- ବାଂଲାଦେଶରେ ମାହୋଲ ଉତ୍ତେଜିତ
- ଉତ୍ତ୍ୟକ୍ତ ଜନତା ଲଙ୍କାକାଣ୍ଡ
- BNP ନେତାଙ୍କ ଘରେ ନିଆଁ ଲଗେଇ ଦେଲେ
- ୭ ବର୍ଷୀୟ ନାବାଳିକା ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ - ଏହି ସମୟରେ ବାଂଲାଦେଶରେ ମାହୋଲ ଉତ୍ତେଜିତ ହୋଇ ଉଠିଛି । ଉତ୍ତ୍ୟକ୍ତ ଜନତା ଲଙ୍କାକାଣ୍ଡ ଘଟାଇଛନ୍ତି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ବେଲାଲ ହୋସେନଙ୍କ ଘର ଉପରେ ଉତ୍ତ୍ୟକ୍ତ ଜନତା ଆକ୍ରମଣ କରିବା ପରେ, ଜଣେ ୭ ବର୍ଷର ନାବାଳିକାଙ୍କୁ ଜୀବନ୍ତ ଜାଳି ଦିଆଯାଇ ଥିବା ଖବର ଆସିଛି। ଡେଲି ଷ୍ଟାଟ ଓ ଢାକା ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ, ଲକ୍ଷ୍ମୀପୁରରେ BNP ନେତାଙ୍କ ଘର ଶନିବାର ପୋଡ଼ି ଦିଆ ଯାଇଥିଲା। ପରିବାର ଲୋକେ ଘରେ ଥିବା ସତ୍ତ୍ୱେ ଘର ବାହାରେ ଥିବା ପ୍ରଦର୍ଶନକାରୀମାନେ ଘର ଉପରେ ନିଆଁ ଲଗେଇ ଦେଇଥିଲେ। ଏହି ଘଟଣା ରାତି ୧ଟାରେ ଘଟିଥିଲା। ଏହି ନିଆଁରେ ବେଲାଲଙ୍କ ୭ ବର୍ଷୀୟା ଝିଅ ଆୟେଶା ଅଖତର ଜଳି ଯାଇ ମୃତ୍ୟୁ ହୋଇଥିଲା। ଲକ୍ଷ୍ମୀପୁର ସଦର ମଡେଲ ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ ମହମ୍ମଦ ୱାହିଦ ପରଭେଜ ଘଟଣା ବିଷୟରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଜଣେ ଝିଅକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି।
ରିପୋର୍ଟ ଅନୁସାରେ, ଘରେ ନିଆଁ ଲାଗିବା ଦ୍ୱାରା ବେଲାଲ ହୁସୈନ ଏବଂ ତାଙ୍କର ଅନ୍ୟ ଦୁଇ ଝିଅ (୧୬ ବର୍ଷୀୟା ସଲମା ଅଖତର ଓ ୧୪ ବର୍ଷିୟା ସାମିଆ ଅଖତର) ଗୁରୁତର ଭାବେ ଜଳି ଯାଇଛନ୍ତି। ଝିଅମାନଙ୍କୁ ପରେ ଢାକା ମେଡିକାଲ କଲେଜ ହସ୍ପିଟାଲର ବର୍ନ ୟୁନିଟ୍କୁ ଟ୍ରାନ୍ସଫର କରିଦିଆ ଯାଇଛି ,ଯେଉଁଠି ଡାକ୍ତରମାନେ ତାଙ୍କର ଅବସ୍ଥା ଗୁରୁତର ବୋଲି କହିଥିଲେ।
ଡେଲି ଷ୍ଟାର ସହ କଥାବାର୍ତ୍ତାରେ, ବେଲାଲଙ୍କ ମାଆ ଆକ୍ରମଣ ନେଇ ସ୍ପଷ୍ଟ କରିଥିଲେ। ସେ ଦାବି କରିଥିଲେ ଯେ, ଦଙ୍ଗାକାରୀମାନେ ଘରକୁ ବାହାରୁ ବନ୍ଦ କରି ଦେଇ, ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ଉଲ୍ଲେଖନୀୟ ଯେ, ବାଂଲାଦେଶରେ ଶରିଫ୍ ଉସ୍ମାନ ହାଦିଙ୍କ ମୃତ୍ୟୁ ପରେ ହିଂସାକାଣ୍ଡ ଉପୁଜି ଥିଲା ,କାରଣ ସେ ୨୦୨୪ର ଛାତ୍ର ଜନ ଆନ୍ଦୋଳନର ପ୍ରମୁଖ ନେତା ଥିଲେ, ଯିଏକି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସରକାରକୁ ଭାଙ୍ଗି ଦେଇଥିଲେ। ୧୨ ଡିସେମ୍ୱର ୨୦୨୫ରେ ମସଜିଦରୁ ଆସୁଥିବା ବେଳେ ମୁଖାପିନ୍ଧା ଆକ୍ରମଣକାରୀମାନେ ଗୁଳି କରିଥିଲେ ଏବଂ ୧୮ ଡିସେମ୍ବରରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ହାଦିଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ମାତ୍ରେ ତାଙ୍କ ସମର୍ଥକମାନେ ନ୍ୟାୟ ଦାବି କରି ଢାକା ସମେତ ଅନେକ ସହରରେ ପ୍ରତିବାଦ ଆରମ୍ଭ କରିଥିଲେ, ଯାହା ହିଂସାତ୍ମକ ରୂପ ନେଇଥିଲା।