ଗଜପତି, ୩।୪: ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ କରିବା ପାଇଁ ଗତ ସରକାର ଅମଳରେ ୫-ଟି ମାଧ୍ୟମରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହାଦ୍ୱାରା ଅନେକ ଉନ୍ନତି ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ସବୁ ପ୍ରକାର ସୁବିଧା ପାଉଥିବା ସରକାର ଦାବି କରିଥିଲେ । ହେଲେ ବାସ୍ତବ ସ୍ଥିତି କିନ୍ତୁ ସଂପୂର୍ଣ୍ଣ ଭିନ୍ନ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଲାଇଲାଇ ସ୍କୁଲର ସ୍ଥିତିକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି । ରୂପାନ୍ତରଣ ପାଇଁ ଆସିଥିବା ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଆଜି ଯାଏଁ ଅନେକ ନିର୍ମାଣ କାମ ହୋଇନାହିଁ କି ଆସବାବ ପତ୍ର ଆସିନାହିଁ । ଫଳରେ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅତିଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଚିରାଚରିତ ଢଙ୍ଗରେ ଉତ୍ତର ଦେଇଛନ୍ତି ସ୍ଥାନୀୟ ବିଡିଓ ।

ରାଜ୍ୟରେ ବିଇନ୍ନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ ଗତ ସରକାର ୫-ଟି ମାଧ୍ୟମରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ । ଏହାଦ୍ୱାରା ସାଧାରଣ ଲୋକେ ଅନେକ ଲାଭ ପାଉଥିବା ଏବେ ବି ଦାବି କରାଯାଉଛି । ହେଲେ ଏହାର ବାସ୍ତବ ସ୍ଥିତି କିନ୍ତୁ ପ୍ରଚାରର ଠିକ ଓଲଟା କଥା ବୟାନ କରୁଛି । ୫-ଟି ମାଧ୍ୟମରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ଗଜପତି ଜିଲ୍ଲାରେ ଏହାର ସଠିକ ଉପଯୋଗ ହୋଇନାହିଁ । ଏହାର ନଗ୍ନ ଉଦାହରଣ ହେଉଛି ଗଜପତି ଜିଲ୍ଲା ରାୟଗଡ ବ୍ଲକର ଲାଇଲାଇ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୫୧ ଲକ୍ଷ ଟଙ୍କା ଆସିଥିଲା । ୩୬ ଲକ୍ଷ ଟଙ୍କା ନିର୍ମାଣ କାମ ପାଇଁ ଆସିଥିବା ବେଳେ ୧୫ ଲକ୍ଷ ଟଙ୍କା ଆସବାବପ୍ର କିଣିବା ପାଇଁ ଆସିଥିଲା । ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଟଙ୍କା ରାୟଗଡ଼ ବିଡିଓଙ୍କ ଆଫିସ ଆକାଉଣ୍ଟକୁ ପଠାଯାଇଥିଲା । ଏହାପରେ କାମ ଆରମ୍ଭ ହୋଇଥିଲା । ହେଲେ ଆଜି ଯାଏଁ ନିର୍ମାଣ କାମ ଅଧପନ୍ତରିଆ ହୋଇ ପଡି ରହିଥିବା ବେଳେ ଆସବାବପତ୍ର ଗୋଟିଏ ବି ଆସିପାରିଲା ନାହିଁ । ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ବିଡିଓଙ୍କ ନିକଟକୁ ପତ୍ର ଲେଖି ନିର୍ମାଣ କାମ ସାରିବା ସହ ଆସବାବପତ୍ର ଯୋଗାଇଦେବା ପାଇଁ ଅନୁରୋଧ କରୁଥିଲେ ମଧ୍ୟ ତାହା କୌଣଶି ଫଳପ୍ରଦ ହେଉନାହିଁ । ଫଳରେ ଛାତ୍ରଛାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ସ୍କୁଲ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ।

ଗତ ୨୦୨୩ ମସିହା ମେ ମାସରେ ସ୍କୁଲକୁ ୫୧ ଲକ୍ଷ ଟଙ୍କା ଆସିଥିଲା । ସେହି ମାସରେ ହିଁ ଏହି ଟଙ୍କାକୁ ବିଡିଓଙ୍କ ଅଫିସ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ କାମ ଆରମ୍ଭ ହୋଇଥିଲା । ଏହାରି ଭିତରେ ୩ ବର୍ଷ ବିତି ସାରିଛି । ସରକାର ବି ବଦଳିସାରିଛି । ଗତ ସାଧାରଣ ନିର୍ବାଚନରେ ୫-ଟି ରେ ବ୍ୟାପକ ଦୁର୍ନିତୀ ହୋଇଥିବା ବିରୋଧୀ ଅଭିଯୋଗ କରିଥିଲେ । କିନ୍ତୁ, ସେତେବେଳର ସରକାର ଏହାକୁ ମାନିବାକୁ ନାରାଜ ଥିଲେ । ଓଲଟା ଏହାଦ୍ୱାରା ଅନେକ ଭଲ କାମ ହୋଇଛି ଯାହାର ସୁଫଳ ଲୋକେ ପାଉଥିବା ଦାବି କରିଥିଲେ । ହେଲେ ଏବେ ବାସ୍ତବ ସ୍ଥିତି ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ସ୍କୁଲରୁ ଆସିଥିବା ଟଙ୍କା କୌଣସି ଏଜେନ୍ସିକୁ ଦିଆଯାଇଛି ନା ଏବେ ବି ବିଡିଓଙ୍କ ଆକାଣ୍ଟରେ ପଡ଼ିରହିଛି ତାହାର ଉତ୍ତର କାହାରି ପାଖରେ ନାହିଁ । ବିଦ୍ୟାଳୟର ପାଚେରୀ କାମ ଅଧପନ୍ତରିଆ ହୋଇ ରହିଥିବା ବେଳେ ପାନୀୟ ଜଳ ସଙ୍କଟ ଦୂର ହୋଇପାରିନାହିଁ । ସେହିପରି ପିଲାଏ ବସିବା ପାଇଁ ଚେୟାର ବେଞ୍ଚ ଆସିନଥିବା ବେଳେ ବିଜ୍ଞାନ କିମ୍ବା ଗ୍ରାନ୍ଥାଗାର ଉପରକରଣ ଆସିନଥିବା ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି । ଏନେଇ ବିଡିଓ ଆସିଥିବା ଟଙ୍କାର ସ୍ଥିତିକୁ ନେଇ କୌଣସି ମତ ଦେଇନଥିବା ବେଳେ ଅତିଶୀଘ୍ର ଏହି ବିଦ୍ୟାଳୟର ସମସ୍ୟାର ସମାଧାନ କରାଯିବ ବୋଲି ନିଜର ଦାୟିତ୍ୱ ସାରି ଦେଇଛନ୍ତି । ଟଙ୍କା ଅଭାବରୁ ଅନେକ ପ୍ରକଳ୍ପ କାମ ଅଧପନ୍ତରିଆ ହୋଇ ପଡ଼ିରହିବା ନଜର ରହିଛି । କିନ୍ତୁ, ଟଙ୍କା ଥାଇ ମଧ୍ୟ ଦୀର୍ଘ ୩ ବର୍ଷ ହେଲାଣି ଏହି କାମ କାହିଁକି ସରୁନାହିଁ ଏବଂ ପିଲାଙ୍କ ସମସ୍ୟାର ସମାଧାନ କାହିଁକି ହେଉନାହିଁ ତାହାର ତଦନ୍ତ ଜରୁରୀ ହୋଇପଡ଼ିଛି ।