ଭୁବନେଶ୍ୱର, ୧୧/୦୫ : ମା’ ଠାରୁ ବଡ଼ ଶକ୍ତି କିଛିନାହିଁ । ଆମର ପ୍ରତ୍ୟେକ ସଫଳତା ପଛରେ ମା’ର ହାତ ଥାଏ । ତେଣୁ ଆମ ସମସ୍ତଙ୍କ ପାଇଁ ମା’ ହେଉଛି, ‘ସିକ୍ରେଟ୍ ଅଫ୍ ସୁପର ପାୱାର’ । ପ୍ରତି ସନ୍ତାନଙ୍କ ପାଇଁ ପ୍ରତ୍ୟେକ ଦିନ ହେଉଛି ‘ମାତୃ ଦିବସ’ । ମା’କୁ କୌଣସି ଉପହାର ଆବଶ୍ୟକ ନାହିଁ । ମା’କୁ କେବଳ ସ୍ନେହ, ଆଦର ଆବଶ୍ୟକ । ଏହାଠୁ ବଡ଼ ପ୍ରାପ୍ତି ତାଙ୍କ ପାଇଁ କିଛି ନାହିଁ । ଏହି ଅବସରରେ ‘ପ୍ରମେୟ’ ମୁଖ୍ୟାଳୟରେ ‘ମା’ ପାଇଁ କବିତାଟିଏ’ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ସାରା ଓଡ଼ିଶାର ବିଭିନ୍ନ କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ପୁରସ୍କାର ବିଜେତା ହେବା ବଡ଼ କଥା ନୁହେଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସମସ୍ତଙ୍କ ଆଗରେ ନିଜ ମା’ଙ୍କ ପାଇଁ ଛାତି ଭିତରୁ ଶବ୍ଦ ଓ ଭାବନା ବାହାର କରି କବିତା ଆବୃତ୍ତି କରୁଛନ୍ତି, ତାହା ହିଁ ବଡ଼। ରବିବାର ମାତୃଦିବସ ଅବସରରେ ‘ପ୍ରମେୟ’ ପକ୍ଷରୁ ଆୟୋଜିତ ‘ମା’ ପାଇଁ କବିତାଟିଏ’ ପ୍ରତିଯୋଗିତାରେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ର ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ଏପରି କହିଛନ୍ତି । ଘାଟିକିଆସ୍ଥିତ ‘ପ୍ରମେୟ’ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ୭୨ ଜଣ ଛାତ୍ରଛାତ୍ରୀ ଅଶଂଗ୍ରହଣ କରିଥିଲେ । ପ୍ରତିଯୋଗୀଙ୍କ ମଧ୍ୟରୁ ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ରୀ ସଂସ୍କୃତି ପଲାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କୁ ଏକ ମେଡାଲ୍, ପ୍ରମାଣପତ୍ର ସହ ୩ ହଜାର ଟଙ୍କା ଅର୍ଥରାଶିରେ ପୁରସ୍କୃତ କରାଯାଇଛି । ପୋଖରୀପୁଟ ଡିଏଭି ପବ୍ଲିକ୍ ସ୍କୁଲର ଛାତ୍ରୀ ସୁହାନା ଖାତୁନ୍ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ତାଙ୍କୁ ଏକ ମେଡାଲ, ପ୍ରମାଣପତ୍ର ସହ ୨ ହଜାର ଟଙ୍କାର ଅର୍ଥରାଶି ପୁରସ୍କୃତ କରାଯାଇଛି । ବୀଣା ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ ସଞ୍ଜନା ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ତାଙ୍କୁ ଏକ ମେଡାଲ, ପ୍ରମାଣପତ୍ର ସହ ୧ ହଜାର ଟଙ୍କାର ଅର୍ଥରାଶି ପୁରସ୍କୃତ କରାଯାଇଛି । ଏଥିସହ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଉପହାର ପ୍ରଦାନ କରାଯାଇଛି ।

