ଓଡ଼ିଶା, ଯେଉଁଠି କୋଣାର୍କରେ ଲିପିବଦ୍ଧ କୀର୍ତ୍ତିରାଜିର କବିତା, ଯେଉଁଠି ପୂଜା ପାଉଛନ୍ତି କୋଟି କୋଟି ପ୍ରାଣର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ଚିଲିକାର ନୀଳ ଜଳରାଶିରେ ପହଁରେ ପ୍ରକୃତିରାଣୀ । ସମୁଦ୍ର କହେ ସାଧବପୁଅଙ୍କ ଗୌରବର ଗାଥା । ଆଖି ଖୋସିହେବା ଭଳି ହସ୍ତତନ୍ତ ଯେଉଁ ମାଟିର ପରିଚୟ । ସେହି ଭବ୍ୟଭୂମିର ପର୍ଯ୍ୟଟନ ବିକାଶ ଦେଶରେ ସାଜିଛି ଉଦାହରଣ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ୨୦୩୬ ସୁଦ୍ଧା ସମୃଦ୍ଧ ରାଜ୍ୟ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ନେବା ପାଇଁ ଓଡ଼ିଶା ଯାତ୍ରା ଆରମ୍ଭ କରିଛି । ଏଥିରେ ପର୍ଯ୍ୟଟନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଜନ୍ ଓଡ଼ିଶା ଅନୁଯାୟୀ ଆମର ଲକ୍ଷ୍ୟ ଏସିଆର ଶ୍ରେଷ୍ଠ ୫ଟି ଇକୋ କଲ୍ଚରାଲ୍ ଟୁରିଜିମ୍ ହବ୍ରେ ସ୍ଥାନ ହାସଲ । ୧୫ଟି ଆଇକନିକ୍ ସ୍ଥାନକୁ ବିକଶିତ ଏବଂ ୨୫ ଲକ୍ଷ ଜୀବିକା ସୃଷ୍ଟି । ଇକୋ ଟୁରିଜିମ୍, ଆଡ୍ଭେଞ୍ଚର୍ ଟୁରିଜିମ୍, ହେରିଟେଜ୍ ଟୁରିଜିମ୍, ୟାଟ୍ ଟୁରିଜିମ୍, କାରାଭାନ୍ ଟୁରିଜିମ୍, କଲ୍ଚରାଲ୍ ଟୁରିଜିମ୍ ଆଦିରେ ଅନେକ ସୁଯୋଗ ଥିଲାବେଳେ ୨୦୪୭ ସୁଦ୍ଧା ବର୍ଷକୁ ୫ କୋଟି ସ୍ୱଦେଶୀ ଓ ୭ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ରହିଛି । ଏଥିପାଇଁ ଆଗେଇ ଚାଲିଛି ଓଡ଼ିଶା ପର୍ଯ୍ୟଟନ । ପର୍ଯ୍ୟଟନ ବଜେଟ୍ ଛୁଇଁଛି ୮୦୦ କୋଟି । ରାଜ୍ୟକୁ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢ଼ିଛି । ଉତ୍କର୍ଷ ଓଡ଼ିଶାରୁ ନେଇ ୟୁକେ ପର୍ଯ୍ୟନ୍ତ ଓଡ଼ିଶା ପର୍ଯ୍ୟଟନ ପତିଆରା ସହ ପୁରସ୍କାର, ପ୍ରଶଂସା ସାଉଁଟି ଚାଲିଛି । ଓଡ଼ିଶା ପର୍ଯ୍ୟଟନର ନୂଆ ସୂର୍ଯ୍ୟୋଦୟ ହୋଇସାରିଛି, ଆଗକୁ ଲେଖା ହେବ ନୂଆ ଇତିହାସ । (ମନୋରଞ୍ଜନ ମହାନ୍ତି)
‘ସ୍ୱଦେଶ ଦର୍ଶନ ୨.୦'ରେ ଡେବ୍ରିଗଡ଼ ଓ ଖିଣ୍ଡା
ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ‘ସ୍ୱଦେଶ ଦର୍ଶନ ୨.୦' ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ଏବଂ ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟି ଖିଣ୍ଡା ଗ୍ରାମର ପର୍ଯ୍ୟଟନ ବିକାଶ ହେବ ।
୨୦ ନୂଆ ପର୍ଯ୍ୟଟନ ସ୍ଥଳୀ
ରାଜ୍ୟରେ ଯୋଡ଼ିହେଲା ୨୦ ନୂଆ ପର୍ଯ୍ୟଟନ ସ୍ଥଳୀ । ସଂଖ୍ୟା ୩୫୮ରୁ ବଢ଼ି ୩୭୮ ହେଲା । ନୂଆ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରହିଛି ୧୧ଟି ଧାର୍ମିକ ସ୍ଥଳୀ ଯଥା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ର ମୁଣ୍ଡିଆ ହନୁମାନ, ସୁବର୍ଣ୍ଣପୁର ଉଲୁଣ୍ଡାର ମା’ ମେଟାକାନି ମନ୍ଦିର, ଅନୁଗୁଳ ସଦରର ମନ୍ଦରଗିରି, ଛେଣ୍ଡିପଦାର ରାମଚଣ୍ଡୀ ପୀଠ, କଟକ ନିଶ୍ଚିନ୍ତ କୋଇଲି ବଳଦେବଜୀଉ ମନ୍ଦିର, ଶ୍ରୀଦଧିବାମନଜୀଉ ମନ୍ଦିର, ମାହାଙ୍ଗାର ଶ୍ରୀବିନୋଦ ବିହାରୀ ମନ୍ଦିର, ମାଣିକେଶ୍ୱର ମନ୍ଦିର, ବୀରଭଦ୍ରେଶ୍ୱର ମନ୍ଦିର, କେନ୍ଦୁଝର ଘଟଗାଁର ବାରହାଟିପୁରା ଶିବ ମନ୍ଦିର, ବରଗଡ଼ ଭଟଲୀ ଦଧିବାମନ ମନ୍ଦିର, ବୈଷ୍ଣୋଦେବୀ ମନ୍ଦିର, ଅମ୍ବାଭୋନାର କେଦାରନାଥ ଶିବ ମନ୍ଦିର, ଗଞ୍ଜାମ ଚିକିଟିର ମା’ ବାଳକୁମାରୀ ପୀଠ । ପିକ୍ନିକ୍ ସ୍ପଟ୍ରେ ଅନୁଗୁଳ ବଅଁରପାଳର ନାରାୟଣ ସେବାଶ୍ରମ, ସିନିକ୍ ସ୍ପଟ୍ରେ ବଲାଙ୍ଗିର ଦେଓଗାଁର ଚାନ୍ଦିଲି ପାହାଡ଼, କେନ୍ଦୁଝର ଆନନ୍ଦପୁରର ଦରଗଡ଼ିଶିଳା, ଡ୍ୟାମ୍ସାଇଟ୍ କେନ୍ଦୁଝର ପାଟଣାର ଡାବରଚୁଆଁ ଡ୍ୟାମ୍ । ଜଳପ୍ରପାତରେ ସମ୍ବଲପୁର ଯୁଯୁମରାର ଦେବଝରଣ, କେନ୍ଦୁଝର ତେଲକୋଇର ଟେଣ୍ଟେଇନାଳୀ, ବାଂଶପାଳର ଗିରିଡ଼ିବନ୍ଧ, ଝୁମ୍ପୁରାର କାଇଯୋଡ଼ା, ଘଟଗାଁର କାଇଁଝର । ଫଟୋଗ୍ରାଫିକ୍ ଓ ପେଣ୍ଟିଂ ପାଇଁ ସମ୍ବଲପୁର ନାକଟିଦେଉଳର ଭୀମମଣ୍ଡଳି । ସର୍ବାଧିକ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଗୁରୁତ୍ୱ ମିଳିଛି ।
ବଳରାମ ଦାସଙ୍କ ପୀଠକୁ ୨୨ କୋଟି
୨୨ କୋଟି ଟଙ୍କା ବ୍ୟୟରେ ଲକ୍ଷ୍ମୀ ପୁରାଣର ରଚୟିତା ଭକ୍ତ ବଳରାମ ଦାସଙ୍କ ଗୋପସ୍ଥିତ ପୀଠର ସର୍ବାଙ୍ଗୀନ ବିକାଶ କରାଯିବ । ପବିତ୍ର ସୁଦଶା ବ୍ରତ ଅବସରରେ ଏହି ନିଷ୍ପତ୍ତି ସୁଭଦ୍ରା ଭଉଣୀମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନର ଅନନ୍ୟ ଉଦାହରଣ ।
