ଭୁବନେଶ୍ଵର, ୨୭/୦୮ : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ। ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଉତ୍ତର-ପଶ୍ଚିମ ମୁହାଁ ହେବ। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ଅଧିକ ଛେଚିବ। ୩୦ରୁ ୪୦ କିମି ବେଗରେ ଝଟ୍କା ପବନ ବହିବ। ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
୨୪ ଘଣ୍ଟାରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରିରେ ସର୍ବାଧିକ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ୩ ଦିନ ହେଲା ଅବିଶ୍ରାନ୍ତ ବର୍ଷା ଲାଗିରହିଛି । ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଜିଲ୍ଲା ଜରୁରିକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ୬ଟାରୁ ମଙ୍ଗଳବାର ସକାଳ ୬ଟା ମଧ୍ୟରେ ହାରାହାରି ୩୩.୭୩ ମିମି ବର୍ଷା ରେକର୍ଡ କରାଯାଇଛି । ଲମତାପୁଟ ବ୍ଲକ୍ରେ ସର୍ବାଧିକ ୧୦୨.୨ ମିମି ବର୍ଷା ହୋଇଥିବା ବେଳେ ବୈପାରିଗୁଡ଼ା ବ୍ଲକ୍ରେ ୧୦୨ ମିମି, କୋରାପୁଟରେ ୨୨.୮ ମିମି, ପଟ୍ଟାଙ୍ଗିରେ ୨୨.୨ ମିମି, ବନ୍ଧୁଗାଁରେ ୧୩.୪ ମିମି, ନନ୍ଦପୁରରେ ୭.୦ ମିମି, ଦଶମନ୍ତପୁରରେ ୩୦.୦ ମିମି, ନାରାୟଣପାଟଣାରେ ୧୬.୨ ମିମି, ଲକ୍ଷ୍ମୀପୁରରେ ୨୯.୨ ମିମି, ସେମିଳିଗୁଡ଼ାରେ ୩୮.୦ ମିମି, ଜୟପୁରରେ ୧୮.୦ ମିମି, କୋଟପାଡ଼ରେ ୩୭.୦ ମିମି, କୁନ୍ଦୁରାରେ ୧୯.୬ ମିମି, ବୋରିଗୁମ୍ମାରେ ୧୪.୬ ମିମି ବର୍ଷା ହୋଇଛି । ଏହାର ପ୍ରଭାବରେ ଲମତାପୁଟ ବ୍ଲକ୍ରେ ୧୫ଟି ଘର ଭାଙ୍ଗିଥିବା ବେଳେ ନନ୍ଦପୁରରେ ୨ଟି, ଲକ୍ଷ୍ମୀପୁରରେ ୪ଟି, ବୋରିଗୁମ୍ମାରେ ୪ଟି, ବୈପାରିଗୁଡ଼ାରେ ୫ଟି ଘର ଭାଙ୍ଗିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।