ହରିୟାଣାର ୧୩/୦୮: ହରିୟାଣାର ଜିନ୍ଦରେ ବିବାହର ୧୯ ବର୍ଷ ପରେ ଜଣେ ଦମ୍ପତିଙ୍କ ଘରେ ଝିଅ ଜନ୍ମ ହୋଇଛି । ଦୀର୍ଘ ୧୯ ବର୍ଷ ଅପେକ୍ଷା ପରେ ଦମ୍ପତି ସନ୍ତାନ ଆଶା ଛାଡ଼ି ଦେଇଥିଲେ । ଶେଷରେ ଭାଇଙ୍କ ପୁଅକୁ ପୋଷ୍ୟ କରିଥିଲେ । କିନ୍ତୁ ୧୯ ବର୍ଷ ୧ ମାସ ପରେ କୌଣସି ଔଷଧ ବିନା ଦମ୍ପତି ସନ୍ତାନ ସୁଖ ଲାଭ କଲେ । ଥୁଆ ଗାଁର ବାସିନ୍ଦା ଏହି ଦମ୍ପତି ଝିଅ ଜନ୍ମ ପରେ ଏକ ଭବ୍ୟ ଭୋଜିର ଆୟୋଜନ କଲେ । କେବଳ ନିଜ ଗାଁ ନୁହେଁ, ଆଖପାଖର ୨୧ ଗାଁକୁ ନିମନ୍ତ୍ରଣ କଲେ । ବିଶେଷତଃ ପୁତ୍ର ସନ୍ତାନ ପ୍ରାପ୍ତି ପରେ କରାଯାଉଥିବା କୂପ ପୂଜନ ବିଧି ସେମାନେ ପାଳନ କଲେ । ଡିଜେର ତାଳେ ତାଳେ ପୂରା ପରିବାର ଓ ମହିଳାମାନେ ଆନନ୍ଦରେ ନାଚିଲେ । କାର୍ଯ୍ୟକ୍ରମରେ ୨୪ ଖାପ୍ର ପ୍ରଧାନଙ୍କ ସମେତ ପ୍ରାୟ ୮ ହଜାର ଲୋକ ନବଜାତ କନ୍ୟାକୁ ଆଶୀର୍ବାଦ ଦେବାକୁ ପହଞ୍ଚିଲେ ।

ନବଜାତକର ବାପା ସୁରେନ୍ଦ୍ର କାଲୀରମଣ ଖାପ୍ର ଉପପ୍ରଧାନ ଅଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ପୁଅ ଓ ଝିଅ ସମାନ ବୋଲି ସମାଜକୁ ବାର୍ତ୍ତା ଦେବା ତାଙ୍କର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ୨୦୦୬, ଜୁନ୍ ୯ରେ ଝୀଲ୍ ଗାଁର କୃଷ୍ଣାଙ୍କ ସହ ସୁରେନ୍ଦ୍ରଙ୍କ ବିବାହ ହୋଇଥିଲା । ବିବାହର ଅନେକ ବର୍ଷ ପରେ ସନ୍ତାନ ନ ହେବାରୁ ଦମ୍ପତି ଅନେକ ହସ୍ପିଟାଲରେ ଚିକିତ୍ସା କରାଇଲେ । ପତ୍ନୀ ଗର୍ଭବତୀ ହେଲେ ମଧ୍ୟ ୨ୟ-୩ୟ ମାସରେ ଗର୍ଭପାତ ହୋଇଯାଉଥିଲା । ୧୦ରୁ ଅଧିକ ଥର କୃଷ୍ଣା ଗର୍ଭପାତ ଯନ୍ତ୍ରଣାର ସମ୍ମୁଖୀନ ହେଲେ । ପିଜିଆଇର ଡାକ୍ତର କହିଲେ, କୃଷ୍ଣାଙ୍କ ବ୍ଲଡ୍ଗ୍ରୁପ୍ ଯୋଗୁ ଏହି ସମସ୍ୟା ହେଉଛି । ଶେଷରେ ଉଭୟ ସନ୍ତାନ ଲାଭ ଆଶା ଛାଡ଼ିଦେଲେ । କିନ୍ତୁ ବର୍ଷକ ତଳେ କୃଷ୍ଣା ଗର୍ଭବତୀ ହେଲେ । ୨ୟ-୩ୟ ମାସ ସୁଦ୍ଧା କୌଣସି ସମସ୍ୟା ହେଲା ନାହିଁ । ଗର୍ଭରେ ସନ୍ତାନର ବୃଦ୍ଧି ଠିକ୍ ଥିବା ପରୀକ୍ଷାରୁ ଜଣାପଡ଼ିଲା । ଗତ ଜୁଲାଇ ୧୦ ତାରିଖରେ ଉଭୟ ଏକ ଶିଶୁ କନ୍ୟା ଲାଭ କଲେ । ଝିଅର ନାମ ରଖିଲେ ଭୂମି ।