ଏହି ଅବସରରେ ‘ପ୍ରମେୟ’ ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ସ୍ୱାଗତ ଭାଷଣ ଦେଇ କହିଲେ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମା’ର ସ୍ଥାନ କେହି ନେଇ ପାରିବେ ନାହିଁ । ମା’ର ତୁଳନା ନାହିଁ, ସେ ଅତୁଳନୀୟ । ଆଜିର ଶିଶୁ ଆମ ସମାଜର ଭବିଷ୍ୟତ । ମା’ର ମମତା ମନେ ପକାଇ ଦେବା ପାଇଁ ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ‘ପ୍ରମେୟ’ ରାଜ୍ୟର ଏକ ନମ୍ବର ଖବର କାଗଜ । ଆମର ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କ ଦିଗ୍ଦର୍ଶନରେ ଆମେ ପିଲାଙ୍କ ପାଇଁ ମାଟ୍ରିକ ଗାଇଡ୍ ପ୍ରକାଶ କରୁଛୁ । ଆମେ କେବଳ ଖବରକାଗଜ ଛାପି ବିକ୍ରି କରି ଆମର ଦାୟିତ୍ୱ ସଂପାଦନ କରୁନୁ । ଆମର ଦାୟିତ୍ୱ ହେଉଛି ସାମାଜିକ ମୂଲ୍ୟବୋଧକୁ ବିସ୍ତାର କରିବା । ଅସ୍ମିତାକୁ ଜାବୁଡ଼ି ଧରିବା ହେଉଛି ଆମର ଦାୟିତ୍ୱ । ମା’, ମାଟିକୁ ଜାଗୃତି କରିବା ଆମର ଲକ୍ଷ୍ୟ ।

କାର୍ଯ୍ୟକ୍ରମ ଆରମ୍ଭରେ ଫଟୋ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ସ୍ୱଦେଶ ମହାନ୍ତି ‘ମା’ ପରି କିଏ ହେବ’ ସଂଗୀତ ପରିବେଷଣ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନେ ସ୍ୱଲିଖିତ କବିତା ଆବୃତ୍ତି କରିଥିଲେ । ଅନେକ ଛାତ୍ରଛାତ୍ରୀ ମା’ ଉପରେ ସଂଗୀତ ମଧ୍ୟ ପରିବେଷଣ କରିଥିଲେ । କବିତା ଆବୃତ୍ତି ପ୍ରତିଯୋଗିତାରେ ବିଚାରକ ଭାବେ ବରିଷ୍ଠ କବି ସୂର୍ଯ୍ୟ ମିଶ୍ର, ବରିଷ୍ଠ କବୟିତ୍ରୀ ଚିରଶ୍ରୀ ଇନ୍ଦ୍ରସିଂ ଏବଂ ଯୁବ କବି ସ୍ୱୟଂସମ୍ପନ୍ନା କର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବାର୍ତ୍ତା ସଂପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର, ପ୍ରସାର ବିଭାଗ ଡିଜିଏମ୍ ଗଜେନ୍ଦ୍ର ଦାସ, ଏଜିଏମ୍ ରମାକାନ୍ତ ମଲ୍ଲିକ, ବିଜ୍ଞାପନ ବିଭାଗ ଡିଜିଏମ୍ ଶେଖ୍ ଫଜଲ ଅଲ୍ଲୀ, ଫିଚର ହେଡ୍ ସୁଭାଷ ଶତପଥୀ, ଭୁବନେଶ୍ୱର ସଂସ୍କରଣ ମୁଖ୍ୟ ହିମାଂଶୁ ଭୂଷଣ ଓଝା, ଚିଫ୍ ରିପୋର୍ଟର ମୁକେଶ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ‘ପ୍ରମେୟ’ ଡିଜିଟାଲ ହେଡ୍ ସରୋଜ କୁମାର ସାହୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଭୁବନେଶ୍ୱର ପ୍ରସାର ବିଭାଗ ଟିମ୍ ଲିଡର ପ୍ରିୟରଞ୍ଜନ ଜେନା ଧନ୍ୟବାଦ ଦେଇଥିଲେ ।

​​​​​​​