ନୂଆଦିଲ୍ଲୀ ୨୭/୧୦: ୩୦୦ କୋଟି ବର୍ଷ ତଳେ ୪ଟି ଏଭରେଷ୍ଟ ଶୃଙ୍ଗ  ଆକାରଯୁକ୍ତ ଏକ ବିଶାଳକାୟ ଗ୍ରହାଣୁ ପୃଥିବୀରେ  ମାଡ଼ ହୋଇଥିଲା । ଏହାର ପ୍ରଭାବ ଆମ ଗ୍ରହ  ପାଇଁ ଲାଭକର ପ୍ରମାଣିତ ହୋଇଥିଲା । ପୃଥିବୀରେ  ଜୀବଜଗତର ପ୍ରାରମ୍ଭିକ ବିକାଶରେ ଏହି ଗ୍ରହାଣୁର  ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା ବୋଲି ସଦ୍ୟତମ  ଅନୁସନ୍ଧାନରୁ ଜଣାପଡ଼ିଛି । 

ସାଧାରଣତଃ ପୃଥିବୀରେ ଯେତେବେଳେ ଏକ  ବିଶାଳ ମହାକାଶ ଶିଳା ମାଡ଼ ହୁଏ, ତା’ର ପ୍ରଭାବ  ବିନାଶକାରୀ, ବିଧ୍ୱଂସକାରୀ ହୋଇଥାଏ । ୬.୬ କୋଟି  ବର୍ଷ ତଳର ଗ୍ରହାଣୁ ମାଡ଼ ଏହାର ଉଦାହରଣ ।  ୟୁକାଟାନ୍‌ ଉପଦ୍ୱୀପ(ବର୍ତ୍ତମାନର ମେକ୍ସିକୋ) ରେ ଏହି ଗ୍ରହାଣୁ ମାଡ଼ ହୋଇଥିଲା । ଏହା ଯୋଗୁ  ଡାଇନୋସର ବଂଶ ଲୋପ ପାଇଥିବା ବୈଜ୍ଞାନିକ  ଅନୁସନ୍ଧାନରୁ ଜଣାପଡ଼େ । 

ଅଧ୍ୟୟନର ମୁଖ୍ୟ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଆର୍ଥ୍‌  ଆଣ୍ଡ ପ୍ଲାନେଟାରୀ ସାଇନ୍ସେସ୍‌ର ଆସିଷ୍ଟାଣ୍ଟ୍‌ ପ୍ରଫେସର  ନାଦ୍‌ଜା ଡ୍ରାବୋନ୍‌ କହିଛନ୍ତି, ୩୨୬ କୋଟି ବର୍ଷ  ତଳେ ପୃଥିବୀରେ ମାଡ଼ ହୋଇଥିବା ଏସ୍‌-୨ ଗ୍ରହାଣୁ  ଡାଇନୋସର ବଂଶ ବିନାଶକାରୀ ଗ୍ରହାଣୁ ତୁଳନାରେ  ୫୦-୨୦୦ ଗୁଣ ବିଶାଳ ଥିଲା । ସେତେବେଳେ  ପୃଥିବୀ ତା’ର ପ୍ରାରମ୍ଭିକ ସମୟରେ ଥିଲା । ଅଧ୍ୟୟନ  ମାଧ୍ୟମରେ ଡ୍ରାବୋନ୍‌ ଏସ୍‌-୨ ଉଲ୍‌କାର ପ୍ରଭାବକୁ  ବର୍ଣ୍ଣନା କରିଛନ୍ତି । ପୃଥିବୀରେ ଏହା ମାଡ଼ ହେବା  ପରେ କ’ଣ ଘଟିଥିଲା ତାହା ଦର୍ଶାଇଛନ୍ତି । ଅଧ୍ୟୟନର  ତଥ୍ୟ ପ୍ରୋସିଡିଙ୍ଗ୍‌ସ ଅଫ୍‌ ଦ ନ୍ୟାସ୍‌ନାଲ ଏକାଡେମୀ  ଅଫ୍‌ ସାଇନ୍ସେସ୍‌ରେ ପ୍ରକାଶ ପାଇଛି । 

