ୱପୂର୍ଣ୍ଣ । ଅନ୍ଧକାର ଯୋଗୁ ନକ୍ଷତ୍ର, ଗ୍ରହ, ଏପରିକି ସୁଦୂର ଆକାଶଗଙ୍ଗାଗୁଡ଼ିକୁ ଦେଖିବା ସମ୍ଭବ ହୁଏ ।

ବାଇନୋକୁଲାର କିମ୍ବା ଟେଲିସ୍କୋପ୍ ମାଧ୍ୟମରେ ବୃହସ୍ପତି ଭଳି ଗ୍ରହକୁ ରାତି ସାରା ଦେଖିହୁଏ । ଶୁକ୍ର ଗ୍ରହ ସନ୍ଧ୍ୟା ଆକାଶରେ ଉଜ୍ଜ୍ୱଳ ଦିଶେ । ଉତ୍ତର ଗୋଲାର୍ଦ୍ଧରେ ବାସ କରୁଥିବା ଲୋକେ ଖାସ୍କରି ଓରିଅନ୍, ଟରସ୍ ଓ ଲିଓ ତାରାମଣ୍ଡଳକୁ ରାତ୍ରି ଆକଶରେ ଦେଖିପାରିବେ । ଓରିଅନ୍ର ବେଲ୍ଟ ଚମତ୍କାର ମାର୍ଗଦର୍ଶକ ହେବ । ଏହାର ଦକ୍ଷିଣରେ ରାତ୍ରି ଆକାଶରେ ସବୁଠୁ ଉଜ୍ଜ୍ୱଳ ନକ୍ଷତ୍ର ସିରିୟସ୍କୁ ଚିକ୍ମିକ୍ କରୁଥିବା ଦେଖିବାକୁ ମିଳିବ । ସେହିପରି, ଦକ୍ଷିଣ ଗୋଲାର୍ଦ୍ଧରେ ସଦର୍ନ କ୍ରସ୍ ଦୃଶ୍ୟମାନ ହେବ । ଏଥିସହ କାରିନା ନକ୍ଷତ୍ରମଣ୍ଡଳରେ କାନୋପସ୍କୁ ଦେଖିବାକୁ ମିଳିବ ।