ପୁରୀ/କଣାସ,୦୭/୧୦: ଲକ୍ଷ୍ମୀ ବସ୍ ଭିତରେ ଯୁବକଙ୍କ ଉନ୍ମତକାଣ୍ଡ।  କଟୁରୀରେ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ  । ଫଳରେ ୪ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତ ହେଲେ ସୁକଳର ତପନ ଭୋଇ ।

ସୂଚନା ମୁତାବକ, ଗଡ଼ିଶାଗଦା ହରଶପଡ଼ାରୁ ଲକ୍ଷ୍ମୀ ବସରେ ଯାତ୍ରୀମାନେ ଆସୁଥିବା ବେଳେ ଅଭିଯୁକ୍ତ ଅତର୍କିତ ଆକ୍ରମଣ କରିଥିଲା । ବିନ୍ଧଣ ଗ୍ରାମ ନିକଟରେ ବସରେ ଚଢ଼ି ତପନ ଯାତ୍ରୀଙ୍କ ସହ ପ୍ରଥମେ ଦୁର୍ବବ୍ୟହାର କରିଥିଲା । ଏହାକୁ ଯାତ୍ରୀ ଜଣକ ପ୍ରତିବାଦ କରିବାରୁ ଯୁକ୍ତିତର୍କ ହୋଇଥିଲା ।  ଏହି ସମୟରେ ତପନ ନିଜ ବ୍ୟାଗରୁ  କଟୁରୀ କାଢି ଜଣକ ପରେ ଜଣକୁ ହାଣି ଚାଲିଲା । ଅଭିଯୁକ୍ତର ବିଭତ୍ସ ରୂପ ଦେଖି ଅନ୍ୟ ଯାତ୍ରୀମାନେ ଡରି ଯାଇଥିଲେ । ଡ୍ରାଇଭର ବସ୍ ଅଟକାଇବା ପରେ ଯାତ୍ରୀମାନେ ପ୍ରାଣ ବିକଳରେ ବସରୁ ବାହାରକୁ ବାହାରି ଆସିଥିଲେ। । ଭିତରେ ରହିଯାଇଥିଲା ଅଭିଯୁକ୍ତ ତପନ । ସ୍ଥାନୀୟ ଲୋକେ ତପନକୁ ଧରି ଉତ୍ତମ ମାଧ୍ୟମ ଦେଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ତପନକୁ ଧରିଥିଲା । ସମସ୍ତଙ୍କୁ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଲେ ଖଣ୍ଡହତା ଗ୍ରାମର ଶ୍ୟାମ ପରିଡା, ହରିପୁର ଗ୍ରାମର ନକୁଲ ପ୍ରଧାନ,  ଆଳି ଗ୍ରାମର ସୁଶିଲ ପରିଡା । ତେବେ ତପନ ଭୋଇ ମାନସିକ ବିକୃତ ବ୍ୟକ୍ତି ବୋଲି କୁହାଯାଉଛି। ​​​​​​​