ଡ୍ରାବୋନ୍‌ଙ୍କ ଅନୁସାରେ, ସେତେବେଳେ କୌଣସି  ଜଟିଳ ଜୀବର ବିକାଶ ହୋଇନଥିଲା । ବ୍ୟାକ୍ଟେରିଆ  ଓ ଆର୍କିଆ ରୂପେ କେବଳ ଏକକୋଷୀ ଜୀବ ଥିଲେ ।  ମହାସାଗରରେ ସମ୍ଭବତଃ କିଛି ଜୀବ ଥିଲେ, କିନ୍ତୁ  ବର୍ତ୍ତମାନ ଯେଉଁ ମାତ୍ରାରେ ଅଛନ୍ତି ସେମିତି ନ  ଥିଲେ । ଏହାର କାରଣ ପୋଷକତତ୍ତ୍ୱର ଅଭାବ ।  କିଛି ଲୋକ ଆର୍କିଆନ୍‌ ମହାସାଗରଗୁଡ଼ିକୁ ‘ଜୈବ  ମରୁଭୂମି’ ରୂପେ ବର୍ଣ୍ଣନା କରନ୍ତି । ‘ଆର୍କିଆନ୍‌ ଆର୍ଥ୍‌’  କିଛି ଦ୍ୱୀପଯୁକ୍ତ ଜଳଜଗତ ଥିଲା । ଏହା ଏକ ବିଚିତ୍ର  ଦୃଶ୍ୟ ହୋଇଥିବ, କାରଣ ଲୌହ-ସମୃଦ୍ଧ ଗଭୀର  ଜଳ ଯୋଗୁ ମହାସାଗରଗୁଡ଼ିକର ରଙ୍ଗ ସମ୍ଭବତଃ  ସବୁଜ ଥିଲା ବୋଲି ଡ୍ରାବୋନ୍‌ କହିଛନ୍ତି । 

ଏସ୍‌-୨ ଗ୍ରହାଣୁ ମାଡ଼ ଏକ ବୈଶ୍ୱିକ ଅରାଜକତା  ଥିଲା । କିନ୍ତୁ ଏହାର ପ୍ରଭାବରେ ଏଭଳି କିଛି ଉପାଦାନ  ମିଶିଥିଲା, ଯାହା ବୋଧହୁଏ ବ୍ୟାକ୍ଟେରିଆ ଜୀବନକୁ  ସମୃଦ୍ଧ କରିଥିଲା ବୋଲି ଡ୍ରାବୋନ୍‌ କହିଛନ୍ତି । ପୃଥିବୀ  ଗଠନର ପ୍ରାରମ୍ଭିକ ପର୍ଯ୍ୟାୟରେ ମହାକାଶର ଶିଳା  ମାଡ଼ ପ୍ରତି ପୃଥିବୀ ଓ ଏହାର ପ୍ରାରମ୍ଭିକ ଜୀବଙ୍କର  କିଭଳି ପ୍ରତିକ୍ରିୟା ଥିଲା, ତାହା ବୁଝିବାର ମାର୍ଗକୁ ଏହି  ତଥ୍ୟ ବଦଳାଇପାରେ । 

ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ, ପୃଥିବୀ ଇତିହାସର  ପ୍ରାରମ୍ଭରେ ଯୁବ ଗ୍ରହରେ ବାରମ୍ବାର ମହାକାଶ  ଶିଳା ମାଡ଼ ହୋଇଥିଲା । ଆକଳନ ଅନୁସାରେ,  ଅତିକମ୍‌ରେ ପ୍ରତି ୧.୫ କୋଟି ବର୍ଷରେ ୧୦ କିମିରୁ  ଅଧିକ ବିଶାଳ ମହାକାଶ ଶିଳା ପୃଥିବୀରେ ମାଡ଼  ହୋଇଥିଲା । ଅର୍ଥାତ୍‌ ଆର୍କିଆନ୍‌ ଅବଧି(୪୦୦  କୋଟିରୁ ୨୫୦ କୋଟି ବର୍ଷ)ରେ ଅତିକମ୍‌ରେ ୧୬ଟି  ବିଶାଳ ଗ୍ରହାଣୁ ପୃଥିବୀରେ ମାଡ଼ ହୋଇଥିଲା । 

