ମଧ୍ୟପ୍ରଦେଶ ୨୭/୦୫: ଏକ ଗଣ ବିବାହ ଉତ୍ସବରେ ମଧ୍ୟପ୍ରଦେଶର ୪୨ ଜଣ ବର ଗୋଟିଏ ସ୍ଥାନରେ ଏକତ୍ର ହେଲେ । ବିଭିନ୍ନ ରଙ୍ଗର ଶେରୱାନି ସାଙ୍ଗକୁ ସମସ୍ତଙ୍କ ହାତରେ ଥିଲା ମିଠା ପ୍ୟାକେଟ୍ । କିନ୍ତୁ ଜଣେ ବି କନ୍ୟା ପହଞ୍ଚିଲେ ନାହିଁ । ପରେ ଜଣାପଡ଼ିଲା, ନକଲି ବିବାହ ସ୍କାମ୍ରେ ସେମାନେ ଫସିଯାଇଛନ୍ତି ।
ଗତ ରବିବାର ଦେୱସଠାରେ ଏହି ଘଟଣା ଘଟିଛି । ପୁଲିସ ଅନୁସାରେ, ଏହା କେବଳ ଆର୍ଥିକ ଠକେଇ ମାମଲା ନୁହେଁ, ବରଂ ଦେୱସ ଓ ପଡ଼ୋଶୀ ଜିଲ୍ଲାର ଛୋଟ ଛୋଟ ନଗରୀ ଓ ଗାଁରୁ ବିବାହ ଲାଗି ଆସିଥିବା ଏକାଧିକ ପୁରୁଷଙ୍କର ସାର୍ବଜନୀନ ଅପମାନ । ସନ୍ଧ୍ୟା ସୁଦ୍ଧା ବିବାହର ଆୟୋଜନ ହୋଇଥିବା ପଡ଼ିଆର ଦୃଶ୍ୟ କ୍ରୋଧ ଓ ଆକ୍ରୋଶରେ ବଦଳି ଯାଇଥିଲା । ଏକ ବଡ଼ ଧରଣର ବିବାହ ସ୍କାମ୍ରେ ଫସିଥିବା ୪୨ ବରଙ୍କ ପରିବାର ବୁଝିପାରିଲେ । ଏ ମାମଲାରେ ଇନ୍ଦୋର ସ୍ଥିତ ଏକ ଅନାଥାଳୟରୁ କନ୍ୟା ଆଣିବାର ପ୍ରତିଶ୍ରୁତିରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି ।
ପୁଲିସ ଅନୁସାରେ, ବିବାହ ବାହାନାରେ ଏହା ଏକ ସଂଗଠିତ ଠକେଇ ମାମଲା । ଅନେକ ଯୁବକଙ୍କ ତରଫରୁ ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କୁ ଠାବ କରାଯାଇଛି । ଅନାଥାଶ୍ରମ ସମ୍ପର୍କିତ ଦାବିର ମଧ୍ୟ ଯାଞ୍ଚ ଚାଲିଛି । ଦେୱସରେ ଗଣ ବିବାହ ଆୟୋଜନ ନିମନ୍ତେ ପ୍ରତିଶ୍ରୁତି ଦେଇଥିବା ମଧ୍ୟସ୍ଥିମାନଙ୍କୁ ବିବାହ ଲାଗି ପ୍ରତ୍ୟେକ ବର ୧୫,୦୦୦ରୁ ୨୫,୦୦୦ ଟଙ୍କା ଦେଇଥିଲେ । କିଛି ଯୁବକ କହିଛନ୍ତି, ସେମାନଙ୍କୁ କିଛି ସପ୍ତାହ ପୂର୍ବରୁ ମୋବାଇଲ ଫୋନ୍ରେ କନ୍ୟାଙ୍କ ଫଟୋ ଦେଖାଯାଇଥିଲା । ଆଉ କିଛି ଯୁବକଙ୍କୁ କୁହାଯାଇଥିଲା, କନ୍ୟା ଗରିବ କିମ୍ବା ଅନାଥ ଏବଂ ସେମାନେ ତୁରନ୍ତ ବିବାହ କରିବାକୁ ଚାହୁଁଛନ୍ତି ।
