ମିନେପୋଲିସ: ଆମେରିକାର ମିନେପୋଲିସ ସ୍ଥିତ ଏକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଏକ ବଡ଼ ଖୁଲାସା କରିଛି ଆମେରିକୀୟ ଅନୁସନ୍ଧାନକାରୀ ସଂସ୍ଥା ଏଫବିଆଇ । ଏଫବିଆଇ କହିଛି ଯେ ଗୁଳିକାଣ୍ଡ କରିଥିବା ବ୍ୟକ୍ତି ରବିନ ଓ୍ବେଷ୍ଟମ୍ୟାନ ଧାର୍ମିକ ଘୃଣା ଓ ଆତଙ୍କବାଦୀ ଚିନ୍ତାଧାରା ଦ୍ବାରା ଗଭୀରଭାବେ ପ୍ରଭାବିତ ଥିଲା । ଏପରିକି ସେ ଚାହୁଁଥିଲା ଯେ ଭାରତ ଉପରେ ପରମାଣୁ ବୋମା ପକାଯିବା ଉଚିତ୍ । ତେବେ ଅଭିଯୁକ୍ତ ଜଣେ ଯୁବକ ହୋଇଥିଲା ବେଳେ ନିଜକୁ ଏକ ମହିଳା ଭାବେ ପରିଚୟ ପ୍ରଦାନ କରୁଥିଲା। 

ସୂଚନା ମୁତାବକ, ଯୁକ୍ତରାଷ୍ଟ୍ରର ମିନେସୋଟାର ମିନେପୋଲିସ ସହରରେ ବୁଧବାର ସକାଳେ ଆନୁନସିଏସନ କ୍ୟାଥୋଲିକ ସ୍କୁଲରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଥିଲା। ଯେଉଁଥିରେ ଦୁଇ ଶିଶୁ ନିହତ ହେବା ସହ ୧୭ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ସାମିଲ ଥିବା ଅପରାଧୀ ଜଣଙ୍କ ହେଉଛି ୨୩ ବର୍ଷୀୟ ରବିନ ୱେଷ୍ଟମାନ। ଯିଏ ଏକ ରାଇଫଲ, ଶଟଗନ ଏବଂ ପିସ୍ତଲ ସହିତ ଚର୍ଚ୍ଚରେ ପ୍ରାର୍ଥନାରେ ବସିଥିବା ଶିଶୁମାନଙ୍କ ଉପରେ ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ। ପରେ ୱେଷ୍ଟମାନ ସ୍କୁଲର ପାର୍କିଂ ଲଟରେ ଆତ୍ମହତ୍ୟା କରିଥିବା ବିଶ୍ଵାସ କରାଯାଉଛି।

ପୋଲିସ ସୂଚନା ଅନୁସାରେ, ୱେଷ୍ଟମାନଙ୍କ ଅସ୍ତ୍ର ଏବଂ ମ୍ୟାଗାଜିନ ଉପରେ ଅନେକ ଭୟଙ୍କର ବାର୍ତ୍ତା ଲେଖା ଥିଲା। ଯେପରିକି “ଡୋନାଲ୍ଡ ଟ୍ରମ୍ପଙ୍କୁ ମାର”, “ଇସ୍ରାଏଲର ପତନ ହେବା ଜରୁରୀ”, “ଭାରତ ଉପରେ ପରମାଣୁ ବମ୍ ପଡିବା ଦରକାର”, “ଇସ୍ରାଏଲକୁ ଜାଳି ଦିଅ” ଏବଂ “ଶିଶୁମାନଙ୍କ ପାଇଁ”। ଏହା ସହିତ ଅନ୍ୟ କିଛି ବାର୍ତ୍ତା ଯେପରିକି “ତୁମର ଈଶ୍ଵର କେଉଁଠାରେ?” ଏବଂ “୬ ମିଲିୟନ ଯଥେଷ୍ଟ ନଥିଲା” ଇତ୍ୟାଦି। ଯାହାଫଳରେ ତାଙ୍କର ମାନସୀକ ବିକୃତି କିମାୱା ସେ କୌଣସି କଟ୍ଟର ଦଳ କିମ୍ୱା କୌଣସି ଆତଙ୍କୀ ସଂଗଠନ ସହ ଜଡିତ ଥାଇ ପାରନ୍ତି ବୋଲି ଏଫବିଆଇ ଅନୁମାନ କରୁଛି। 

ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଭାବେ ଏହି ଗୁଳିକାଣ୍ଡକୁ ଯୁକ୍ତରାଷ୍ଟ୍ରରେ ଚଳିତ ବର୍ଷର ୧୪୬ତମ ସ୍କୁଲ ସମ୍ବନ୍ଧୀୟ ଗୁଳିକାଣ୍ଡ ବୋଲି ଗଣନା କରାଯାଇଛି। ଏହି ଘଟଣା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁକ୍ତରାଷ୍ଟ୍ରରେ ଜାତୀୟ ପତାକାକୁ ଅର୍ଦ୍ଧନତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।