କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅଧୀନ ବିଜୟନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମୃତ ଗର୍ଭବତୀ ମହିଳାଙ୍କ ସତ୍କାର ନକରି ଛାଡି ଚାଲି ଆସିଛନ୍ତି। ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ତାଙ୍କର ସତ୍କାର କରାନଯାଇ ପେଟ ଚିରି ଭ୍ରୂଣକୁ ବାହାର କରି ଗଛମୂଳରେ ବସାଇ ଦେଇଥିଲେ ପରିବାର ଓ ଗ୍ରାମବାସୀ। ପରେ ସ୍ଥାନୀୟ ସମାଜସେବୀଙ୍କ ଉଦ୍ୟମରେ ମୃତ ମହିଳାଙ୍କ ସତ୍କାର କରାଯାଇଛି।
ଅଭିଯୋଗ ଅନୁସାରେ, ଏହି ଗ୍ରାମର ସନ୍ତୋଷ ସାହୁଙ୍କ ପତ୍ନୀ ପଦ୍ମିନୀ ବେହେରା (୨୭) ୪ ମାସ ହେବ ଗର୍ଭବତୀ ଥିଲେ। ଦୀର୍ଘଦିନ ହେବ ମଧୁମେହ ରୋଗରେ ମଧ୍ୟ ପୀଡିତ ଥିଲେ। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ରବିବାର ବିଳମ୍ବିତ ରାତି ପ୍ରାୟ ସାଢେ ୩ଟାରେ ମୃତ୍ୟୁ ଘଟିଥିଲା। ସୋମବାର ଅପରାହ୍ନରେ ପଦ୍ମିନୀଙ୍କୁ ତାଙ୍କ ପରିବାର ଲୋକେ ନିଜ ଗାଁ ବିଜୟନଗରକୁ ନେଇ ଆସିଥିଲେ। ହେଲେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁର ପରମ୍ପରା ଥିବା କହି ସନ୍ତୋଷଙ୍କ ପରିବାର ଲୋକେ ପଦ୍ମୀନୀଙ୍କ ଶବ ସତ୍କାର କରିବା ପରିବର୍ତ୍ତେ ଗ୍ରାମଠାରୁ ସୁଦୂର ସୁନ୍ଦରାପାଟ ଗୋବରୀ ନଦୀ ପଠାରେ ଜଙ୍ଗଲର ଏକ ନିଛାଟିଆ ସ୍ଥାନରେ ଗଛମୂଳରେ ମୃତଦେହକୁ ଡେରି ଦେଇ ଚାଲି ଆସିଥିଲେ। ତା ପୃର୍ବରୁ ମହିଳାଙ୍କ ପେଟ ଚିରି ଭ୍ରୂଣକୁ ବାହାର କରିଥିବାବେଳେ ସେଠାରେ ସେମାନଙ୍କୁ ଛାଡ଼ି ପଳାଇ ଆସିଥିଲେ।
ଘଟଣାଟି ଆଜି ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳର ସ୍ୱେଛାସେବୀ ଉକ୍ତ ପରିବାର ନିକଟରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ଘଟଣା ସମ୍ପର୍କରେ ସଚେତନ କରାଇଥିଲେ। ପରିବାର ଲୋକଙ୍କ ସହଯୋଗରେ ଆଜି ଅପରାହ୍ନରେ ପଦ୍ମିନୀଙ୍କ ଶବକୁ ପୋତି ଦିଆଯାଇଥିବା ଜଣାପଡିଛି।