ହରନିୟାକଲାନ ଗାଁରୁ ଆସିଥିବା ରାହୁଲ କହିଛନ୍ତି, ପଞ୍ଜିକରଣ ଶୁଳ୍କ ରୂପେ ଆମ ସମସ୍ତଙ୍କୁ ୨୫ ହଜାର ଟଙ୍କା ଦେବାକୁ କୁହାଯାଇଥିଲା । କନ୍ୟାମାନେ ଇନ୍ଦୋର ସ୍ଥିତ ମାତ୍ରୁ ଛାୟା ଆଶ୍ରମର ବୋଲି ସେମାନଙ୍କୁ କୁହାଯାଇଥିଲା । ଫଟୋ ମାଗିବାରୁ ଆୟୋଜକମାନେ ସୋସିଆଲ ମିଡିଆରୁ ଡାଉନ୍ଲୋଡ କରି ଫଟୋ ଦେଖାଇଥିଲେ । ବିବାହ ପୂର୍ବ ଦିନ ଦେୱସ ଆସିବାକୁ ଏବଂ ପର ଦିନ ସକାଳେ ଗଣ ବିବାହ ଅନୁଷ୍ଠିତ ହେବ ବୋଲି ସେମାନଙ୍କୁ କହିଥିଲେ । ଯୌତୁକ ସାମଗ୍ରୀର ପ୍ରତିଶ୍ରୁତି ମଧ୍ୟ ସେମାନେ ଦେଇଥିଲେ । କିନ୍ତୁ ବିବାହ ସ୍ଥଳୀରେ ପହଞ୍ଚିବା ବେଳକୁ ସେଠାରେ କେହି ନ ଥିଲେ । ସମସ୍ତଙ୍କ ଫୋନ୍ ବନ୍ଦ ଥିଲା । ଅଶୋକ ନାମକ ଅନ୍ୟ ଜଣେ ବର କହିଛନ୍ତି, ସେମାନଙ୍କୁ ସାଧାରଣ ପୋଷାକରେ ଆସିବାକୁ କୁହାଯାଇଥିଲା । କାରଣ ବର ପୋଷାକ ଓ ସମସ୍ତ ବିବାହ ବିଧିର ବ୍ୟବସ୍ଥା ସେଠାରେ ହୋଇଛି । ହଳଦୀ ଓ ମେହନ୍ଦି ବିଧି ମଧ୍ୟ ବିବାହ ସ୍ଥଳୀରେ ହେବ ବୋଲି କୁହାଯାଇଥିଲା ।
ପରିବାର ସହିତ ଭୋପାଳରୁ ବିବାହ ସ୍ଥଳୀରେ ପହଞ୍ଚିଥିବା ଓମ୍ ପ୍ରକାଶ କହିଛନ୍ତି, ବଛା ବଛା କନ୍ୟାଙ୍କ ଫଟୋ ଆମ ମୋବାଇଲ ଫୋନ୍କୁ ପଠାଯାଇଥିଲା । ରାଜକୁମାରୀ ନାମ୍ନୀ ଜଣେ ମହିଳା କହିଛନ୍ତି, ମୋ ଭାଇର ବିବାହ ଲାଗି ଆମେ ଅନ୍ଲାଇନ୍ ଦସ୍ତାବିଜ ପୈଠ କରିଥିଲୁ । ବିବାହ ସ୍ଥଳୀରେ ପହଞ୍ଚିବା ପରେ ଆୟୋଜକମାନେ ସେମାନଙ୍କୁ ବାରମ୍ବାର କହିଲେ ଯେ ମ୍ୟାଡାମ୍ କନ୍ୟାଙ୍କ ସହିତ ରାସ୍ତାରେ ଅଛନ୍ତି । କିନ୍ତୁ ଅଧ ରାତି ଯାଏ କେହି ବି ଆସିଲେ ନାହିଁ । ଅନେକ ବର ବିବାହ ଲାଗି କାର୍ ଭଡ଼ା କରି ପହଞ୍ଚିଥିଲେ । ଅନେକ ପରିବାର ବନ୍ଧୁବାନ୍ଧବ ଓ ଅତିଥିଙ୍କୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ସମସ୍ତେ ଅପମାନିତ ହେଲେ ।
ଆହୁରି ପଢ଼ନ୍ତୁ...Monsoon Update: ଆରମ୍ଭରୁ ଠକିଲା ମୌସୁମୀ : ଛୁଇଁଲାନି କେରଳ, ଆଇଏମ୍ଡି କହିଥିଲା ୨୬ ମେ
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଘଟଣା ଗତ ୨୪ ତାରିଖରେ ସାମ୍ନାକୁ ଆସିଲା । ତା’ପରେ ଠକେଇ ମାମଲା ରୁଜୁ ହେଲା । ମୁଖ୍ୟ ଅଭିଯୁକ୍ତ ମୁକେଶ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ କାର୍ଯ୍ୟ ପ୍ରଣାଳୀ ବିଷୟରେ ବିସ୍ତୃତ ତଥ୍ୟ ପୁଲିସ ସଂଗ୍ରହ କରୁଛି । ଅଭିଯୁକ୍ତ ବିଦିଶା ଜିଲ୍ଲାର ହୋଇଥିବାରୁ ପୁଲିସ ଟିମ୍କୁ ସେଠାକୁ ପଠାଯାଇଛି ।