ଚମକିବ ଯୋରନ୍ଦା ଗାଦ
ଚମକିବ ଯୋରନ୍ଦା ମହିମା ଗାଦି । ୧୭୧ କୋଟି ୧୧ ଲକ୍ଷରେ ନିର୍ମାଣ ହେବ ଭବ୍ୟ ଶୂନ୍ୟ ମଣ୍ଡପ । ଏହା ଦ୍ୱାରା ମହିମା ଗାଦି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିବା ସହ ସ୍ଥାନୀୟ ଅଞ୍ଚଳର ୩୬ ମାସରେ ପ୍ରକଳ୍ପ ଶେଷ କରିବାକୁ ମେ ୨୮ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି ।
ପୁଣି ୨ ବେଳାଭୂମିକୁ ବ୍ଲୁଫ୍ଲାଗ୍ ମାନ୍ୟତା
ଗଞ୍ଜାମ ସୁନାପୁର, ପୁରୀ ବେଳାଭୂମିକୁ ପୁଣି ବ୍ଲୁଫ୍ଲାଗ୍ ବେଳାଭୂମି ମାନ୍ୟତା । ସୁନାପୁରକୁ ୩ ଥର, ପୁରୀକୁ ୭ମ ଥର ପାଇଁ ମିଳିଛି ଏହି ମାନ୍ୟତା । ବେଳାଭୂମିଗୁଡ଼ିକ ଅତ୍ୟଧିକ ସ୍ୱଚ୍ଛତା, ସ୍ଥିରତା ଓ ନିରାପତ୍ତା ଦୃଷ୍ଟିରୁ ଡେନ୍ମାର୍କର ଫାଉଣ୍ଡେସନ୍ ଫର୍ ଏନ୍ଭାରନ୍ମେଣ୍ଟାଲ୍ ଏଜୁକେସନ୍ ପକ୍ଷରୁ ଏହି ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ କରାଯାଇଛି । ଏଭଳି ମାନ୍ୟତା ପାଇଥିବା ଦେଶର ୧୩ ବେଳାଭୂମି ଭିତରେ ରହିଛି ଓଡ଼ିଶାର ୨ ।
ବିକାଶରେ ନୂଆ ମାଇଲଖୁଣ୍ଟ ୩ ଏମ୍ଓୟୁ
ଓଡ଼ିଶାର ଅମୂଲ୍ୟ ଐତିହ୍ୟ ସମ୍ପତ୍ତିର ସଂରକ୍ଷଣ, ପୁନରୁଦ୍ଧାର, ଜଳଭିତ୍ତିକ ଦୁଃସାହସିକ ପର୍ଯ୍ୟଟନ, ବୌଦ୍ଧ ତୀର୍ଥ ପର୍ଯ୍ୟଟନ ସହ ଓଡ଼ିଶା ପର୍ଯ୍ୟଟନ ବିକାଶରେ ନୂଆ ମାଇଲଖୁଣ୍ଟ ଯୋଡ଼ିବାକୁ ମାଡ୍ରାସ୍ ଆଇଆଇଟି, ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୱାଟର୍ ସ୍ପୋର୍ଟସ୍ (ଏନ୍ଆଇଡବ୍ଲୁଏସ୍), ଗୋଆ ଏବଂ ଲାଇଟ୍ ଅଫ୍ ବୌଦ୍ଧଧର୍ମ ଫାଉଣ୍ଡେସନ୍ ଇଣ୍ଟରନ୍ୟାସନାଲ୍ (ଏଲ୍ବିଡିଏଫ୍ଆଇ) ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ରଥଯାତ୍ରା, ବାଲିଯାତ୍ରା
ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ଐତିହାସିକ ପୁରୀ ରଥଯାତ୍ରା ଓ କଟକ ବାଲିଯାତ୍ରା ଯୋଡ଼ି ହୋଇଛି । ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ଏହି ଦୁଇ ଯାତ୍ରାକୁ ସାମିଲ କରାଯାଇଛି ।
