ନୂଆଦିଲ୍ଲୀ ୧୨/୧୧: ନବ-ନିର୍ବାଚିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡ଼ା ଇଷ୍ଟେଟ୍‌ ‘ମାର୍‌-ଏଲାଗୋ’ରେ ଜଣେ ନୂଆ ସୁରକ୍ଷାକର୍ମୀ ମୁତୟନ ହୋଇଛି । ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ଙ୍କ ବିଜୟ ପରେ ତାଙ୍କ ବିଳାସପୂର୍ଣ୍ଣ ସାମ୍ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଏହି କ୍ରମରେ ତାଙ୍କ ଇଷ୍ଟେଟ୍‌ର ପାଟ୍ରୋଲିଂରେ ସାମିଲ ହୋଇଛି ରୋବୋ କୁକୁର । ସିକ୍ରେଟ୍‌ ସର୍ଭିସ ଏହି ହାଇଟେକ୍‌ ସୁରକ୍ଷାକର୍ମୀ କୁକୁରକୁ ମୁତୟନ କରିଛି ।

୪ ଧାତବ ଗୋଡ଼ଯୁକ୍ତ ଏହି ରୋବୋ କୁକୁର ଦେହରେ ଅନେକ ଉନ୍ନତ ନିରୀକ୍ଷଣ ଉପକରଣ ଲାଗିଛି, ଯାହା ରାଷ୍ଟ୍ରପତି ଟ୍ରମ୍ପ୍‌ ଓ ତାଙ୍କ ଟିମ୍‌ର ସୁରକ୍ଷାକୁ ସୁନିଶ୍ଚିତ କରିବ । ମାର୍‌-ଏ-ଲାଗୋର ସବୁଜ ଲନ୍‌ ଚତୁଃପାଶ୍ୱର୍ରେ ରୋବୋ କୁକୁର ପଇଁତରା ମାରୁଥିବା ଗଣମାଧ୍ୟମର ନଜର ପଡ଼ିଥିଲା । ତା’ପରଠୁ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାର ଗୋଟିଏ ପାଶ୍ୱର୍ରେ ଉଲ୍ଲେଖ ହୋଇଛି ‘ଡୁ ନଟ୍‌ ପେଟ୍‌’ । ଏହା ଜରିଆରେ ସ୍ପଷ୍ଟ କରାଯାଇଛି ଯେ ରୋବୋ କୁକୁର ପୋଷା ନୁହେଁ, ବରଂ ଏକ କାର୍ଯ୍ୟରତ ମେସିନ୍‌ । ବୋଷ୍ଟନ୍‌ ଡାଇନାମିକ୍ସ ନାମକ କମ୍ପାନି ଏହି ରୋବୋ କୁକୁର ନିର୍ମାଣ କରିଛି । ଏହା ଜରିଆରେ ମାନବ ସୁରକ୍ଷାକର୍ମୀଙ୍କୁ ବିପଦରେ ନ ପକାଇ ରାଷ୍ଟ୍ରପତିଙ୍କୁ ସୁରକ୍ଷା ପ୍ରଦାନର ପ୍ରୟାସ ସିକ୍ରେଟ୍‌ ସର୍ଭିସ୍‌ର ଉଦ୍ଦେଶ୍ୟ ।  

ତେବେ ଏହି ରୋବୋ କ’ଣ କରିପାରେ, ସେ ବିଷୟରେ ସିକ୍ରେଟ୍‌ ସର୍ଭିସ୍‌ ସୂଚନା ଦେଇନାହିଁ । କିନ୍ତୁ ଏତିକି ସ୍ପଷ୍ଟ କରିଛି ଯେ ଟ୍ରମ୍ପ୍‌ଙ୍କ ଇଷ୍ଟେଟ୍‌କୁ ସୁରକ୍ଷା ପ୍ରଦାନରେ ସହାୟତା ଲାଗି ଏଥିରେ ସମସ୍ତ ପ୍ରକାର ଟେକ୍ନୋଲୋଜି ସଂଲଗ୍ନ ହୋଇଛି । ମାର୍‌-ଏ-ଲାଗୋରେ ଟ୍ରମ୍ପ୍‌ ଏବେ ନିଜର ନୂଆ ପ୍ରଶାସନ ଯୋଜନା ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଦୁଇ ଥର ମରଣାନ୍ତକ ଆକ୍ରମଣର ଶିକାର ହେବା ପରେ ତାଙ୍କ ସୁରକ୍ଷା ସବୁଠୁ ବଡ଼ ବିଷୟ ହୋଇଛି । ଏବେ ରୋବୋ କୁକୁର ଅତିରିକ୍ତ ସୁରକ୍ଷା ପ୍ରଦାନ କରୁଛି ଏବଂ ଦିନରାତି ତାଙ୍କ ଇଷ୍ଟେଟ୍‌ ଚତୁଃପାଶ୍ୱର୍କୁ ଜଗି ରହିଛି । ଆମେରିକାରେ ସୁରକ୍ଷା ମାମଲାରେ ରୋବୋ କୁକୁର ଖୁବ୍‌ ଲୋକପ୍ରିୟ ହେବାରେ ଲାଗିଛନ୍ତି । ପୁଲିସ ଓ ଅଗ୍ନିଶମ ବିଭାଗ ଏମାନଙ୍କୁ କାମରେ ଲଗାଉଛନ୍ତି ।