ଭୁବନେଶ୍ୱର,୦୨/୧୧: ଖୁସି ଖବର,  ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ପ୍ରତିଷ୍ଠା  ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା-(ଏନ୍‌ଏସ୍‌ଡି)ର ଆଞ୍ଚଳିକ  ଶାଖା (ଆଉଟ୍‌ ରିଚ୍‌ ସେଣ୍ଟର୍‌) । ଏନେଇ ଓଡ଼ିଶା  ରାଜ୍ୟ ସରକାର ବିଧିବଦ୍ଧ ଭାବେ ଅନୁମୋଦନ  ପ୍ରଦାନ କରିଛନ୍ତି । ପ୍ରାଥମିକ ସ୍ତରରେ ଏହା  ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଗୁରୁ  କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା  କେନ୍ଦ୍ରରେ ଅସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ ।  ସ୍ଥାୟୀ କ୍ୟାମ୍ପସ୍‌ ନିର୍ମାଣ ହେବା ପରେ ସେଠାକୁ  ସ୍ଥାନ୍ତାନ୍ତରଣ ହେବ । ଆସନ୍ତା ୨୫ ତାରିଖରୁ  ନାମଲେଖା ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ  ବ୍ୟାଚ୍‌ରେ ୨୮ ଛାତ୍ରଛାତ୍ରୀଙ୍କ ଲାଗି ସିଟ୍‌ ରହିଛି  ବୋଲି ସୂଚନା ମିଳିଛି । 

ଏନ୍‌ଏସ୍‌ଡିର ଆଞ୍ଚଳିକ ଶାଖା ଓଡ଼ିଶାରେ  ପ୍ରତିଷ୍ଠା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି  ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା  କରି ପ୍ରସ୍ତାବ ରଖିଥିଲେ । ସରକାରଙ୍କ ତରଫରୁ  ବିଧିବଦ୍ଧ ଅନୁମୋଦନ ମିଳିବା ପରେ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, ଏହା ଆମ ପାଇଁ ଗର୍ବ  ଓ ଗୌରବର ବିଷୟ । ଚଣ୍ଡିଗଡ଼, ବାରଣାସୀ,  ଗ୍ୟାଙ୍ଗଟକ୍‌ ପରେ ଭୁବନେଶ୍ୱରରେ ଏନ୍‌ଏସ୍‌ଡିର ୪ର୍ଥ ଆଞ୍ଚଳିକ ଶାଖା ପ୍ରତିଷ୍ଠା ହେବ । ଅଭିନୟ,  ଲିଖନ, ନିର୍ଦ୍ଦେଶନା ଓ ଡିଜାଇନ୍‌ ଭଳି  ପାଠ୍ୟକ୍ରମ ଶିକ୍ଷା ଦିଆଯିବ । ଯାହା ଏ କ୍ଷେତ୍ରରେ ଗୁଣାତ୍ମକମାନକୁ ବୃଦ୍ଧି କରିବ । ଏଥିସହ ଏହି  ଶାଖା ନିଚ୍ଛକ ଓଡ଼ିଆ ନାଟକ ପ୍ରଦର୍ଶନ ଓ ଏହାର  ପ୍ରଚାର, ପ୍ରସାର ଏବଂ ସମ୍ପ୍ରସାରଣ କ୍ଷେତ୍ରରେ  ପ୍ରମୁଖ ଭୂମିକା ନିର୍ବାହ କରିବ ।  

ନାଟକ ଏବଂ ଅଭିନୟ କ୍ଷେତ୍ରରେ  ଭବିଷ୍ୟତ ନିର୍ମାଣ କରିବାକୁ ଚାହୁଁଥିବା ସମସ୍ତ  ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ  ସୁଯୋଗ । ସେମାନେ ଏଠାରେ ଉଚ୍ଚକୋଟୀର  ପ୍ରଶିକ୍ଷଣ ଲାଭ କରିବା ପରେ ଅର୍ନ୍ତରାଷ୍ଟ୍ରୀୟ  ସ୍ତରରେ ନାଟକ ମାଧ୍ୟମରେ ଓଡ଼ିଆ ଭାଷା,  ସାହିତ୍ୟ, କଳା, ସଂସ୍କୃତି ଓ ଇତିହାସର ବହୁଳ  ପ୍ରଚାର, ପ୍ରସାର କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ  ସୂରଜ କହିଛନ୍ତି ।  

ପ୍ରକାଶଯୋଗ୍ୟ ଯେ ଓଡ଼ିଶାର ବିଶିଷ୍ଟ  ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ ଏହାର  ନିର୍ଦ୍ଦେଶକ ଅଛନ୍ତି । ଓଡ଼ିଶାର ବିଶିଷ୍ଟ ଅଭିନେତା  ବିଜୟ ମହାନ୍ତି, ଅଜିତ୍‌ ଦାସ, ସୂର୍ଯ୍ୟ ମହାନ୍ତିଙ୍କ  ଭଳି ଅନେକ କଳାକାର ଏହି ବିଦ୍ୟାଳୟର ଛାତ୍ର  ରହି ଆସିଛନ୍ତି । ଏବେ ଆଞ୍ଚଳିକ ଶାଖା ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆ ନାଟ୍ୟ  ପରମ୍ପରାକୁ ବିଶେଷ ଲାଭ ହେବ ।