୫୧ରୁ ୪୧ କ୍ଷତିରେ
ରାଜ୍ୟରେ କ୍ଷତିରେ ଚାଲୁଛି ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ । ବିଭିନ୍ନ ପରିବେଶ ପର୍ଯ୍ୟଟନସ୍ଥଳୀରେ ଥିବା ୫୧ଟି ଇକୋ କଟେଜ୍ରୁ ୪୧ଟି କ୍ଷତିରେ । ଲାଭ ଦେଉଛି ମାତ୍ର ୧୦ଟି । ଗତବର୍ଷ ଏଥିପାଇଁ ୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଚଳିତ ଅତିରିକ୍ତ ବଜେଟ୍ରେ ମଧ୍ୟ ଏଥିପାଇଁ ୮୦ କୋଟି ବଜେଟ୍ ଧାର୍ଯ୍ୟ ହୋଇଛି ।
ଝଲସିବ ମହାନଦୀ ତଟ
ଆରମ୍ଭ ହୋଇଛି ‘ମହାନଦୀ ନଦୀତଟ ବିକାଶ ଯୋଜନା’ । ନଦୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିବେଶ, ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ରରେ ପରିଣତ ହେବ । ୨୦୨୫ରୁ ୩ ବର୍ଷ ପାଇଁ ୨୪୦ କୋଟି ଖର୍ଚ୍ଚ ହେବ । ସମ୍ବଲପୁରର ମାଣ୍ଡାଲିଆରୁ ଚାଉଁରପୁର ପର୍ଯ୍ୟନ୍ତ ୧୬୦ କୋଟି ଏବଂ ଭୁବନେଶ୍ୱର ପାଣ୍ଡରା ନିକଟ କୁଆଖାଇ ଓ କୁଶଭଦ୍ରା ତଟ ବିକାଶ ପାଇଁ ୮୦ କୋଟି ଖର୍ଚ୍ଚ ହେବ ।
ସୁରକ୍ଷିତ ଉପକୂଳ, ନିରାପଦ ଜୀବନ
କୋଣାର୍କ ନିକଟ ରାମଚଣ୍ଡୀଠାରେ ଓଡ଼ିଶା ୱାଟର୍ମ୍ୟାନ୍ସିପ୍ ଏବଂ ଲାଇଫ୍ ଗାର୍ଡ ପ୍ରତିଷ୍ଠାନ(ଓସ୍ୱାଲି) ଉଦ୍ଘାଟନ ସାଙ୍ଗକୁ ଅତ୍ୟାଧୁନିକ ସ୍କୁବା କମ୍ପେ୍ଲକ୍ସର ଭିତ୍ତି ପଡ଼ିଛି । ଓଡ଼ିଶା ପର୍ଯ୍ୟଟନ, ଓଡ଼ିଶା ଅଗ୍ନିଶମ ଓ ଜରୁରିକାଳୀନ ସେବା ଏବଂ ଗୋଆର ଏନ୍ଆଇଡବ୍ଲୁଏସ୍ ମଧ୍ୟରେ ବୃତ୍ତିଗତ ଲାଇଫ୍ଗାର୍ଡ ତାଲିମ ପରିଚାଳନା, କ୍ଷମତା ବୃଦ୍ଧି ଏବଂ ରାଜ୍ୟରେ ଦୁଃସାହସିକ ଓ ଉପକୂଳ ପର୍ଯ୍ୟଟନର ପରିସରକୁ ବୃଦ୍ଧି କରିବା ପାଇଁ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଆଗାମୀ ଦିନରେ ଓଡ଼ିଶା ଦୁଃସାହସିକ ପର୍ଯ୍ୟଟନ ମାର୍ଗଦର୍ଶିକା କାର୍ଯ୍ୟକାରୀ କରିବା ଦିଗରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ସର୍ବାଧିକ ପର୍ଯ୍ୟଟକ ଆମେରିକା, ଜାପାନର