କିନ୍ତୁ ଏଗୁଡ଼ିକର ପ୍ରଭାବ ସମ୍ପର୍କରେ ବିସ୍ତୃତ ଅଧ୍ୟୟନ  କରାଯାଇନାହିଁ । ପୃଥିବୀର ସର୍ବଦା-ପରିବର୍ତ୍ତିତ  ଭୂବିଜ୍ଞାନ, ଯେଉଁଥିରେ ଆଗ୍ନେୟଗିରି ଗତିବିଧି  ଓ ଟେକ୍ଟୋନିକ୍‌ ପ୍ଲେଟ୍‌ର ଗତିବିଧି ଦ୍ୱାରା ବିଶାଳ  ଗର୍ତ୍ତଗୁଡ଼ିକ ଆବୃତ୍ତ ହୋଇଛି । ସେଥିଯୋଗୁ କୋଟି  କୋଟି ବର୍ଷ ତଳେ କ’ଣ ଘଟିଥିଲା, ତାହା ଖୋଜିବା  କଷ୍ଟକର ହେଉଛି । ପ୍ରଥମ ମହାଦେଶ ଗଠନ  ପୂର୍ବରୁ ପୃଥିବୀର ଦୃଶ୍ୟ କିପରି ଥିଲା ଏବଂ ଭୟାନକ  ଉଲ୍‌କାର ପ୍ରଭାବ କିଭଳି ଗ୍ରହରେ ଜୀବଜଗତ  ବିକାଶକୁ ପ୍ରଭାବିତ କରିଥିଲା, ତାହା ବୁଝିବାକୁ  ଡ୍ରାବୋନ୍‌ ଓ ତାଙ୍କ ସାଥୀ ଅନୁସନ୍ଧାନକାରୀ ପ୍ରୟାସ  ଜାରି ରଖିଛନ୍ତି । 

ଡ୍ରାବୋନ୍‌ କହିଛନ୍ତି, ଗ୍ରହାଣୁ ମାଡ଼ ଘଟଣା ନିଶ୍ଚିତ  ଭାବେ ପୃଥିବୀରେ ଜୀବଜଗତର ଉତ୍ପତ୍ତି ଓ  ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥିବ ।  ଏ ବିଷୟରେ ତଥ୍ୟ ସଂଗ୍ରହ ଲାଗି ଡ୍ରାବୋନ୍‌  ଓ ତାଙ୍କ ସାଥୀ ଦକ୍ଷିଣ ଆଫ୍ରିକାର ବାରବର୍ଟୋନ  ମଖୋଞ୍ଜୱାର ପର୍ବତର ପଥରରେ ସୁରାକ  ଖୋଜିଥିଲେ । ସେଠାରେ ପର୍ବତ ପଥରରେ ୩୬୦  କୋଟିରୁ ୩୨୦ କୋଟି ବର୍ଷ ମଧ୍ୟରେ ଘଟିଥିବା  ୮ ଗ୍ରହାଣୁ ମାଡ଼ ଘଟଣାର ଭୂବୈଜ୍ଞାନିକ ପ୍ରମାଣ  ଦେଖିବାକୁ ମିଳେ । ଗ୍ରହାଣୁ ମାଡ଼ର ପ୍ରଭାବରେ  ‘ସ୍ପିୟରୁଲ୍ସ’ ନାମରେ ପରିଚିତ କ୍ଷୁଦ୍ର ଗ୍ରହାଣୁ  କଣିକା ସେମାନେ ଚିହ୍ନଟ କରିଥିଲେ ।

 ବିଶାଳ ଗ୍ରହାଣୁ ପୃଥିବୀରେ ମାଡ଼ ହେଲେ, ସ୍ଫଟିକ  ରୂପକ କ୍ଷୁଦ୍ର ଓ ଗୋଲାକାର କଣିକା ସୃଷ୍ଟି ହୁଏ ।  ଏଗୁଡ଼ିକ ପଥରରେ ପରସ୍ତ ସୃଷ୍ଟି କରନ୍ତି, ଯାହାକୁ  ସ୍ପିୟରୁଲ୍‌ ବେଡ୍‌ସ କୁହାଯାଏ । ଅଧ୍ୟୟନକର୍ତ୍ତା ବହୁ  ନମୁନା ସଂଗ୍ରହ କରିଥିଲେ ଏବଂ ପଥରଗୁଡ଼ିକର  ସଂରଚନା ଓ ଭୂରସାୟନବିଜ୍ଞାନର ବିଶ୍ଳେଷଣ  କରିଥିଲେ । ଏସ୍‌-୨ ଗ୍ରହାଣୁ ପ୍ରାୟ ୩୭-୫୮ କିମି  ଚଉଡ଼ା ଥିଲା । ଏହାର ପ୍ରଭାବ ଅତ୍ୟନ୍ତ ତୀବ୍ର ଓ  ଭୟାନକ ଥିଲା ବୋଲି ଡ୍ରାବୋନ୍‌ କହିଛନ୍ତି ।