ସାମଗ୍ରିକ ଭାବେ ଓଡ଼ିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩ ଲକ୍ଷ ୮୩ ହଜାର ୫୫୬ ପର୍ଯ୍ୟଟକ ଓଡ଼ିଶା ଆସିଥିଲା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢ଼ିଛି । ବିଗତ ୫ ବର୍ଷ ମଧ୍ୟରେ ୧ ଲକ୍ଷ ୩୩ ହଜାର ୧୬୧ ଜଣ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ସର୍ବାଧିକ ଆମେରିକାରୁ ୬୫୨୯ ଏବଂ ତା’ ପଛକୁ ଜାପାନରୁ ୪୪୨୩ ଜଣ ପର୍ଯ୍ୟଟକ ଓଡ଼ିଶା ଆସିଥିଲା ବେଳେ ଇଟାଲୀରୁ ୩,୮୩୦, ଜର୍ମାନୀରୁ ୩,୭୨୨, ଇଂଲଣ୍ଡରୁ ୩,୭୧୫ ଏବଂ ଫ୍ରାନ୍ସରୁ ୩,୦୦୮ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ପାକିସ୍ତାନରୁ ୫ ଜଣ ପର୍ଯ୍ୟଟକ ଆସିଥିବା ରେକର୍ଡ କରାଯାଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଅନେକ ଯୋଜନା, ପ୍ୟାକେଜ୍ ସହ କାର୍ଯ୍ୟକ୍ରମ କରି ଉତ୍ସାହିତ ଭରୁଛନ୍ତି । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର, ପ୍ରସାର ପାଇଁ ରାଜ୍ୟ ସରକାର ୨୭ କୋଟି ୫୩ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିଛନ୍ତି । ବଡ଼ କଥା ହେଲା ଆମେରିକାର କଟକଣା ସତ୍ତେ୍ୱ ସର୍ବାଧିକ ପର୍ଯ୍ୟଟକ ଆମେରିକାରୁ ଆସିଛନ୍ତି । ଗତ ଜୁନ୍ରେ ୟୁଏସ୍ ଡିପାର୍ଟମେଣ୍ଟ ଅଫ୍ ଷ୍ଟେ୍ ପକ୍ଷରୁ ଟ୍ରାଭେଲ୍ ଆଡ୍ଭାଇଜରି ଜାରି ହୋଇଥିଲା । ଓଡ଼ିଶାକୁ ଗଲେ ମହିଳା ପର୍ଯ୍ୟଟକଙ୍କୁ ସ୍ୱତନ୍ତ୍ର ଅନୁମତି ନେବାକୁ କୁହାଯାଇଥିଲା । ଆମେରିକାର ଏଭଳି ନିର୍ଦ୍ଦେଶାନାମାକୁ ଘୋର ବିରୋଧ ସହ ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶା ସବୁଠୁ ସୁରକ୍ଷିତ ବୋଲି କୁହାଯାଇଥିଲା ।
ସଂରକ୍ଷିତ ସ୍ମାରକୀରେ ବାଣପୁର ସ୍ୱପ୍ନେଶ୍ୱର ମନ୍ଦିର
ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ର ପୁଞ୍ଜିଆମା ଗାଁ ବଙ୍କାଡ଼ଗଡ଼ରେ ଥିବା ଷଷ୍ଠ ଶତାବ୍ଦୀର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପକ୍ଷରୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରାଯାଇଛି । ଶୈଳୋଦ୍ଭବଙ୍କ ସାମ୍ରାଜ୍ୟ ଅର୍ଥାତ ଷଷ୍ଠ ଶତାବ୍ଦୀରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା । ପୁରାତନ କୀର୍ତ୍ତିରାଜିରେ ଭରପୂର ଏହି ମନ୍ଦିରର ସୁରକ୍ଷା ପାଇଁ ୧୯୭୭-୭୮ରେ ଏହାର ଦାୟିତ୍ୱ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଦିଆଯାଇଥିଲା ।
ରୋମାଞ୍ଚିତ କରିବ ଦୁଃସାହସିକ ପର୍ଯ୍ୟଟନ
‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା’ ଦୃଷ୍ଟିଭଙ୍ଗୀ ସହ ଓଡ଼ିଶାରେ ଦୁଃସାହସିକ ପର୍ଯ୍ୟଟନର ବିକାଶ ହେବ । ରାଜ୍ୟକୁ ପ୍ରମୁଖ ରୋମାଞ୍ଚକର ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ାଯିବ । ସାତକୋଶିଆରେ ରାଫ୍ଟିଙ୍ଗ୍ ଓ ହୀରାକୁଦରେ ହଟ୍ ଏୟାର ବେଲୁନ୍ ସହ ୩୦ ଜିଲ୍ଲାରେ ଦୁଃସାହସିକ ପର୍ଯ୍ୟଟନ ଆରମ୍ଭ ହେବ । ଓଡ଼ିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ମିଳିବ । ଏ କ୍ଷେତ୍ରକୁ ଏପରି ଆକର୍ଷଣୀୟ କରାଯିବ ଭାରତକୁ ଆସିଲେ, ପର୍ଯ୍ୟଟକ ପ୍ରଥମେ ଓଡ଼ିଶା କଥା ଭାବିବେ ।
ମା'ତାରିଣୀରୁ ତାରା ତାରିଣୀ
ବିଶ୍ୱସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳୀ କରିବାକୁ ଘଟଗାଁ ମା' ତାରିଣୀ ମନ୍ଦିରର ସମନ୍ୱିତ ବିକାଶ ପାଇଁ ୩୧୨ କୋଟି ମୂଲ୍ୟ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି । ୬୦ ଏକର ଜମିରେ ହେବ ଯାତ୍ରୀ ନିବାସ, ତୀର୍ଥଯାତ୍ରୀ କେନ୍ଦ୍ର, ବ୍ୟାଖ୍ୟାନ କେନ୍ଦ୍ର, ଫୁଡ୍ ପ୍ଲାଜା, ମାର୍କେଟ୍ କମ୍ପେ୍ଲକ୍ସ, ନଡ଼ିଆ ଗୋଦାମ, ପ୍ରସାଦ ସେବନ ହଲ୍ ଆଦି ସୁବିଧା । ସେହିପରି ଚମକିବ ମା’ ତାରାତାରିଣୀ ପୀଠ । ୬୮ କୋଟିରେ ଭିତ୍ତିଭୂମି ବିକାଶ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ସେଥିରେ ସ୍ୱୟଂଚାଳିତ ରନ୍ଧାଯନ୍ତ୍ର ସ୍ଥାପନ, ୯୯୯ ପଥର ପାହାଚର ପୁନଃନିର୍ମାଣ, ଯାନବାହାନ ରହଣି ସୁବିଧା, ସିଂହଦ୍ୱାର ସାମନାରେ ବହୁତଳ ଧର୍ମଶାଳା, ବଣଭୋଜିସ୍ଥଳ, ଉନ୍ନତ ରାସ୍ତାଘାଟ, ଆଲୋକୀକରଣ, ଋଷିକୂଲ୍ୟା ନଦୀ ପଠା ଉନ୍ନତୀକରଣ କାର୍ଯ୍ୟକ୍ରମ କରାଯିବ ।